ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରାଞ୍ଚଳର ୨୨ ନମ୍ବର ୱାର୍ଡ ଲିଙ୍ଗରାଜ ପଲ୍ଲୀରେ ୟୁଡବ୍ଲ୍ୟୁଇଆଇ ଯୋଜନାରେ ନବନିର୍ମିତ ମାଇକ୍ରୋ ଏକଟିଭିଟିଜ ପରିଚୟ ଗୃହ ଏବଂ ଶିଶୁ ଆମୋଦ ପ୍ରମୋଦ କେନ୍ଦ୍ରକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି । ବାରିପଦା ଉପଜିଲ୍ଲାପାଳ ତଥା ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ପି. ଅନ୍ୱେଷା ରେଡ୍ଡିଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୌରପାଳିକାର କମ୍ୟୁନିଟି ଅର୍ଗାନାଇଜର ତାରାମଣି ମହାନ୍ତି, ୱାର୍ଡ ଅଧିକାରୀ ରବୀନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୋଟ ୫ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ସାମୁହିକ ବା ଗୋଷ୍ଠୀଗତ କାର୍ଯ୍ୟ ଅନୁଷ୍ଠିତ ହେବା ସହିତ ପିଲାମାନଙ୍କର ଶାରିରୀକ ଓ ମାନସିକ ବିକାଶ ପାଇଁ ଖେଳକୁଦ ସରଞ୍ଜାମ ଆଦି ସୁବ୍ୟବସ୍ଥିତ କରାଯାଇଛି । ଏହାଦ୍ୱାରା ବସ୍ତି ଅଞ୍ଚଳର ଜନସାଧାରଣଙ୍କ ସାମୁହିକ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରି ଅର୍ଥନୈତିକ ଓ ସାମାଜିକ ଓ ସାସ୍କୃତିକ ଅବସ୍ଥାରେ ସୁଧାର ଆଣିପାରିବା ସହିତ ସହରର ସୌନ୍ଦର୍ଯ୍ୟୀକରଣ ଆଦି ବିକାଶ ଦିଗରେ ସହାୟକ ହୋଇ ପାରିବ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ରାଜ ଶିବନାରାୟଣ କିସ୍କୁ ଏବଂ ପୌରପାଳିକାର କର୍ମଚାରୀ ଓ ସ୍ଥାନୀୟ ହିତାଧିକାରୀ ମାନେ ଉପସ୍ଥିତ ରହିଥିଲେ ।