ଦେଶର ଆଶାଆକାଂକ୍ଷା ସହିତ ନିଜ କ୍ୟାରିଅରକୁ ଯୋଡ଼ିବା ନିମନ୍ତେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
-
ଓଡ଼ିଶାକୁ ଦେଶର ସର୍ବାଧିକ ପସନ୍ଦଯୋଗ୍ୟ "ଶିକ୍ଷା ହବ" ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ : ନବୀନ
-
ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ଦୃରଦୃଷ୍ଟିକୁ ଆଗକୁ ନେବାରେ ଆଇଆଇଏମ ସମ୍ବଲପୁର ବଡ଼ ଭୂମିକା ନେବ : ଧର୍ମେନ୍ଦ୍ର
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଂଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟଅପଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ଭାରତରେ ସଙ୍କଟଜନକ ପରିସ୍ଥିତି ସତ୍ୱେ ଅଧିକ ‘ୟୁନିକର୍ଣ୍ଣ’ଗୁଡ଼ିକୁ ଦେଖିବାକୁ ମିଳିଛି । କୃଷି କ୍ଷେତ୍ରରେ ଦ୍ରୁତ ସଂସ୍କାର ଜାରି ରହିଛି । ଏପରି ପରିସ୍ଥିତିରେ ଦେଶର ଆଶାଆକାଂକ୍ଷା ସହିତ ନିଜର କ୍ୟାରିୟରକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହି ନୂଆ ଦଶନ୍ଧିରେ, ବ୍ରାଣ୍ଡ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଆପଣମାନଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନେଇଯିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସମ୍ବଲପୁର ଅଞ୍ଚଳରେ ରହିଥିବା ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନର ଉନ୍ନତି ନିମନ୍ତେ ଅଭିନବ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ହସ୍ତଶିଳ୍ପ, ବୟନ ଏବଂ ଜନଜାତି କଳା ଆଦିରେ ରହିଥିବା ଅପାର ସମ୍ଭାବନା ଯୋଗୁ ଏସବୁ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଗଦାନ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ରହିଥିବା ପ୍ରଚୁର ଖଣିଜ ସମ୍ପଦ ଏବଂ ଅନ୍ୟ ସମ୍ବଳର ଉନ୍ନତ ପରିଚାଳନା ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଆଇଆଇଏମ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭର ଭାରତ ମିଶନ, ସ୍ଥାନୀୟ ଉତ୍ପାଦ ଏବଂ ଅନ୍ତର୍ଜାତୀୟ ସହଭାଗିତା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିପାରିବେ । ତେଣୁ ସେମାନେ ଲୋକାଲକୁ ଗ୍ଲୋବାଲରେ ପରିଣତ କରିବା ଲାଗି ଅଭିନବ ଉପାୟ ସନ୍ଧାନ କରିବାର ଆବଶ୍ୟକତା ରହିଛି । “ଅଭିନବତାର ମିଶ୍ରଣ ଏବଂ ସମାବେଶୀକରଣ”ର ମନ୍ତ୍ର ସହିତ ଆପଣମାନଙ୍କୁ ନିଜର ପରିଚାଳନା ଦକ୍ଷତା ପ୍ରଦର୍ଶିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ । “ମ୍ୟାନେଜମେଂଟର ଅର୍ଥ କେବଳ ବଡ଼ କମ୍ପାନୀ ଚଳାଇବା ନୁହେଁ ବରଂ ମ୍ୟାନେଜମେଂଟ ହେଉଛି ଜନଜୀବନର ସମସ୍ୟା ଦୂର କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ “ଓଡିଶା ଦେଶର ଏକ ଅଗ୍ରଣୀ ଗବେଷଣା କେନ୍ଦ୍ର ଭାବରେ ଉଭା ହେଉଛି। ଏଥିପାଇଁ ଆମେ ଭାରତ ସରକାରଙ୍କୁ କୃତଜ୍ଞ। ମାନବ ସମ୍ବଳର ବିକାଶ ପାଇଁ ଓଡ଼ିଶା ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି। “ସ୍କିଲଡ଼ ଓଡିଶା” ଏକ ଆନ୍ତର୍ଜାତୀୟ ବ୍ରାଣ୍ଡରେ ପରିଣତ ହୋଇସାରିଛି। ଆମର ଧ୍ୟାନ ହେଉଛି ଆମର ଯୁବକମାନଙ୍କୁ ଅତ୍ୟାଧୁନିକ ଏବଂ ବୈଷୟିକ ଜ୍ଞାନକୌଶଳରେ ତାଲିମ ଦେବା ଏବଂ ଶିଳ୍ପ ୪.