ଝାରସୁଗୁଡ଼ା :(ସୁଭାଷ ସହାରେ) : ସତେଇଶ ପୁରି ଅଠେଇଶ ଚାଲିଲା। ଜିଲ୍ଲା ଭାବରେ ଘୋଷଣା ହେବା ପୂର୍ବରୁ ଏବଂ ପରେ ସମ୍ପୂର୍ଣ୍ଣ ଅବୟବ ପରିବର୍ତ୍ତନ ହୋଇଯାଇଛି। ପୂର୍ବରୁ ଶିଳ୍ପନଗରୀ ଭାବେ ପରିଚୟ ପାଇଥିବା ଝାରସୁଗୁଡ଼ା ବର୍ତ୍ତମାନ ବର୍ତ୍ତମାନ କେବଳ ରାଜ୍ୟର ନୁହେଁ, ସମଗ୍ର ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ଶିଳ୍ପାନୁଷ୍ଠାନ ଯୋଗୁଁ। ଏକ ଛୋଟ ଏରୋଡ୍ରମ ଥିବା ଝାରସୁଗୁଡ଼ାରେ ବର୍ତ୍ତମାନ ଏକ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର। ସମସ୍ତ କ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଝାରସୁଗୁଡ଼ାକୁ ନେଇ ସ୍ବପ୍ନ ଦେଖିଥିବା ଏହାର ପ୍ରତିଷ୍ଠାତାମାନେ ଏହି ଜିଲ୍ଲାର ଭବିଷ୍ୟତକୁ ନେଇ ବେଶ ଆଶାବାଦୀ।
ଝାରସୁଗୁଡ଼ା ଜିଲ୍ଲାର ଗଠନ ଦିନ ଏହାକୁ ସ୍ମରଣୀୟ ରଖିବା ପାଇଁ ଏକ ଭିନ୍ନ ଯୋଜନା କରିଥିଲେ ଏହି ଜିଲ୍ଲାର ପ୍ରତିଷ୍ଠା ପାଇଁ ଦିନରାତି ପରିଶ୍ରମ କରିଥିବା ବ୍ୟକ୍ତିମାନେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଓଜନ ବରାବର ୩୩୦ ୟୁନିଟ୍ ବରାବର ରକ୍ତଦାନ କରାଯାଇଥିଲା। ତରାଜୁର ଗୋଟିଏ ପଟେ ବିଜୁ ବାବୁ ଓ ଅନ୍ୟପଟେ ରକ୍ତ। ବେଶ୍ ଭାବପ୍ରବଣତା ଭରା ପରିସ୍ଥିତି ସୃଷ୍ଟି ହୋଇଥିଲା ସେ ସମୟରେ।
ଝାରସୁଗୁଡ଼ା ଜିଲ୍ଲା ଗଠନରେ ସେ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୂଖ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ବର୍ତ୍ତମାନର ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି, କାନ୍ତି ମୂଖାର୍ଜୀ,ତାପସ କୁମାର ରାୟ ଚୌଧୁରୀ, ଦଣ୍ଡପାଣି ନାୟକ, ଗୌରୀ ଶଙ୍କର ଅୱସ୍ତି,ବିଜୟ ବେହେରା, ନାରାୟଣ ମହାପାତ୍ର, ସନ୍ଦୀପ ଅବସ୍ତି, ପପ୍ପୁ ଶର୍ମା, ମିତ୍ରଭାନୁ ପାଟଯୋଶୀ,ସିନ୍ଧୁ ମହାନ୍ତି, ରାମୁ ଶୁକ୍ଲା,ରବି ପାଣି ପ୍ରଭୃତିଙ୍କ ପ୍ରମୁଖ ଭୂମିକା ରହିଥିଲା। ପ୍ରଥମେ ସମ୍ବଲପୁର ଜିଲ୍ଲାକୁ ତିନୋଟି ଜିଲ୍ଲାରେ ଭାଗ କରିବା ପାଇଁ ଯୋଜନା କରିଥିବା ବେଳେ ଏହି ବ୍ୟକ୍ତିମାନଙ୍କ ପ୍ରୟାସରେ ଶେଷରେ ବିଜୁ ପଟ୍ଟନାୟକ ଝାରସୁଗୁଡ଼ାକୁ ମଧ୍ୟ ଏକ ସ୍ବତନ୍ତ୍ର ଜିଲ୍ଲା ଭାବରେ ଘୋଷଣା କରି ସମସ୍ତଙ୍କୁ ଚକିତ କରାଇ ଦେଇଥିଲେ।
