ଭୁବନେଶ୍ୱର,(ଶାସକ ପ୍ରଶାସକ) : ଦୁଇ ଦିନିଆ ଷଷ୍ଠ ଆଇଇଇଇ ଇଣ୍ଟରନ୍ୟାସନାଲ ୱିମେନ୍ ଇନ୍ ଇଞ୍ଜିନିୟରିଂ (ଡବ୍ଲୁଆଇଇ) କର୍ମଶାଳା (ୱିକନ୍ଇସିଇ) ରବିବାର ଶେଷ ହୋଇଥିବା ବେଳେ ଏହି କର୍ମଶାଳାରେ ବିଭିନ୍ନ ଦେଶର ବିଶିଷ୍ଟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଇନଷ୍ଟିଟ୍ୟୁଟ ଅଫ୍ ଇଲେକ୍ଟି୍ରକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ହେଉଛି ବିଶ୍ୱର ବୃହତମ ବୈଷୟିକ ବୃତିଗତ ଅନୁଷ୍ଠାନ ଯାହାକି ମଣିଷ ସମାଜର ଉନ୍ନତି ନିମନ୍ତେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିବା ନେଇ ଉତ୍ସର୍ଗୀକୃତ । ତେବେ ଡବ୍ଲୁଆଇଇ ବିଶ୍ୱବ୍ୟାପୀ ମହିଳା ଇଞ୍ଜିନିୟର ମାନଙ୍କର ସହଭାଗିତା ନେଇ କାର୍ଯ୍ୟ କରୁଛି ।
ଏହି ସମ୍ମିଳନୀ ଆଇଇଇଇ ବାଂଲାଦେଶ ଶାଖା, ଆଇଇଇଇ କୋଲ୍କାତା ଶାଖା ଏବଂ ଆଇଇଇଇ ଭୁବନେଶ୍ୱର ଉପଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ବେଳେ ଇଲେକ୍ଟି୍ରକାଲ୍ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର୍ ସାଇନ୍ସ କ୍ଷେତ୍ରର ଆଗଧାଡିର ଶିକ୍ଷା ଗବେଷକ ଏବଂ ସ୍କଲାରମାନଙ୍କୁ ଏକାଠି କରିବାର ଲକ୍ଷ୍ୟ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ୱିକନ୍ -୨୦୨୦ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା । ଏହି କର୍ମଶାଳା ଗବେଷକ, ଶିକ୍ଷାବିତମାନଙ୍କୁ ଏକାଠି କରିବା ସହ ଇଲେକ୍ଟି୍ରକାଲ୍ ଓ କମ୍ପ୍ୟୁଟର ଇଞ୍ଜିନିୟରିଂକ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା କରାଯାଇଥିଲା । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହି କର୍ମଶାଳାକୁ ଭର୍ଚୁଆଲ ମୋଡରେ ଆୟୋଜନ କରାଯାଇଥିଲା ବୋଲି ପ୍ରଫେସର ଶର୍ମା କହିଛନ୍ତି ।
କାନାଡା ସ୍ଥିତ ସାଇମନ୍ ଫ୍ରେଜର ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଆଇଇଇଇର ଲାଇଫ୍ ଫେଲୋ ପ୍ରଫେସର ଲିଜାନା ଟ୍ରାଜ୍କୋଭିକ୍ ଏବଂ ଆଇଇଇଇ ରିଜିଅନ୍ ୧୦ ନିର୍ଦ୍ଦେଶକ ପ୍ରଫେସର ଆକିନୋରି ନିଶିହାରା କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଇଇଇ ଇଣ୍ଡିଆ କାଉନ୍ସିଲର ଚେୟାର ପ୍ରଫେସର ଏସ୍.