୦ ର ଚାହିଦା ଅନୁଯାୟୀ ସେମାନଙ୍କୁ ପ୍ରସ୍ତୁତ କରିବା | ମୁଁ ଜାଣି ଖୁସି ଯେ ଆଇଆଇଏମ୍ ସମ୍ବଲପୁର ଓଡିଶାର ଅଗ୍ରଣୀ ଉଦ୍ୟୋଗୀ ହବ୍ ହେବାକୁ ଲକ୍ଷ୍ୟ ରଖିଛି ଏବଂ ସ୍ଥାନୀୟ ବୁଣାକାର ତଥା କୃଷି ଭିତ୍ତିକ ବ୍ୟବସାୟର ଉଦ୍ୟୋଗୀ ପ୍ରତିଭା ପ୍ରତି ଗୁରୁତ୍ୱ ଦେବା ସହ ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ସ ଇନକ୍ୟୁବେଟ୍ କରିବାକୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଏକ ଏମଓୟୁରେ ସ୍ବାକ୍ଷର କରିଛି। | ରାଜ୍ୟରେ ଇନକ୍ଲୁସିଭ , ଇକ୍ୟୁଟେବଲ ଏବଂ ସଷ୍ଟେନେବଲ ଡେଭେଲପମେଣ୍ଟ ପାଇଁ ଓଡିଶା ସରକାରଙ୍କ ସଂକଳ୍ପ ଅନୁଯାୟୀ ଏହା କାର୍ଯ୍ୟ କରୁଛି। ଓଡ଼ିଶାକୁ ଦେଶର ସର୍ବାଧିକ ପସନ୍ଦଯୋଗ୍ୟ "ଶିକ୍ଷା ହବ" ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଆଇଆଇଏମକୁ ସବୁ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ରାଜ୍ୟ ମୁ ପ୍ରତିଶ୍ରୁତି ଦେଉଛି ” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଆଇଏମ ସମ୍ବଲପୁର ଓଡ଼ିଶା ତଥା ପଶ୍ଚିମ ଓଡିଶା ଆର୍ଥିକ ବିକାଶର ପେଣ୍ଠସ୍ଥଳି ହେବାର ସମ୍ଭାବନା ରଖୁଛି । ଗତ ୫ ବର୍ଷ ତଳେ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁମୋଦନ କ୍ରମେ ବଜେଟରେ ଓଡ଼ିଶାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାର ଘୋଷଣା କରିଥିଲେ । ସମ୍ବଲପୁରବାସୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ଆଜି ଏହା ସମ୍ଭବ ହୋଇପାରିଛି । ବିଶ୍ୱମାନର ଭିତିଭୂମି ସହ ସମ୍ବଲପୁରର ବସନ୍ତପୁର ଠାରେ ୪୦୦ କୋଟି ଟଙ୍କା ବ୍ୟୟରେ କ୍ୟାମ୍ପସ ନିର୍ମାଣର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସ୍ୱପ୍ନ ବାସ୍ତବତାର ରୂପ ନେଇଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ଦୃରଦୃଷ୍ଟିକୁ ଆଗକୁ ନେବାରେ ଆଇଆଇଏମ ସମ୍ବଲପୁର ବଡ଼ ଭୂମିକା ନେବ । ପ୍ରାରମ୍ଭିକ ବର୍ଷ ମାନଙ୍କରେ ଏହି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଉତୀର୍ଣ୍ଣ ହୋଇ ଭାରତ ଓ ବିଶ୍ୱର ବଡ ଅନୁଷ୍ଠାନ ମାନଙ୍କର ନେତୃତ୍ୱ ନେବେ, ଏହା ନିଃସନ୍ଦେହ " ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
ଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କେନ୍ଦ୍ର ରାଷ୍ଟ୍ରଶିକ୍ଷା ମନ୍ତ୍ରୀ ସଞ୍ଜୟ ଧୋତ୍ରେ, ଆଇଆଇଏମ ସମ୍ବଲପୁର ବୋର୍ଡର ଚେୟାରମ୍ୟାନ ଶ୍ରୀମତୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ, ଆଇଆଇଏମ ସମ୍ବଲପୁରର ନିଦେ୍ର୍ଧଶକ ପ୍ରଫେସର ମହାଦେବ ଜସୱାଲ, ସମ୍ବଲପୁରର ସାଂସଦ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ ତଥା ଆଇଆଇଏମ ସମ୍ବଲପୁରର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦମାନେ ସାମିଲ ହୋଇଥିଲେ ।