ଭୁବନେଶ୍ୱର(ଶାସକ ପ୍ରଶାସକ) ସମଗ୍ର ବିଶ୍ୱବାସୀଙ୍କ ପାଇଁ ୨୦୨୦ ବର୍ଷ ସ୍ମରଣୀୟ ହୋଇ ରହିବ। ୨୦୨୦ର ପ୍ରଥମ ଦୁଇ ମାସ ଭାରତ ତଥା ଓଡ଼ିଶାବାସୀଙ୍କ ପାଇଁ ଭଲରେ କଟିଥିବା ବେଳେ ମାର୍ଚ୍ଚ ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ କରୋନା ମହାମାରୀ ସମସ୍ତଙ୍କୁ କୌଣସି ନା କୌଣସି ପ୍ରକାର ପ୍ରଭାବିତ କରିଛି। ଏଥିରୁ ବାଦ ପଡ଼ିନି କିଟ୍ ଓ କିସ୍ । ତେବେ ୨୦୨୦ କିଟ୍ ଓ କିସ୍ ପାଇଁ ଘଟଣାବହୁଳ ଓ ସଫଳତାର ବର୍ଷ ଥିଲା।
ଶିକ୍ଷା ଓ ଗବେଷଣାଠାରୁ ଆରମ୍ଭ କରି କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ କିଟ୍ ଓ କିସକୁ ମିଳିଥିଲା ଅନେକ ସମ୍ମାନ ଓ ସ୍ୱୀକୃତି। କିଟ ଫେବୃଆରୀ ମାସରେ ଆୟୋଜନ କରିଥିଲା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଖେଳାଳି, କୋଚ ଓ ଅଫିସିଆଲଙ୍କ ରହିବା, ଖାଇବା ଓ ପରିବହନ ବ୍ୟବସ୍ଥାକୁ ଅତି ସୁନ୍ଦର ଓ ସୁବ୍ୟବସ୍ଥିତ ଢ଼ଙ୍ଗରେ ପରିଚାଳନା କରିଥିଲା କିଟ୍। ଏଥିରେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରିଥିଲେ। ୧୦୦ମିଟର ଓ ୨୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ରଗବୀ ବାଳିକା ବିଭାଗରେ କିଟ୍ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ସେହିପରି ତୀରନ୍ଦାଜୀରେ କିସ୍ ଛାତ୍ର ରଞ୍ଜିତ ନାୟକ ବ୍ୟକ୍ତିଗତ ବିଭାଗରେ ରୌପ୍ୟ ପଦକ ହାସଲ କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ଗୋଷ୍ଠୀଗତ ଭାବେ ସ୍ୱର୍ଣ୍ଣ ପଦକ ପାଇଥିଲା।
ଏହାର ଠିକ୍ ପରେ ପରେ କିଟରେ ଆୟୋଜିତ ହୋଇଥିଲା ୨୫ତମ ସର୍ବଭାରତୀୟ ବନବିଭାଗ କ୍ରୀଡ଼ା। ସମଗ୍ର ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ବନ ବିଭାଗର ଅଧିକାରୀ ଓ କ୍ରୀଡ଼ାବିତ୍ମାରନେ କିଟର ଆୟୋଜନ ଓ କ୍ରୀଡ଼ା ଭିତ୍ତିଭୂମି ଓ ମନୋଲୋଭା ପରିବେଶ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ।
ଭାରତରେ ଓ ଓଡ଼ିଶାରେ କରୋନା ଆସିବାର ସୂଚନା ପାଇବା ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଆଗୁଆ ଓ ତ୍ୱରିତ ପଦକ୍ଷେପ ସ୍ୱରୂପ ତାଙ୍କ ପରାମର୍ଶ କ୍ରମେ କିସର ୩୦ ହଜାର ଛାତ୍ରଛାତ୍ରୀ ଓ କିଟ୍ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଭାରତ ଓ ଓଡ଼ିଶାରେ ତାଲାବନ୍ଦ ଘୋଷଣା ହେବା ପରେ ପରେ ସମସ୍ତ ସ୍କୁଲ୍ କଲେଜରେ ପାଠ ପଢ଼ା ଠପ୍ ହୋଇଯାଇଥିବା ବେଳେ କିଟ୍ ଓ କିସ୍ ହେଉଛି ଭାରତର ଦୁଇଟି ପ୍ରଥମ ଅନୁଷ୍ଠାନ ଯେଉଁଠାରେ ଅନଲାଇନରେ ପିଲାଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରାଯାଇଥିଲା। କିସର ୩୦ ହଜାର ଛାତ୍ରଛାତ୍ରୀ ଘରେ ରହୁଥିଲେ ମଧ୍ୟ ମାସକୁ ମାସ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ନିକଟରେ ଶୁଖିଲା