ଏନ୍, ସିଂହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଉଦ୍ଜାପନୀ କାର୍ଯ୍ୟକ୍ରମରେ ୟୁଏସ୍ଏ ସ୍ଥିତ ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର ନୋଏଲ୍ ଏନ୍. ସ୍କଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୟୁଏସ୍ଏ ସ୍ଥିତ କାନ୍ସସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବୋଜେନା ପାସିକ୍-ଡନକାନ୍ ଏବଂ ଆଇଇଇଇ ଇଣ୍ଡିଆନ୍ କାଉନ୍ସିଲର ଚେୟାର-ଇଲେକ୍ଟ ଶ୍ରୀ ସୁରେଶ ନାୟର୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଆଇଆଇଟି ଦିଲ୍ଲୀର ପ୍ରଫେସର ଜି. ଭୁବନେଶ୍ୱରୀ ଏବଂ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନଷ୍ଟିଟ୍ୟୁଟ କୋଲକାତାର ପ୍ରଫେସର ସୁଶ୍ମିତା ମିଶ୍ର ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଆନ୍ଟେନା, ମାଇକ୍ରୋୱେଭ୍ ଆଣ୍ଡ ଆର୍ଏଫ୍ ଇଞ୍ଜିନିୟରିଂ, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, କମ୍ପ୍ୟୁଟର୍ ନେଟୱର୍କସ ସିକ୍ୟୁରିଟି ଆଣ୍ଡ ଆଇଓଟି, ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ବାୟୋଇନ୍ଫୋମାଟିକ୍ସ, କ୍ଲାଉଡ୍, ବିଗ୍ ଡାଟା ଆଣ୍ଡ ଆଇସିଟି, ପାୱାର ଇଲେକ୍ଟେ୍ରାନିକ୍ସ, ରୋବୋଟିକ୍ସ, କଂଟ୍ରୋଲ୍ ଆଣ୍ଡ ଅଟୋମେସନ୍ ଓ ୱେୟାରଲେସ୍ ଆଣ୍ଡ ଅପ୍ଟିକାଲ୍ କମ୍ୟୁନିକେସନ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା । କର୍ମଶାଳାରେ ୪୦୦ରୁ ଅଧିକ ସନ୍ଦର୍ଭ ପ୍ରଦାନ କରାଯାଇଥିବା ବେଳେ ୧୧୫ଟି କୁ ଗ୍ରହଣ କରାଯାଇଥିବା ପ୍ରଫେସର ଶର୍ମା କହିଛନ୍ତି । ଏହି ସମ୍ମିଳନୀ ମଧ୍ୟରେ ଆଇଇଇଇ ପାୱାର ଆଣ୍ଡ ଏନର୍ଜି ସୋସାଇଟି (ପିଇଏସ୍), ୱିମେନ୍ ପାୱାର ସବ୍ମିଟ୍ ଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ ଛାତ୍ରୀମାନେ ସେମାନଙ୍କର ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ । ଆଇଇଇଇ ବାଂଲାଦେଶ ଶାଖାର ଚେୟାର ପ୍ରଫେସର ସେଲିଆ ସାହାନାଜ୍ ଏବଂ ୱକନ୍-୨୦୨୦ର ଟେକ୍ନିକାଲ୍ ପ୍ରୋଗ୍ରାମ୍ ଚେୟାର ପ୍ରଫେସର ସେଖ୍ ଏ. ଫତାହା ଏହି କର୍ମଶାଳାର ମୁଖ୍ୟ ମାର୍ଗଦର୍ଶକ ଥିବା ବେଳେ କାର୍ଯ୍ୟକ୍ରମଟିକୁ ସଫଳ କରିବା ଦିଗରେ ଆଇଇଇଇ ଭୁବନେଶ୍ୱର ଉପଶାଖାର ଚେୟାର ପ୍ରଫେସର ଏ.କେ. ତ୍ରିପାଠୀ, ସଚିବ ପ୍ରଫେସର ଶୁଭ୍ରାଂଶୁ ସାମନ୍ତରାୟ ଏବଂ ଅର୍ଗାନାଇଜିଂ ଚେୟାର ପ୍ରଫେସର ତନ୍ମୟ ଆର୍. ଚୌଧୁରୀ ଅନେକ ସହଯୋଗ କରିଥିଲେ ।