ହେଡଲାଇନସ୍:

ପୋଷକୁ ନେଇ ରୋଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରରେ ପୋଷ ରୀତିନୀତିରେ ବିଘ୍ନକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ

ବାରିପଦା(ଦିଲ୍ଲୀପ ମହାନ୍ତି )- ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ରାଜତନ୍ତ୍ରର ବିଲୋପ ଘଟି ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ଜାନୁଆରୀ ୨ରେ ମୟୂରଭଞ୍ଜ  ଓଡ଼ିଶା ପ୍ରଦେଶ ଅଧଯୀନରେ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେଲା । ଏଥି ନିମନ୍ତେ ଭାରତ ସରକାର, ଓଡ଼ିଶା ସରକାର ଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ମଧ୍ୟରେ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତିନାମା ଅନୁସାରେ ବାରିପଦାରେ ଥିବା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସହିତ ସମସ୍ତ ମନ୍ଦିର ଓ ମଠ ଗୁଡ଼ିକରେ ପୂଜାପାଇ ଆସୁଥିବା ସମସ୍ତ ଠାକୁରମାନଙ୍କ ସେବାରେ ଯେପରି ବିଘ୍ନ ନ ଘଟେ ସେଥି ନିମନ୍ତେ ମହାରାଜା ପ୍ରତାପ ଛାଡ଼ି ଦେଇଯାଇଥିଲେ ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ଏଥି ସହିତ ରାଜ ଦରବାର ଅମଳରେ ପାଳିତ ହୋଇ ଆସୁଥିବା ଦୈନନ୍ଦିନ ନୀତି ଓ ପାର୍ବଣୀ ନୀତିର ବିଷଦ ବିବରଣୀ ଏକ ରେଜିଷ୍ଟରରେ ପଞ୍ଜିକୃତ ହୋଇଥିଲା । ଯାହାକୁ ଡ଼ଉଲ ରେଜିଷ୍ଟର କୁହାଯାଉଛି । ଡ଼ଉଲ ରେଜିଷ୍ଟରେ ଲିପିବଦ୍ଧ ହୋଇଥିବା ନୀତି ଓ ପାର୍ବଣୀ ଅନୁସାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସ୍ୱତନ୍ତ୍ର ନିତ୍ୟ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ଅନୁଷ୍ଠିତ  ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତୀକ୍ରମ ପରିଲକ୍ଷିତ ହୋଇଛି । ପ୍ରତ୍ୟେକ ଦିନ ମହାପ୍ରଭୂଙ୍କ ନିକଟରେ ଭୋର ୫.୩୦ ମିନିଟରେ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଖେଚୁଡ଼ି ଠା ନୀତି  ସମ୍ପନ୍ନ ହେବାର ବିଧି ରହିଆସିଛି । ଏହି ପ୍ରସାଦ ପହଲି ଭୋଗ ବା ପୋଷ ଭୋଗ କୁହାଯାଏ । ଉକ୍ତ ପ୍ରସାଦକୁ ପାଇବା ନିମନ୍ତେ ଭକ୍ତମାନେ ପ୍ରତ୍ୟେକ ବର୍ଷ ଏହି ସମୟକୁ ଅପେକ୍ଷାରେ ରହିଥାନ୍ତି । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଘଟି ଭୋର ସାଢେ଼ ୫ ବଦଳରେ ୮ ସମୟରେ ନୀତି ସମ୍ପନ୍ନ ହେଉଛି । ଫଳରେ ମହାପ୍ରଭୂଙ୍କର ଅନ୍ୟ ସମସ୍ତ ସେବା କାର୍ଯ୍ୟ, ନୀତି ରୀତିରେ ବିଭ୍ରାଟ ହେଉଛି । ଯାହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ସେବାୟତ ତଥା ଓଡ଼ିଶା ମନ୍ଦିର ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ମହାପ୍ରଭୂଙ୍କ ସେବା କାର୍ଯ୍ୟରେ ହେଉଥିବା ବିଘ୍ନ ଓ ବିଭ୍ରାଟକୁ ନେଇ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି । 

 

0
0
0
s2sdefault