ଖାଦ୍ୟ ସାମଗ୍ରୀ ସହ ପାଠ୍ୟୋପକରଣ ଓ ପାଠ୍ୟପୁସ୍ତକ ପହଞ୍ଚାଇ ଦିଆଯାଉଛି। କେବଳ ଅନଲାଇନ ନୁହେଁ, କଳିଙ୍ଗ ଟିଭି ମାଧ୍ୟମରେ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶିକ୍ଷାଦାନ କରାଯାଉଛି। ଏହା ଦ୍ୱାରା କେବଳ କିସ୍ ଛାତ୍ରଛାତ୍ରୀ ନୁହଁନ୍ତି, ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇ ପାରୁଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ, କେବେ ବି କିଟ୍ ଓ କିସ୍ ତାର ସାମାଜିକ ଦାୟିତ୍ୱବୋଧକୁ ଭୁଲିନାହିଁ। ତାଲାବନ୍ଦ ଯୋଗୁଁ ଅସୁବିଧାରେ ଥିବା ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କ ନିକଟରେ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛି କିଟ୍ ଓ କିସ୍। କେବଳ ସେତିକି ନୁହେଁ, ତାଲାବନ୍ଦ ସମୟରେ କାର୍ଯ୍ୟରତ ପୋଲିସ୍ ଓ ଅନ୍ୟ କରୋନା ଯୋଦ୍ଧାଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ କିଟ୍ ପକ୍ଷରୁ ପ୍ରଦାନ କରାଯାଇଥିଲା। ପ୍ରାୟ ୩ ଲକ୍ଷ ଅସହାୟ ଓ ଗରିବ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ସାମଗ୍ରୀ, ମାସ୍କ, ସାବୁନ୍, ସାନିଟାଇଜର, ସାନିଟାରୀ ନାପକିନ ଆଦି ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏଭଳି ଅସମୟରେ ଭୁବନେଶ୍ୱରରେ ବିଭିନ୍ନ ହୋଟେଲ୍ ଆଦି ବନ୍ଦ ହୋଇ ଯାଇଥିବାରୁ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବା ପଶୁ ପକ୍ଷୀଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଭୁଲି ନଥିଲା କିଟ୍ ଓ କିସ୍। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାରି ରହିଥିଲା ଏହି ସବୁ କାର୍ଯ୍ୟ।
ସେହିପରି ବାପା ମାଆ ଛେଉଣ୍ଡ କିମ୍ବା ଅନ୍ୟାନ୍ୟ କାରଣରୁ ଅସହାୟ ହୋଇପଡ଼ିଥିବା ୧ଶହରୁ ଊର୍ଦ୍ଧ୍ୱ ଅସହାୟ ପିଲାଙ୍କୁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍। କରୋନା ସମୟରେ ସେମାନଙ୍କ ଚଳିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହ ସେହି ପିଲାଙ୍କ ପାଠପଢ଼ା ଦାୟିତ୍ୱ ବହନ କରିଛି କିସ୍ ଫାଉଣ୍ଡେସନ୍।
ଓଡ଼ିଶାରେ କରୋନାରେ ବାପା କିମ୍ବା ମାଆଙ୍କୁ ହରାଇଥିବା ପିଲାଙ୍କୁ ବିନାଦେୟରେ କିଟ୍ ବିଶ୍ୱବିଦ୍ୟାଳୟରେ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ଐତିହାସିକ ପଦକ୍ଷେପ ନେଇଥିଲେ। ଚଳିତବର୍ଷ କରୋନାରେ ବାପା ମାଆଙ୍କୁ ହରାଇଥିବା ଅନେକ ଛାତ୍ରଛାତ୍ରୀ କିଟ୍ ବିଶ୍ୱବିଦ୍ୟାଳୟରେ ବିନାଦେୟରେ ପାଠ ପଢ଼ିବାର ସୁଯୋଗ ଲାଭ କଲେ।
