କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ମନ୍ତ୍ରୀ ରଘୁନନ୍ଦନ ଓ ତୁଷାରକାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଟ୍ଟାମୁଣ୍ଡାଇ ମିନିଷ୍ଟାଡିୟମର ଶିଳାନ୍ୟାସ  ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା 

ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ରାଜ୍ୟ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି , କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ୨ ଦିନିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଆଜି  କ୍ରୀଡା ଏବଂ ଜଳସମ୍ପଦ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରି ଜଣ୍ଟିଲୋ ଡାକ ବଙ୍ଗଳାଠାରେ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଓ ସ୍ଥାନୀୟ ବିଧାୟକମାନଙ୍କ ସହିତ ଯୋଗଦେଇ ଜିଲ୍ଲାର କ୍ରୀଡା ଭିତ୍ତିଭୂମି, ଖେଳ ପଡିଆର ଉନ୍ନତିକରଣ , ମିନିଷ୍ଟାଡିୟମ ନିର୍ମାଣର ଅଗ୍ରଗତି ପ୍ରସଙ୍ଗରେ ସମୀକ୍ଷା କରିଥିଲେ । କେନ୍ଦ୍ରାପଡା  ଜିଲ୍ଲାରେ  କ୍ରୀଡାର ସାମଗ୍ରିକ ବିକାଶ ସହିତ  ଜିଲ୍ଲାର ନାମ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସଦାସର୍ବଦା ବଜାୟ ରଖିବା ଏବଂ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କ୍ରୀଡା ପ୍ରତିଭାକୁ ବିଶ୍ୱସ୍ତରରେ ପହଁଚାଇବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ଦିଗରେ କି କି ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିଥିଲେ ।  ସେହିପରି କୋଭିଡ୍-୧୯ କଟକଣା ଲାଗୁ ହେତୁ ଅଗ୍ରଗତି ହୋଇପାରିନଥିବା ନିର୍ମାଣାଧିନ ପ୍ରକଳ୍ପଗୁଡିକୁ କଟକଣା ହଟିବା ପରେ ଶୀଘ୍ର  ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାର କ୍ରୀଡା ଜଗତରେ ବେଶ୍ ଖ୍ୟାତି ଥିବାରୁ ଏହାକୁ କ୍ରୀଡା ହବରେ  ପରିଣତ କରିବା, ଏହି ଜିଲ୍ଲାରୁ  ଯେପରି ଅଧିକରୁ ଅଧିକ କ୍ରୀଡାବିତ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବେ, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର  ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ  ବେହେରା ପ୍ରକାଶ କରିଥିଲେ । 

 କେନ୍ଦ୍ରାପଡା ବିଧାୟକ  ଶ୍ରୀ ଶଶୀଭୂଷଣ ବେହେରା,  ରାଜନଗର ବିଧାୟକ ଶ୍ରୀ ଧୃବଚରଣ ସାହୁ, ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଶ୍ରୀ ମାନସ କୁମାର ପରିଡାଙ୍କ ସମେତ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ରାଉତ,  ଉପ ଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ମହାପାତ୍ର , ଜିଲ୍ଲା କ୍ରୀଡା ଅଧିକାରୀ  ଶ୍ରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଏହି ବୈଠକରେ  ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

              ଅପରାହ୍ଣରେ  କ୍ରୀଡାମନ୍ତ୍ରୀ  ଶ୍ରୀ ତୁଷାରକାନ୍ତି  ବେହେରା,   ଜଳସମ୍ପଦ  ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ସହିତ କ୍ଷେତ୍ର ପରିଦର୍ଶନରେ ବାହାରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅନ୍ତର୍ଗତ କଷଣଅଣ୍ଟାଠାରେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ମିନିଷ୍ଟାଡିୟମର ଶିଳାନ୍ୟାସ  କରିଥିଲେ  ।  ମନ୍ତ୍ରୀ ଦ୍ୱୟଙ୍କ ସହ  ଉପରୋକ୍ତ ବିଧାୟକବୃନ୍ଦ, କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ରାଜେଶ ବେହେରା, କର୍ମକର୍ତା ରାଜେନ୍ଦ୍ର ପଣ୍ଡା , କେନ୍ଦ୍ରାପଡା  ପୌରସଂସ୍ଥା ଅଧିକାରୀ ଧୀରେନ୍ କୁମାର ସାହୁ , ଆଡଭୋକେଟ  ତଥା ପୂର୍ବତନ ଚେୟାରମ୍ୟାନ ଶ୍ରୀ ଦେବଦାସ ମହାନ୍ତି, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।  ଶନିବାର ଦିନ ଉଭୟ ମନ୍ତ୍ରୀ ଜିଲ୍ଲାର ଭିତରକନିକା ଓ ଡାଙ୍ଗମାଳ ଅଂଚଳ ବୁଲି ଦେଖିବା ସହ ରାଜନଗର ନିର୍ବାଚନ ମଣ୍ଡଳୀର କ୍ରୀଡା ଭିତିଭୂମି ଉନ୍ନୟନ ଓ ଜଳସଂପଦ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରାଜନଗର ଡାକବଙ୍ଗଳାଠାରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈ÷ଠକରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । 

 

0
0
0
s2sdefault