ପୁରୀ/ସ୍ୱତନ୍ତ୍ରପ୍ରତିନିଧି: ତୃତୀୟ ଦିନରେ ମହାପ୍ରଭୁଙ୍କ ଦୂର୍ଲଭ ଚକାନୟନକୁ ଦର୍ଶନ କରୁଛନ୍ତି ପୁରୀବାସୀ । ଆଖିରେ ଆଖି ମିଶାଇ ଦୀର୍ଘ ଦିନର ଦୁଃଖ, ସମସ୍ୟା, ଅଭିମାନ ଆଦିକୁ ହାତଟେକି ବଖାଣୁଛନ୍ତି ଶ୍ରୀକ୍ଷେତ୍ରବାସୀ ।ହଜି ଯାଉଛନ୍ତି ମହାପ୍ରଭୁଙ୍କର ଚକାଚକା ଆଖି ଓ ହସହସ ଶ୍ରୀମୁଖରେ ।
ମହାପ୍ରଭୁଙ୍କ ପାଖରେ ସବୁ ରାଗ ଅଭିମାନ ସରିଗଲା । ମନରେ ଅନେକ ଅଭିମାନ ନେଇ ମହାପ୍ରଭୁଙ୍କ ପାଖକୁ ଯାଇଥିଲି । ହେଲେ ଲିଳାମୟଙ୍କ ଶ୍ରୀମୁଖ ଦର୍ଶନ ପରେ ମୋର ମାନ ଅଭିମାନ ଆଦି ସବୁ ସତେ ଯେମିତି କୁଆଡେ ଉଭାଇ ଯାଇଥିଲା । ସତେ ଯେମିତି ଲାଗିଥିଲା ନିଜ ହୃଦୟକୁ ଅନେକ ଦିନପରେ ଦେଖିଲି । ସେଥିପାଇଁ ବୋଧେ ମନର ଆଭିମାନ ସବୁକୁ ଭୂଲିଗଲି ବୋଲି କହନ୍ତି ସ୍ଥାନୀୟ ବାସିନ୍ଦା ଗଗନ ପଟ୍ଟନାୟକ ।
ସୂଚନା ଥାଉକି, ଗତ ଦୁଇଦିନ ହେଲା ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ଚାଲିଛି ଶ୍ରୀଜୀଉ ମାନଙ୍କ ଦର୍ଶନ । ୱାର୍ଡ ଅନୁସାରେ ବାରି ବାରି କରି ମହାପ୍ରଭୁଙ୍କ ଦର୍ଶନର ବ୍ୟବସ୍ଥା କରାଯାଇଛି । କୋଭିଡ୍ ନିୟମ ଅନୁଯାୟୀ ଶୃଖଳିତ ଭାବେ ଦର୍ଶନ କରୁଛନ୍ତି ପୁରୀ ବାସୀ । ଗତ ଦୁଇଦିନରେ ପାଖାପାଖି ୭ ହଜାର ଲୋକେ ଦର୍ଶନର କରିଥିବା ସୂଚନା ରହିଛି । ଆଜି ୩ୟ ଦିନ ଦର୍ଶନ ଚାଲୁ ରହିଥିବା ବେଳେ ୱାର୍ଡ ନଂ ୫,୮,୧୦,୧୯ ଓ ୨୧ ରୁ ପାଖାପାଖି ୫ହଜାର ଲୋକଙ୍କ ଦର୍ଶନର ଆଶା କରାଯାଉଛି ।