ହେଡଲାଇନସ୍:

୧ ହଜାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ଯୋଜନା : ମଲ୍‌କୁ ଯାଉଛି ଶଙ୍ଖଜିନୀଙ୍କ ଜୈବିକ ପରିବା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ରେଢ଼ାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଚାଷ କାମ ଯାହାର, କେତେ ଆନନ୍ଦ ତାହାର। ଏହି ଉକ୍ତିକୁ ଜପମାଳି କରି ଆଗକୁ ବଢ଼ିବା ସହ ନିଜକୁ ଜଣେ ସଫଳ ଚାଷୀ ଭାବେ ପରିଚିତ କରାଇପାରିଛନ୍ତି I ଯୁଯୁମୁରା ବ୍ଲକ ଘେନୁପାଲିର ପଞ୍ଚାୟତ ଠାକୁରମାଲ ଗ୍ରାମର ଶଙ୍ଖଜିନୀ ପ୍ରଧାନ। ପଡ଼ିଆ ପଡ଼ିଥିବା ନିଜ ୫ ଏକର ଜମିରେ ୧୧ ବର୍ଷ ତଳେ ୪୦ ହଜାର ଟଙ୍କା ବିନିଯୋଗ କରି ଚାଷ ଆରମ୍ଭ କରିଥିବା ଶଙ୍ଖଜିନୀ ଏବେ ମାସିକ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି। କେବଳ ଚାଷ ନୁହେଁ ବରଂ ନିଜକୁ ସ୍ବାବଲମ୍ବୀ କରିବା ନୁହେଁ ବରଂ ଅନ୍ୟ ଦିଗରୁ ମଧ୍ୟ କିଭଳି ଭଲ ଦି’ ପଇସା ରୋଜଗାର ହେବ ସେଥିପାଇଁ ପ୍ରେସ୍ ଖଲିଦନା ମେସିନ୍, ଜେରକ୍ସ ମେସିନ୍ ଘରେ ବସାଇଛନ୍ତି।

ପରିବାର ପ୍ରତିପୋଷଣ ପାଇଁ ସେତେବେଳେ ଆରମ୍ଭ କରିଥିବା ଚାଷ କାମ ଏବେ ଶଙ୍ଖଜିନୀଙ୍କ ବେଉସା ପାଲଟିଯାଇଛି। ସେ ଏବେ ୧୩.୫ ଏକର ଜମିରେ ଧାନ ଓ ପନିପରିବା ଚାଷ କରୁଛନ୍ତି। ତାଙ୍କ ଜମିରୁ ଉତ୍ପାଦିତ ପନିପରିବା କେବଳ ସ୍ଥାନୀୟ ଅଞ୍ଚଳରେ ନୁହେଁ ବରଂ ମଦର ଡାଏରୀ ଓ ଭୁବନେଶ୍ବରର ସବୁଜ ସୁଲଭ ଷ୍ଟୋର୍କୁ ମଧ୍ୟ ଯାଉଛି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ ହେଉଥିବାରୁ ଶଙ୍ଖଜୀନୀଙ୍କ ପରିବାର ବେଶ୍ ଚାହିଦା ରହିଛି।

ଯଦିଓ ନିଜ ଉଦ୍ୟମରେ ଶଙ୍ଖଜୀନୀ ବେଶ୍ ସଫଳ ହୋଇପାରିଛନ୍ତି, କିନ୍ତୁ ସେ କୌଣସି ପ୍ରକାର ତାଲିମ୍ ନେଇନାହାନ୍ତି। ସେପଟେ, ଉତ୍ପାଦିତ ଦ୍ରବ୍ୟର ବିକ୍ରି ପାଇଁ ତାଙ୍କ ପାଖରେ ଉପଯୁକ୍ତ ମାର୍କେଟିଂ ଅଭିଜ୍ଞତା ନଥିବାରୁ ରୋଜଗାର ଆବଶ୍ୟକତା ଅନୁସାରେ କମ୍ ହେଉଥିବା ସେ କହିଛନ୍ତି। ତେବେ ତାଙ୍କୁ ଉପଯୁକ୍ତ ତାଲିମ୍ ଓ ସୁବିଧାସୁଯୋଗ ମିଳିଲେ ନିଜର ବ୍ୟବସାୟ ବୃଦ୍ଧି ସାଙ୍ଗକୁ ଆଗକୁ ୧ ହଜାର ଯାଏ ମହିଳାଙ୍କୁ ସ୍ବାବଲମ୍ବୀ କରିପାରିବେ ବୋଲି କହିଛନ୍ତି।

ଶଙ୍ଖଜିନୀ ୩ଟି କୃଷି ଯନ୍ତ୍ରପାତି ଉଦ୍ଭାବନ କରିଥିବା ସମୟରେ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ଗତବର୍ଷଠାରୁ କୃଷିମିତ୍ର ଭାବେ କାର୍ଯ୍ୟ କରୁଥିବା ଶଙ୍ଖଜିନୀ ଗତ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତିକ ମହିଳା ଦିବସ ଅବସରରେ ଭୁବନେଶ୍ବରର ଦୁରଦର୍ଶନ କେନ୍ଦ୍ରରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ।

0
0
0
s2sdefault