କରୋନା ମୁକାବିଲା ନିମନ୍ତେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗୁଆ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ଖୋଲିବା ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସାମିଲ୍ ହୋଇଥିଲା କିମସ। ଓଡ଼ିଶାରେ ପ୍ରଥମ କରି କିମସରେ ୫ଶହ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ। ପରେ ପରେ କିମସ ପରିଚାଳନରେ କିସ୍-ବଲାଙ୍ଗୀର, କିସ୍-ମୟୂରଭଞ୍ଜ ଓ ଫୁଲବାଣୀଠାରେ ମୋଟ ୪ଟି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ଖୋଲଯାଇ କରୋନା ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଗଲା।
୨୦୨୦ ବର୍ଷ କିଟ୍କୁ ଆଣି ଦେଇଛି ଅନେକ ସଫଳତା। କିମସକୁ ମୋଷ୍ଟ ଇନୋଭେଟିଭ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ ପୁରସ୍କାରଠାରୁ ଆରମ୍ଭ କରି କିଟ୍ ବିଶ୍ୱବିଦ୍ୟାଳୟ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର, କ୍ୟୁଏସ୍ଆଇ ଡିଏଲ୍ ଶାହା କ୍ୱାଲିଟି ପୁରସ୍କାର, ଆୱାର୍ଡସ ଏସିଆ-୨୦୨୦ ପୁରସ୍କାର, ଅଟଳ ରାଙ୍କିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇନୋଭେସନ୍ ଆଚିଭମେଣ୍ଟସ ପୁରସ୍କାର, ଟାଇମସ ହାଇଅର ଏଜୁକେସନ୍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗ ଆଦି ସମ୍ମାନଜନକ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି। ଏହା ବ୍ୟତୀତ କିଟ୍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ଚଳିତବର୍ଷର ଅର୍ଜୁନ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି। ଅନ୍ ଷ୍ଟପେବଲ୍ ୱିମେନ୍ ଅଫ୍ ରଗବୀ ଇଣ୍ଡିଆ ପାଇଁ ସମଗ୍ର ଏସିଆ ମହାଦେଶରୁ ୩ ଜଣ ମନୋନୀତ ହୋଇଥିବା ବେଳେ ସେଥିରେ ରହିଛନ୍ତି କିସ୍ ଛାତ୍ରୀ ସୁମିତ୍ରା ନାୟକ। ଅନ୍ୟ ପକ୍ଷରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସିଏସ୍ଆ୍ଇ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର, ଇକଫାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ଓ ଜୀବନ ଗୌରବ ସମ୍ମାନ ପ୍ରଦାନ କରାଯିବା କିଟ୍ ଓ କିସ୍ ପାଇଁ ଗର୍ବ ଓ ଗୌରବର ବିଷୟ। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୋତ୍ସାହନ ଓ କାର୍ଯ୍ୟ ନିମନ୍ତେ ଶ୍ରୀ ସାମନ୍ତ ସର୍ବସମ୍ମତି କ୍ରମେ ଭାରତୀୟ ଭଲିବଲ୍ ଫେଡେରେସନର ସଭାପତି ନିର୍ବାଚିତ ହୋଇଛନ୍ତି।
କିଟ୍ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି । କୋଭିଡ୍ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ସକାଶେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କୋଭିଡ଼ ପରବର୍ତ୍ତୀ ପୁନର୍ବିକାଶ ଓ ଥଇଥାନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ବିଭାଗରେ ଭାରତର ପ୍ରଥମ ଓ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯାଇଛି।
