ପେଟର ଭୋକ ସହି ନପାରି ଦାଦନ ଖଟିବାକୁ ଯାଇଥିବା ଶ୍ରମିକର ଶବ ଫେରିଲା ନିଜ ଗାଁକୁ ।
ଶ୍ରମିକ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଜିଲ୍ଲାର ଶ୍ରମିକଙ୍କ ଭାଗ୍ୟ କେମିତି ବଦଳିବ !
କଳାହାଣ୍ଡି/ତୁଳମଣି ନାଗ: ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି, କିନ୍ତୁ ଗରିବ ଲୋକଙ୍କ ପାଇଁ ତାହା ସାତ ସପନ ପାଲଟିଛି । ନବୀନ ସରକାର ବିକାଶର ନାରା ଦେଇ ଗାଁକୁ କାମ ଓ ମାଁକୁ ସମ୍ମାନ ବୋଲି ଡିଣ୍ଡିମ ପିଡୁଥିବା ବେଳେ ତାହାର ଓଲଟା ଛବି ଦେଖିବାକୁ ମିଳୁଛି । ବୋଧ ହୁଏ ସରକାରଙ୍କ ଦ୍ୱାରା ହଉଥିବ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁନି ଆଉ ଲୋକଙ୍କ ଅଗଣାର ଚୌହଦୀ ଛୁଇଁ ପାରୁନି ବିକାଶ | ମିଳୁନି ରୋଜଗାର, ଅସହାୟ ପରିବାର | ନିଜ ଗାଁରେ କାମ ଧନ୍ଦା ନ ପାଇ ପେଟର ଭୋକ ସହି ନପାରି ନିଜର ଭିଟା ମାଟି ଛାଡ଼ି ପରିବାର ପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶହ ଶହ ଶ୍ରମିକ । ସେଠାରେ କାହାରି ହାତ କଟା ହୋଇ ଫେରୁଛି ତ କିଏ ପୁଣି ଶବ ହୋଇ ଫେରୁଛି, ଆଉ କାହାର ଶବ ମଧ୍ୟ ନିଜ ଭିଟା ମାଟିକୁ ଫେରି ପାରୁନାହିଁ ।
ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୂର୍ବରୁ ହିମାନସୁ ଶେଖର ମେହେର, ପ୍ରଦୀପ୍ତ କୁମାର ନାଏକ,ପୁଷ୍ପେନ୍ଦ୍ର ସିଂ ଦେଓ ଭଳି ତିନିଜଣ ଶ୍ରମମନ୍ତ୍ରୀ ପାଇଁଥିଲା ଓ ଚଳିତ ଗୃହ ରାଷ୍ଟ୍ରମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ରକୁ ପାଇଥିବା କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୂଆମୁଳ ରାମପୁର ବ୍ଲକ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଡ୍ରୀ ପଞ୍ଚାୟତର ଦୋଳଗୁଡା ଗ୍ରାମରେ । ଏହି ଗ୍ରାମର ଗଜିନ୍ଦ୍ର ନାଏକ(୩୫) ନିଜ ଅଞ୍ଚଳରେ କାମ ଧନ୍ଦା ନ ପାଇବାରୁ ପରିବାର ପ୍ରତି ପୋଷଣ କରି ନ ପାରି ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟ ତାମିଲ ନାଡୁ କୋଏମ୍ବାଟୁର ସହରରେ ଥିବା ଉତ୍କଳମଣ୍ଡପ ନାମକ ଏଭିଟି ଚା କମ୍ପାନୀରେ ଗଜିନ୍ଦ୍ର ଦିନ ମଜୁରିଆ ଭାବରେ କାମ କରୁଥିଲେ ଓ ଦି'ପଇସା ରୋଜଗାର କରି ପରିବାର ପ୍ରତି ପୋଷଣ କରୁଥିଲେ । ଗଜିନ୍ଦ୍ର ଗତ ୧୭ ତାରିଖ ଦିନ ସଂଧ୍ୟା ପ୍ରାୟ ସାତଟା ସମୟରେ ଫୋନ୍ କରି ଘର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, କିନ୍ତୁ ୧୮ ତାରିଖ ୦୨ ଘଟିକା ସମୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସାଥି ଶ୍ରମିକ ମାନେ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ଗଜିନ୍ଦ୍ରର ମୃତ୍ୟୁ ଖବର ଶୁଣିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ବ୍ୟକ୍ତିଙ୍କ ଶବ ଗାଁକୁ ଫେରାଇ ଆଣିବା ପାଇଁ ବିଧାୟକଙ୍କୁ ଜଣାଇଥିଲେ । ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରିଙ୍କ ହସ୍ତକ୍ଷେପ ଓ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଶ୍ରମିକର ଶବ ନିଜ ଗାଁକୁ ଫେରି ପାରିଥିଲା । ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଗଜିନ୍ଦ୍ରଙ୍କୁ କିଛି ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ଥୂଆମୁଳ ରାମପୁର ଥାନାରେ ଏକ ଏତଲା ଦେଇଥିବା ପ୍ରକାଶ କରିଛନ୍ତି । ଏହି ଖବର ପାଇ ସାଂସଦଙ୍କ ପ୍ରତିନିଧି ଶ୍ରୀ ଲକ୍ଷ୍ମୀଧର ନାଏକ ଦୋଳଗୁଡା ଗ୍ରାମକୁ ଯାଇ ଶୋକାକୁଳ ପରିବାରକୁ ସାନ୍ତ୍ବନା ଦେବା ସହିତ କିଛି ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ ।
ସୂଚନା ଯାଇ କଳାହାଣ୍ଡି ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠାରେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ହେବ ଜିଲ୍ଲା ଶ୍ରମ ଅଧିକାରୀ ନାହାଁନ୍ତି । ଜିଲ୍ଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଥାଇ ମଧ୍ୟ ନଥିବା ଭଳି ଲାଗୁଛି । ଆଉ ଜିଲ୍ଲାରୁ ପୂର୍ବତନ ଶ୍ରମ ନିୟୋଜନ ମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଥାଇ ମଧ୍ୟ କୌଣସି ଗର୍ବ ଅନୁଭବ କରିବାକୁ ଲଜ୍ଜ୍ଯା ମାଡୁଛି । ଆଉ କେତେ ଶ୍ରମିକ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଜିଲ୍ଲାର ଶ୍ରମିକଙ୍କ ଭାଗ୍ୟ କେବେ ବଦଳିବ ତାହା ଦେଖିବାକୁ ବାକି ରହିଲା ।