କୋନକାଷ୍ଟ ଷ୍ଟିଲ ପ୍ଳାଣ୍ଟ ସମ୍ମୁଖରେ ଧାରଣା ଦେଲେ ପୂର୍ବତନ କର୍ମଚାରୀ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥାପିତ ହୋଇଥିବା ଓ ୨୦୧୬ରୁ ବନ୍ଦ ହୋଇ ଯାଇଥିବା କୋନକାଷ୍ଟ ଷ୍ଟିଲ ପ୍ଳାଣ୍ଟ ସମ୍ମୁଖରେ ଆଜି ଏହାର ପୂର୍ବତନ କର୍ମଚାରୀମାନେ ଧାରଣା ଦେଇଥିଲେ। ଧାରଣାରେ ବସିଥିବା ଏହି କର୍ମଚାରୀମାନେ କୋନକାଷ୍ଟ ଷ୍ଟିଲ କମ୍ପାନୀ ବଦଳରେ ଏହାକୁ ଅଧିଗ୍ରହଣ କରିଥିବା ଏସଏମଏସି ପାୱାର କମ୍ପାନୀ ନିଯୁକ୍ତି ଦେବା ପାଇଁ ଏବଂ ତାଙ୍କର ବକେୟା ଦରମା ପ୍ରଦାନ କରିବାକୁ ଦାବି କରିଥିଲେ। 

କୋନକାଷ୍ଟ ଷ୍ଟିଲ ପ୍ଳାଣ୍ଟ ଗତ ଡିସେମ୍ବର ୩୧, ୨୦୧୬ରୁ ବନ୍ଦ ହୋଇ ଯାଇଥିଲା। ଏହା ଫଳରେ ଏହି କମ୍ପାନୀରେ କାମ କରୁଥିବା ଅନେକ କର୍ମଚାରୀ କାର୍ଯ୍ୟ ହରାଇଥିଲେ। ଏପରିକି ଅନେକଙ୍କୁ ସେମାନଙ୍କ ବକେୟା ଦରମା ମଧ୍ୟ ମିଳି ନଥିଲା। ବର୍ତ୍ତମାନ ଏହି କମ୍ପାନୀକୁ ଏସଏମସି ପାୱାର ଏଣ୍ଡ ଷ୍ଟିଲ ଅଧିଗ୍ରହଣ କରି ନେଇଛି। କମ୍ପାନୀର କାର୍ଯ୍ୟ ଆରମ୍ଭ ହେବାରୁ ପୁରୁଣା କର୍ମଚାରୀମାନେ ଏଠାରେ ନିଯୁକ୍ତି ଦାବୀ କରିଥିଲେ। ଦୀର୍ଘ ୬ ଘଣ୍ଟା ଧରି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାସୁଝା କରିଥିଲେ। ଶେଷରେ କମ୍ପାନୀ କର୍ତ୍ତୃପକ୍ଷ ଇଣ୍ଟରଭ୍ୟୁ କରି ଏମାନଙ୍କର ପୁନଃନିଯୁକ୍ତି କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।ସୂଚନା ଅନୁଯାୟୀ, କାଲିଠାରୁ ପ୍ରତ୍ୟେକ ଦିନ ୨୫ ଜଣ କର୍ମଚାରୀଙ୍କର ସାକ୍ଷାତକାର ନିଆଯିବ ଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ତେବେ କମ୍ପାନୀ ଏହି ଭାବରେ କେତେ ଦୂର ସଚ୍ଚୋଟତା ଅବଲମ୍ବନ କରିପାରିବ ତାହା ଦେଖିବା କଥା। କେତେଜଣ ପୂର୍ବତନ କର୍ମଚାରୀ ଓ ସ୍ଥାନୀୟ ଲୋକ ଏଠାରେ ନିଯୁକ୍ତି ପାଇବେ ସେ ବିଷୟରେ ପ୍ରଶ୍ନ ଉଠିବା ସ୍ବାଭାବିକ।କାରଣ ଏହା ପୂର୍ବରୁ ମଧ୍ୟ ନିଯୁକ୍ତି ପାଇଁ ପୂର୍ବତନ କର୍ମଚାରୀମାନେ ବାରମ୍ବାର ବିଭିନ୍ନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 

ଏସଏମସି,କର୍ମଚାରୀ ସଂଘ ତଥା ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କର୍ମଚାରୀମାନଙ୍କୁ ଜାନୁଆରୀ ୨୦ ସୁଦ୍ଧା ନିଯୁକ୍ତି ଯୋଗାଇ ଦେବା ପାଇଁ କଥାବାର୍ତ୍ତା ହୋଇଥିଲା। ମାତ୍ର ୨୧ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ସମ୍ବନ୍ଧରେ କୌଣସି ଖବର କେହି କର୍ମଚାରୀ ପାଇଲେ ନାହିଁ। ତେଣୁ ସେମାନେ ବାଧ୍ୟ ହୋଇ ଧାରଣାରେ ବସିଥିଲେ ବୋଲି କର୍ମଚାରୀ ସଂଘର କର୍ମକର୍ତ୍ତାମାନେ କହିଥିଲେ।

0
0
0
s2sdefault