ଏଥିପାଇଁ ବିଶେଷ ଭାବରେ ଶ୍ରୀ କିଶୋର କୁମାର ମହାନ୍ତିଙ୍କ ପ୍ରୟାସକୁ ଅନେକ ପ୍ରଶଂସା କରନ୍ତି, ଜିଲ୍ଲା ଆନ୍ଦୋଳନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପୂର୍ବତନ ନଗରପାଳ ତଥା ବିଜେଡିର ବରିଷ୍ଠ ନେତା ତାପସ କୁମାର ରାୟ ଚୌଧୁରୀ। ତାଙ୍କ କହିବା ଅନୁଯାୟୀ, ବିଜୁବାବୁଙ୍କ ସ୍ବପ୍ନ ଥିଲା ଝାରସୁଗୁଡ଼ାକୁ ଏକ ଶିଳ୍ପପ୍ରଧାନ ଜିଲ୍ଲା ଭାବରେ ଗଢ଼ିବା।ସମ୍ବଲପୁରରୁ ରାଉରକେଲା ପର୍ଯ୍ୟନ୍ତ ଯାଇଥିବା ଏକ୍ସପ୍ରେସ୍ ୱେ ର ମୂଳଦୁଆ ସେ ପକାଇ ଝାରସୁଗୁଡ଼ା,ସମ୍ବଲପୁର ଓ ସୁନ୍ଦରଗଡ଼ ମଧ୍ୟରେ ଗମନାଗମନର ଏକ ଉନ୍ନତ ବ୍ୟବସ୍ଥା କରିଥିଲେ। ଏହା ବ୍ୟତୀତ ଓପିଜିସି ପ୍ରକଳ୍ପ ଆରମ୍ଭ କରି ବିଦ୍ୟୁତ ସରବରାହ କ୍ଷେତ୍ରରେ ସେ ଯେଉଁ ବ୍ୟବସ୍ଥା କରି ଯାଇଛନ୍ତି,ତାହାଦ୍ବାରା ଝାରସୁଗୁଡ଼ାବାସୀ ଅନେକ ଉପକୃତ ହୋଇପାରୁଛନ୍ତି। ଏହାପରେ ସେ ମୂଖ୍ୟମନ୍ତ୍ରୀ ହୋଇ ନପାରିବାରୁ ଝାରସୁଗୁଡ଼ା ଜିଲ୍ଲାରେ ବାମଣ୍ଡାକୁ ମିଶାଇବା ତାଙ୍କର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ ବୋଲି ଶ୍ରୀ ଚୌଧୁରୀ କହନ୍ତି।
ତେବେ ଦ୍ରୁତ ଶିଳ୍ପାୟନ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ପ୍ରଦୂଷଣର ଶିକାର ହୋଇଥିବା ଅଭିଯୋଗ ଆଣନ୍ତି କିଛି ବ୍ୟକ୍ତି ଓ ସଂଗଠନ। କିନ୍ତୁ ଶିଳ୍ପାୟନର ସପକ୍ଷବାଦୀ କହିବା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ଦ୍ବାରା ଲୋକଙ୍କର ଆର୍ଥିକ ବିକାଶକୁ କେହି ଅସ୍ୱୀକାର କରି ପାରିବେ ନାହିଁ। ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିଛି, ଲୋକଙ୍କ କ୍ରୟଶକ୍ତି ବଢ଼ିଛି, ପୂର୍ବ ଅପେକ୍ଷା ଲୋକଙ୍କର ବର୍ତ୍ତମାନ ପରିସ୍ଥିତିରେ ଢେର ଉନ୍ନତି ହୋଇଛି। କିଛି ନକାରାତ୍ମକ ଫଳାଫଳକୁ ଅସ୍ବୀକାର କରି ହେବ ନାହିଁ, ମାତ୍ର ଶିଳ୍ପାୟନ ଦ୍ବାରା ଝାରସୁଗୁଡ଼ାର ଉନ୍ନତି ହୋଇଥିବା କଥାକୁ ମଧ୍ୟ କେହି ଅଣଦେଖା କରି ପାରିବେ ନାହିଁ ବୋଲି ସେମାନଙ୍କ ମତ।
"ରକ୍ତ ବନାମ ପାଉଁଶ" ନାମରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ପୋଷ୍ଟର। ଝାରସୁଗୁଡ଼ା ଜିଲ୍ଲାବାସୀ ରକ୍ତଦାନ କରି ଜିଲ୍ଲା ପାଇଥିବା ଏବଂ ତା ବଦଳରେ ସେମାନଙ୍କୁ ପାଉଁଶ ମିଳୁଛି ବୋଲି ଏହି ପୋଷ୍ଟରରେ କୁହାଯାଇଛି। ଏହାକୁ ଖଣ୍ଡନ କରି ଶ୍ରୀ ଚୌଧୁରୀ କହନ୍ତି, ପ୍ରଦୂଷଣ ଯେ ଏକ ଚିନ୍ତାଜନକ ବିଷୟ, ଏହା ମନା କରି ହେବ ନାହିଁ। ଏହାର ପ୍ରତିକାର କରିବା ପାଇଁ ଯାହା ପଦକ୍ଷେପ ନେବା କଥା ନିଆଯିବ, ମାତ୍ର ଏଥିପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ଶିଳ୍ପପ୍ରତିଷ୍ଠାନମାନଙ୍କୁ ବନ୍ଦ କରାଯାଇ ପାରିବ କି? ଏହାଦ୍ୱାରା ଏତେ ଲୋକ ହଠାତ ରୋଜଗାର ହରାଇବେ, ସେମାନଙ୍କୁ ରୋଜଗାର ଦେବେ କିପରି?
