ବରଗଡ :- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ । ସାଧାରଣତଃ ପ୍ରତ୍ୟେକ ହିନ୍ଦୁ ତୀର୍ଥକ୍ଷେତ୍ର ମାନଙ୍କରେ ମାଙ୍କଡ଼ ଓ ହନୁମାଙ୍କଡ଼ ଦେଖାଯିବା ଏକ ପ୍ରକାର ସ୍ୱାଭାବିକ । ପର୍ବତ ସହିତ ଜଙ୍ଗଲ ଥିବା କାରଣରୁ ନୃସିଂହନାଥ ପୀଠରେ ଅସଂଖ୍ୟ ମାଙ୍କଡ଼ ତଥା ହନୁମାଙ୍କଡ଼ ଦେଖା ଯାଇଥାନ୍ତି ।
କୋବିଡ଼ କଟକଣା କାରଣରୁ ଗତ ମାର୍ଚ୍ଚ ମାସ ଅଠର ତାରିଖରୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ପର୍ଯଟକ ଓ ତୀର୍ଥଯାତ୍ରୀ ଙ୍କର ପାଇଁ ବାରଣ କରାଯାଇଥିଲା । ଏହାପରେ ସାରା ଦେଶରେ ଆରମ୍ଭ ହୋଇଯାଇଥିଲା ଲକଡାଉନ । ନୃସିଂହନାଥ କୁ ଆସୁଥିବା ଭକ୍ତ ଓ ପର୍ଯଟକ ମାନେ ପ୍ରଦାନ କରୁଥିବା ଖାଦ୍ୟ ଖାଇ ମୁଖ୍ୟତଃ ଏଠାକାର ମାଙ୍କଡ଼ ଓ ହନୁମାଙ୍କଡ଼ ମାନେ ରହୁଥିଲେ । ଲକ ଡାଉନ ହେବାପରେ ଯାତ୍ରୀ ନ ଆସିବାରୁ ମାଙ୍କଡ଼ ମାନଙ୍କର ମଧ୍ୟ ଖାଦ୍ୟ ସମସ୍ୟା ଦେଖାଦେଇଥିଲା । ପ୍ରତ୍ୟେକ ଦିନ ମନ୍ଦିର କତ୍ତୃପକ୍ଷ , ସ୍ଥାନୀୟ ସ୍ବେଚ୍ଛାସେବୀ , ଓ ବ୍ୟକ୍ତିଗତ ଭାବରେ ଅନେକ ଲୋକ ମାଙ୍କଡ଼ ମାନଙ୍କର ପାଇଁ ବିଭିନ୍ନ ଖାଦ୍ୟ ଧରି ନୃସିଂହନାଥ କୁ ଆସୁଥିଲେ ।
ଶ୍ରୀକାନ୍ତ କୁମାର ସାହୁ , ପାଇକମାଲ ମୁଖ୍ୟ ଛକ ଠାରେ ଏକ ଛୋଟିଆ ଫଳ ଦୋକାନ କରି ନିଜର ପରିବାର ପୋଷଣ କରନ୍ତି । ଲକଡାଉନ ସମୟରେ ମାଂକଡ଼ ମାନଙ୍କୁ ନିଜର ସାଧ୍ୟ ମତେ ଖାଦ୍ୟ ଯୋଗାଇବାର ଆରମ୍ଭ କରିଥିଲେ । ସେ କ୍ରମାଗତ ଭାବରେ ଆଜି ପର୍ଯନ୍ତ ଏହି କାମ କରି ଆସୁଛନ୍ତି । ପ୍ରତ୍ୟେକ ଦିନ ସନ୍ଦ୍ୟାରେ ଏକ ଟ୍ରେରେ କଦଳୀ ଅଙ୍ଗୁର ଓ ଅନ୍ୟାନ୍ୟ ଫଳ ନେଇ ସେ ନୃସିଂହନାଥ କୁ ପହଂଛି ଯାଇଥାନ୍ତି । ଆୟୁର୍ବେଦ ମହାବିଦ୍ୟାଳୟ ଅତିକ୍ରମ କଲା ପରେ ମାଙ୍କଡ଼ ମାନେ ଶ୍ରୀକାନ୍ତ ଙ୍କର ପଛରେ ଗୋଡେଇବା ଅରମ୍ବ କରନ୍ତି । ଶ୍ରୀକାନ୍ତ ପ୍ରାୟ ଅଧା ଘଣ୍ଟା ଭିତରେ ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦେଇ ପୁଣି ନିଜର ଦୋକାନକୁ ଫେରିଥାନ୍ତି । ଲକଡାଉନ ଆରମ୍ଭରୁ ପ୍ରତ୍ୟେକ ଦିନ ଶ୍ରୀକାନ୍ତ ଏହି କାର୍ୟ୍ଯ କରି ଆସୁଛନ୍ତି । ଏଥିପାଇଁ ଶ୍ରୀକାନ୍ତ ନିଶ୍ଚିତ ଭାବରେ ପ୍ରଶଂସାର ପାତ୍ର ।