ଭୁବନେଶ୍ୱର: ଇଚ୍ଛାଶକ୍ତି ଥିଲେ ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେ, ଏଭଳି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜଗାଙ୍ଗପୁରର ଆନ୍ତର୍ଜାତୀୟ ହୁଇଲ ଚେୟାର କ୍ରିକେଟ ଖେଳାଳି ବସନ୍ତ ନିମ୍ ଶ୍ରିଷ୍ଠ । ଚାଲିବା ଶକ୍ତି ହରାଇଥିବା ଏହି ସ୍ୱତନ୍ତ୍ରକ୍ଷମ ଯୁବକ ଜଣଙ୍କ କେବଳ ଆନ୍ତର୍ଜାତୀୟ କ୍ରିକେଟ ଖେଳରେ ଦକ୍ଷତା ପ୍ରଦର୍ଶନ କରିଛନ୍ତି ତା ନୁହେ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିଛନ୍ତି |
ଗତ ୨୬ ତାରିଖ ଦିନ ରାଜଗାଙ୍ଗପୁର ଠାରେ "ଓଡିଶା ମୋ ପରିବାର-ଜୀବନ ବିନ୍ଦୁ" ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଆଉ ଏ ସାମାଜିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବସନ୍ତ । ଏହି ରକ୍ତଦାନ ଶିବିରକୁ ସେ ଉଦ୍ଘାଟନ କରିଥିବା ବେଳେ ପ୍ରଥମେ ସେ ନିଜେ ରକ୍ତଦାନ କରିବାକୁ ଆଗଭର ହୋଇଥିଲେ | ନିଜେ ରକ୍ତଦାନ କରିବା ସହ ସେ ସେଠାରେ ଉପସ୍ଥିତ ରହି ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ | ବସନ୍ତଙ୍କ ଏଭଳି ସେବା ମନୋଭାବରେ ଉପସ୍ଥିତ ଲୋକମାନେ ବେଶ ପ୍ରଭାବିତ ହୋଇଥିଲେ । ଆଉ ସେଦିନ ୧୦୮ ୟୁନିଟ ରକ୍ତ ସଂଗ୍ରହ ସହ କାର୍ଯ୍ୟକ୍ରମକୁ ମିଳିଥିଲା ବିପୁଳ ସଫଳତା |
ରକ୍ତଦାନ କ୍ଷେତ୍ରରେ ବସନ୍ତଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ସମାଜସେବା ପାଇଁ ତାଙ୍କ ଅଂଗୀକାରବଦ୍ଧତା ସକାଶେ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ | ଆଉ ଏହି କାରଣରୁ "ଓଡିଶା- ମୋ ପରିବାର" ପକ୍ଷରୁ ବସନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |