ଝାରସୁଗୁଡ଼ା :(ସୁଭାଷ ସହାରେ) _ଝାରସୁଗୁଡ଼ା ଜିଲ୍ଲାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିକଟବର୍ତ୍ତୀ ଦୁର୍ଲଗା ଗ୍ରାମର ବାସିନ୍ଦା ଅଭିରାମ ଶତପଥୀ ନେଇଛନ୍ତି ଏକ ଦୁଃସାହସିକ ନିଷ୍ପତ୍ତି। ମଦ୍ୟପାନ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଝାରସୁଗୁଡ଼ା ବିମାନବନ୍ଦରରୁ ପୁରୀ ପର୍ଯ୍ୟନ୍ତ ପଦଯାତ୍ରା କରିବେ। ଏହା ମଧ୍ୟରେ ବାଟରେ ସେ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିବେ।
ଓପିଟିସିଏଲରୁ କାର୍ଯ୍ୟରୁ ଅବସରନେଇଥିବା ଅଭିରାମ ଶତପଥୀ ପ୍ରତ୍ୟହ ପ୍ରାୟ ୨୫ କିଲୋମିଟର ଦୌଡ଼ନ୍ତି। ପୂର୍ବରୁ ଆସ୍ଥମା ରୋଗରେ ପୀଡ଼ିତ ଥିବା ଶ୍ରୀ ଶତପଥୀ କିନ୍ତୁ କଠିଣ ପରିଶ୍ରମ ଓ ଶାରୀରିକ ବ୍ୟାୟାମ ଯୋଗୁଁ ଏହି ରୋଗରୁ ସୁସ୍ଥତା ଲାଭ କରିଥିବା ସୂଚନା ଦେଇଛନ୍ତି। ପ୍ରତ୍ୟେକ ଦିନ ୩୫ କିଲୋମିଟର ଦୂରତା ଅତିକ୍ରମ କରି ଝାରସୁଗୁଡ଼ାରୁ ୪୨୫ କିମି ଦୂରରେ ଥିବା ପୁରୀକୁ ତାଙ୍କର ପଦଯାତ୍ରା ଜାନୁଆରୀ ୬ ତାରିଖରେ ଆରମ୍ଭ କରି ଜାନୁଆରୀ ୨୩ରେ ସମାପ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ନିଜର ରକ୍ତଚାପ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଜନିତ ରିପୋର୍ଟ ଦାଖଲ ମଧ୍ୟ କରିଦେଇଥିବା ସୂଚନା ଦେଇଛନ୍ତି। ବାଟରେ ୧୯ ଜାନୁଆରୀରେ ସେ ମୂଖ୍ୟମନ୍ତ୍ରୀଙ୍କୁ ତାଙ୍କର ସ୍ମାରକପତ୍ର ଦେବା ପାଇଁ ଯୋଜନା ରଖିଛନ୍ତି।
ଶ୍ରୀ ଶତପଥୀ ଏହା ପୂର୍ବରୁ ଅନେକ ପ୍ରତିଯୋଗିତାରେ ଭାଗ ନେଇ ନଗଦ ପୁରସ୍କାର ଓ ମାନପତ୍ର ଦ୍ବାରା ସମ୍ମାନିତ ହୋଇଛନ୍ତି। ସେ ଟାଟା ଷ୍ଟିଲ, ବିଏସ୍ଏଫ୍, ଶ୍ରୀ କ୍ଷେତ୍ର ପୁରୀ ମାରାଥନ୍, ଏସବିଆଇ ମାରାଥନ୍ ପ୍ରଭୃତିରେ ଅଂଶ ଗ୍ରହଣ କରିଛନ୍ତି।୨୦୧୯-୨୦ ଏସବିଆଇ ସିନିୟର ସିଟିଜେନ ୨୧ କିମି ମାରାଥନରେ ସେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହା ବ୍ୟତୀତ ୨୦୨୦ ଜାନୁଆରୀ ୨୫ ତାରିଖରେ ନ୍ୟାସନାଲ ଭୋଟରସ୍ ଡେ ରେ ଝାରସୁଗୁଡ଼ା ଜିଲ୍ଲାପାଳ ତାଙ୍କୁ ୨୦୦୦ ଟଙ୍କା ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ସେହିପରି ପଞ୍ଚାୟତିରାଜ ଦିବସ ଉପଲକ୍ଷେ ୫ ମାର୍ଚ୍ଚ ୨୦୧୭ରେ ସେ ମୂଖ୍ୟମନ୍ତ୍ରୀଙ୍କ ତରଫରୁ ୧୦୦୦ ଟଙ୍କା ଓ ମାନପତ୍ର ଦ୍ବାରା ସମ୍ମାନିତ ହୋଇଥିଲେ। ଏହି ପଦଯାତ୍ରା ପଛରେ ସେ ମଦ୍ୟପାନ ବିରୋଧରେ ସଚେତନତା, ସୁସ୍ଥ ରହିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ତଥା ପରିବାର, ରାଜ୍ୟ, ଦେଶର ମଙ୍ଗଳ କାମନା କରିବା ଅଟେ ବୋଲି କହିଛନ୍ତି।