ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ଦେବେନ୍ଦ୍ରପୁରଠାରେ ପ୍ଲାନେଟୋରିୟମ ନିର୍ମାଣ ଆଶା ସଞ୍ଚାରିତ ହୋଇଛି । ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଜାନୁଆରୀ ୧୬ରେ ଉକ୍ତ ସ୍ଥାନ ପରିଦର୍ଶନରେ ଆସୁଥିବାର ଜଣାପଡ଼ିଛି । ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ୨୦୧୬ ଅଗଷ୍ଟରେ ଗୋପାଳପୁର, ଜୟପୁର ଓ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ପ୍ଲାନେଟୋରିୟମ ନିର୍ମାଣ ହେବାର ଘୋଷଣା କରିଥିଲେ । ବାରିପଦାଠାରେ ପ୍ଲାନେଟୋରିୟମ ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରାଯିବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିବା ପରେ ପ୍ରଶାସନ ପକ୍ଷରୁ ବାରିପଦା ପୌରାଞ୍ଚଳର ଖାତା ନମ୍ବର ୧୯୩ରେ ୫ ଏକର ଜମିକୁ ଚିହ୍ନଟ କରାଯାଇ ସେଠାରେ ଏକ ଫଳକ ଲଗାଯାଇଥିଲା । ଏହାପରେ ୨୦୧୯ ଅଗଷ୍ଟରେ ବିଧାନସଭାରେ ବିଜେଡ଼ି ବିଧାୟକ ସୁଧୀର କୁମାର ସାମଲଙ୍କ ପଚାରିଥିବା ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀପଣ୍ଡା ବାରିପଦା, ରାୟଗଡ଼ା, କେଉଁଝର ଓ ଗୋପାଳପୁରଠାରେ ମୋଟ ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ୪ଟି ପ୍ଲାନେଟୋରିୟମ ନିର୍ମାଣ ହେବ ବୋଲି ସୂଚନା ଦେବା ସହିତ ଗୋପାଳପୁର ପ୍ଲାନେଟୋରିୟମଟି ୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଥିବା ବେଳେ ବାରିପଦା, ରାୟଗଡ଼ା ଓ କେଉଁଝରଠାରେ ୨୧ କୋଟି ବ୍ୟୟ ବରାଦରେ ଅବଶିଷ୍ଟ ୩ଟି ପ୍ଲାନେଟୋରିୟମ ନିର୍ମାଣ ହେବାର ପ୍ରକାଶ କରିଥିଲେ । କିନ୍ତୁ ଜମି ଚିହ୍ନଟ ହେବାକୁ ପ୍ରାୟ ସାଢେ଼ ୪ ବର୍ଷ ଅତୀତ ହୋଇ ସାରିଥିଲେ ମଧ୍ୟ ଚିହ୍ନଟ ସ୍ଥଳରେ ମୁଠାଏ ବାଲି ଓ ଖଣ୍ଡିଏ ଇଟା ପଡ଼ିପାରି ନ ଥିଲା । ତେବେ ପର୍ଯ୍ୟଟନ ମନ୍ତ୍ରୀ ଆସନ୍ତା ଜାନୁଆରୀ ୧୬ ପୂର୍ବାହ୍ନରେ ଦେବେନ୍ଦ୍ରପୁରଠାରେ ପ୍ଲାନେଟୋରିୟମ ନିର୍ମାଣ ନିମନ୍ତେ ଚିହ୍ନଟ ହୋଇଥିବା ଜମି ପରିଦର୍ଶନରେ ଆସୁଥିବାରୁ ପ୍ଲାନେଟୋରିୟମର ନିର୍ମାଣ ଆଶା ପୁର୍ନଜୀବିତ କରାଇଛି ।
ରାଜ୍ୟ
ମନ୍ତ୍ରୀ ବୁଲି ଆସୁଛନ୍ତି ମାନେ ହବ ବୋଧେ : ବାରିପଦାଠାରେ ପ୍ଲାନେଟୋରିୟମ ନିର୍ମାଣ ଆଶା ପୁନର୍ଜୀବିତ
- Hits: 314