କିଟ୍ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନସିଲ ଇଣ୍ଡିଆ (କ୍ୟୁସିଆଇ)- ଡିଏଲ୍ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ କ୍ୟୁସିଆଇ- ଡିଏଲ୍ ଶାହ ଟ୍ରଷ୍ଟ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏସ୍.ଏ.ପି କାର୍ଯ୍ୟକାରୀ କରିବା କ୍ଷେତ୍ରରେ କିଟ୍ ହେଉଛି ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ।
ଟାଇମସ ହାଇଅର୍ ଏଜୁକେସନ୍ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ‘ଆୱାର୍ଡସ ଏସିଆ ୨୦୨୦’ ପୁରସ୍କାର ଘୋଷଣା କରାଯାଇଛି। ଏହି ଗୌରବ ଅର୍ଜନ କରିବାରେ କିଟ୍ ହେଉଛି ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ। ଚଳିତବର୍ଷ ‘ୱାର୍କପ୍ଲେସ୍ ଅଫ୍ ଦି ଇଅର’ ଭାବେ ସମଗ୍ର ଏସିଆ ମହାଦେଶରେ ଭାରତରୁ କିଟ୍ ହେଉଛି ଏକମାତ୍ର ଅନୁଷ୍ଠାନ।
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଂ ଅଫ୍ ଇନଷ୍ଟିଚ୍ୟୁସନସ‘ ଅନ୍ ଇନୋଭେସେନ୍ ଆଚିଭମେଣ୍ଟରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ବିବେଚିତ ହୋଇଛି।
ଟାଇମସ ବିବିଏ ଏଜୁକେସନ୍ ରାଙ୍କିଙ୍ଗ ସର୍ଭେରେ ସମଗ୍ର ଦେଶରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ (କେଏସ୍ଓୋଏମ୍) ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ସମଗ୍ର ଭାରତରେ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେ କରାଯାଇଥିଲା।
ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗଭର୍ଣ୍ଣିଂ କାଉନସିଲ ଅଫ୍ ନ୍ୟାସନାଲ ଟିଚର୍ସ କଂଗ୍ରେସ ପକ୍ଷରୁ ‘ଜୀବନ ଗୌରବ ପୁରସ୍କାର’ ପ୍ରଦାନ କରାଯାଇଛି। ସେହିପରି କମ୍ପ୍ୟୁଟର୍ ସୋସାଇଟି ଅଫ୍ ଇଣ୍ଡିଆ (ସିଏସ୍ଆୱଇ) ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ଚଳିତବର୍ଷ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ କିଟ୍ ଓ କିମସର ଅନେକ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ପୁରସ୍କୃତ ଓ ସମ୍ମାନୀତ ହୋଇଥିବା ବେଳେ ଅନେକଙ୍କ ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ଆନ୍ତର୍ଜାତିକ ପତ୍ରିକାରେ ସ୍ଥାନ ପାଇପାରିଛି। କରୋନା ମହାମାରୀ ସମୟରେ ଦେଶରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଥିବା ବେଳେ କିଟ୍ର୍ ୨୦୨୦ ବର୍ଷର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ପ୍ଲେସମେଣ୍ଟ ଜରିଆରେ ଶତପ୍ରତିଶତ ନିଯୁକ୍ତି ସୁଯୋଗ ମିଳିପାରିଛି। କେବଳ ସେତିକି ନୁହେଁ ବର୍ତ୍ତମାନ ସୁଦ୍ଧା ୨୦୨୧ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହେବାକୁ ଥିବା ୮୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିସାରିଲାଣି।