ଭଲ କଥା , ସମସ୍ତେ କଲେ ବି ଭଲ ହୁଅନ୍ତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରସ୍କାର ଟଙ୍କାରେ ବାପା ମାଙ୍କୁ ହେଲମେଟ ଉପହାର ସଚେତନତା ବାର୍ତା ଦେଲେ ଦୁଇଭାଇ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଫେସବୁକରେ ଗୋଟିଏ ପୋଷ୍ଟ ଦେଖି ଭଲ ଲାଗିଲା | ନିହାତି ସଚେତନତା ଧର୍ମୀ | ଘର ଭିତରୁ ସଚେତନତାର ଅଭିଯାନର ରୂପାୟନ | ଆଖିକୁ କଥାଟା ଛୋଟିଆ ଲାଗିପାରେ, ହେଲେ ବାର୍ତ୍ତା ନିହାତି ପ୍ରଭାବଶାଳୀ | ଆମେମାନେ ଯଦି ବ୍ୟକ୍ତିଗତ ସ୍ତରରେ ବା ପରିବାର ଭିତରେ ଏପରି ସଚେତନତାର ସ୍ତର ବଜାୟ ରଖନ୍ତେ ବହୁତ ଭଲ ହୁଅନ୍ତା |   କଥାର ହେଲା ଏମିତି ଯେ, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଏବଂ ଆକାଶ କୁମାର ସାହୁ ତାଙ୍କ ପିତାମାତାଙ୍କୁ ହେଲମେଟ ଉପହାର ଦେଇ ଏକ ନିଆରା ସଚେତନତା ବାର୍ତା ପ୍ରଦାନ କରିଛନ୍ତି|

ଏଠାରେ ସୂଚନାଯୋଗ୍ୟ ଯେ ଉଭୟଙ୍କୁ ବରଗଡ଼ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ଥର ଦୁର୍ଘଟଣା ରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା |  ଏହାଛଡ଼ା ପ୍ରତ୍ୟେକଙ୍କୁ ସୁନାଗରିକ ହିସାବରେ ସରକାରୀ ନିୟମାନୁସାରେ ୨ ହଜାର ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା | ଦୁଇଭାଇ ଉକ୍ତ ଟଙ୍କାର ସୁବିନିୟୋଗ କରିବା ନିମନ୍ତେ ତଥା ପିତା ମାତାଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କୁ ଗୋଟିଏ ଲେଖାଏଁ ହେଲମେଟ ପ୍ରଦାନ କରିଛନ୍ତି ଯାହାକି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ | . ବର୍ତ୍ତମାନ ପରିବହନ ବିଭାଗ ନିୟମାନୁସାରେ ଦୁଇଚକିଆ ଯାନ ଚଲେଇବା ବେଳେ ଗାଡ଼ିରେ ବସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହେଲମେଟ ବ୍ୟବହାର ଅନିବାର୍ଯ୍ୟ ଅଟେ ଏବଂ ଏହାର ଖିଲାଫ କଲେ ଆର୍ଥିକ ଦଣ୍ଡାଦେଶ ସହିତ ଡ୍ରାଇଭି ଲାଇସେନ୍ସ ରଦ୍ଦ କରିବାର ନିୟମ ରହିଛି | ଏହାଛଡ଼ା ଜନସାଧାରଣ ମାନେ ମଧ୍ୟ ଏକଥାକୁ ଧ୍ୟାନ ଦେବା ଉଚିତ ଯେ ଜୀବନ ବହୁମୂଲ୍ୟ ଅଟେ ଏବଂ ପ୍ରତ୍ୟେକ ବ୍ୟକ୍ତି ଟ୍ରାଫିକ ନିୟମ ମାନି ଚଳିଲେ ଦୁର୍ଘଟଣା ଘଟିବାର ଅନେକାଂଶରେ କମ ହୋଇପାରିବ | ଦୁଇଭାଇଙ୍କ ଉକ୍ତ ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ହେବା ସଙ୍ଗେ ସଙ୍ଗେ ଲୋକଙ୍କ ପାଇଁ ପ୍ରେରଣାଦାୟୀ ହେବ |

0
0
0
s2sdefault