ଝାରସୁଗୁଡ଼ା ଜିଲ୍ଲା ଗଠନ ବେଳେ ସମସ୍ତ ଭାଷାଭାଷୀ, ସଂପ୍ରଦାୟର ଲୋକ ଭାଗ ନେଇଥିଲେ। ଏକ ବହୁଭାଷୀ ସହର ଭାବରେ ପରିଚିତ ଝାରସୁଗୁଡ଼ା ସହରରେ ବର୍ତ୍ତମାନ କନ୍ତୁ ଏକ ଭିନ୍ନ ଧରଣର ସଂକୀର୍ଣ୍ଣ ରାଜନୀତି କରିବାର ଅପଚେଷ୍ଟା ଚଳାଇଛନ୍ତି କିଛି ଲୋକ ବୋଲି ଅଭିଯୋଗ କରନ୍ତି କିଛି ବ୍ୟକ୍ତି। ଯେଉଁମାନଙ୍କ ଜିଲ୍ଲା ଗଠନରେ କୌଣସି ଭୂମିକା ନଥିଲା, ବା ଯେଉଁମାନେ ଏଠାରେ ଜନ୍ମ ନେଇ ନାହାଁନ୍ତି,ଯେଉଁମାନଙ୍କ ଏଠାକାର ଇତିହାସ ଓ ସଂସ୍କୃତି ସହିତ କୌଣସି ଜ୍ଞାନ ନାହିଁ, ସେମାନେ ଏହିପ୍ରକାର ହୀନ ରାଜନୀତି କରିବାକୁ ପ୍ରୟାସ କରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରି କହନ୍ତି ଜଣେ ଅତି ବରିଷ୍ଠ ନାଗରିକ। କିନ୍ତୁ ଝାରସୁଗୁଡ଼ା ଏହି ପ୍ରକାରର ଲୋକଙ୍କୁ କେବେ ସ୍ବୀକାର କରିନାହିଁ ଏବଂ ଭବିଷ୍ୟତରେ ମଧ୍ୟ କରିବ ନାହିଁ ବୋଲି ସେ କହିଛନ୍ତି। ସମସ୍ତେ ମିଶି ଝାରସୁଗୁଡ଼ା ଜିଲ୍ଲାର ଉନ୍ନତି ପାଇଁ ଚିନ୍ତା କରିବା ଉଚିତ୍। ଏବେ ତ ମାତ୍ର ଷୋହଳ ବର୍ଷ ପୁରିଛି, ଆଗକୁ ଆହୁରି ଅନେକ କାର୍ଯ୍ୟ ବାକି ଅଛି ବୋଲି ଅନେକଙ୍କ ମତ।
ତେବେ ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ ତଥା ଝାରସୁଗୁଡ଼ା ମହୋତ୍ସବ "ଦୁଲଦୁଲି" ପ୍ରତିବର୍ଷ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଆସୁଛି। ମାତ୍ର ଏ ବର୍ଷ କୋରୋନା ମହାମାରୀର ପ୍ରକୋପ ଯୋଗୁଁ ଏହାକୁ କେଵଳ ଗୋଟିଏ ଦିନ ପାଳନ କରିବାକୁ ସ୍ଥିର କରିଛନ୍ତି। ଏହି ବର୍ଷର ମହୋତ୍ସବକୁ କୋରୋନା ଯୋଗୁଁ ପ୍ରାଣ ହରାଇଥିବା ସାଧାରଣ ଜନତା ଓ ଏହି ମହାମାରୀ ବିରୋଧରେ ସଂଗ୍ରାମ କରି ପ୍ରାଣବଳୀ ଦେଇଥିବା କୋରୋନା ଯୋଦ୍ଧାଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଅବସରରେ ରକ୍ତ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।
ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ବତନ୍ତ୍ର ପ୍ରସ୍ତୁତି।