ଝାରସୁଗୁଡ଼ା :(ସୁଭାଷ ସହାରେ) : ୱେସ୍କୋର ଟାଟା କମ୍ପାନୀକୁ ବିକ୍ରି ନେଇ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ଝାରସୁଗୁଡ଼ା କାର୍ଯ୍ୟବନ୍ଦ କରି ୱେସ୍କୋର ଘରୋଇକରଣ ବିରୋଧରେ ଧାରଣା ଜାରି ରଖିଛନ୍ତି।
ଝାରସୁଗୁଡ଼ା ୱେସ୍କୋର ଡିଭିଜନ ସେକ୍ରେଟାରୀ ରିତେଶ କୁମାର ପଟେଲଙ୍କ କହିବା ଅନୁଯାୟୀ, ୱେସ୍କୋକୁ ୨୫ ବର୍ଷ ପାଇଁ ସରକାରଙ୍କ ଦ୍ବାରା ଟାଟା କମ୍ପାନୀକୁ ହସ୍ତାନ୍ତର କରିବା ନେଇ କର୍ମଚାରୀ ସଂଘ ଅନେକ ଦିନରୁ ପ୍ରତିବାଦ କରି ଆସୁଛନ୍ତି। ଗତ ସାତ ଦିନ ଅର୍ଥାତ୍ ୯ ତାରିଖରୁ ସେମାନେ ସରକାରଙ୍କୁ ଆନ୍ଦୋଳନ ବିଷୟରେ ସୂଚନା ଦେଇ ଗତକାଲି ୧୬ ତାରିଖରୁ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖାଯାଇଥିଲା। ଆଜିଠାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧ ଘଣ୍ଟା ଲେଖାଏଁ କାର୍ଯ୍ୟ ବନ୍ଦ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଏହା ପୂର୍ବରୁ ୧୫ ବର୍ଷ ଧରି ରିଲାଏନ୍ସ କମ୍ପାନୀ ୱେସ୍କୋକୁ ନେବା ପରେ ମଧ୍ୟ କର୍ମଚାରୀମାନଙ୍କ ବା ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ପାରି ନଥିଲା। ମାତ୍ର ୨୦୧୫ ପରେ ସରକାର ଏହାକୁ ହାତକୁ ନେବା ପରେ କମ ସଂଖ୍ୟକ କର୍ମଚାରୀ ଥାଇ ମଧ୍ୟ ବିଭାଗ ସରକାରଙ୍କୁ ଲାଭ ଦେଇଛି। ଏହା ସତ୍ତ୍ବେ ଟାଟା କମ୍ପାନୀକୁ ଏହିପରି ଲାଭଜନକ ସଂସ୍ଥା ହାତରେ ଟେକି ଦେବା ଦ୍ଵାରା କର୍ମଚାରୀମାନଙ୍କ ଓ ଗ୍ରାହକଙ୍କ ସ୍ବାର୍ଥହାନୀ ହେବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ସରକାର ମୂଳରୁ ବିଦ୍ୟୁତ ଶୁଳ୍କ ବଢ଼ାଇବା ପଛରେ ଟାଟା କମ୍ପାନୀକୁ ଲାଭ ଦେବାରେ କୌଣସି ଭିତିରିଆ ଉଦ୍ଦେଶ୍ୟ ରହିଛି। ଆଗକୁ ମଧ୍ୟ ବିଦ୍ୟୁତ ଶୁଳ୍କ ଆହୁରି ବଢ଼ିବାର ସମ୍ଭାବନା ରହିଥିବାର ସେ ଆଶଙ୍କା ପ୍ରକାଶ କରିଛନ୍ତି। ୱେସ୍କୋର ୫୧ ପ୍ରତିଶତ ଅଂଶଧନ ଟାଟା ହାତରେ ରହିଥିବାରୁ କମ୍ପାନୀ ମନଇଚ୍ଛା ନିଷ୍ପତ୍ତି ରହିବ ଯେଉଁଥିରେ ସରକାରଙ୍କ କୌଣସି ହସ୍ତକ୍ଷେପ ରହିବ ନାହିଁ।
ୱେସ୍କୋର ଘରୋଇକରଣ ଯୋଗୁଁ କର୍ମଚାରୀମାନେ ବିଭିନ୍ନ ପ୍ରକାରର ଶୋଷଣର ଶିକାର ହେଉଛନ୍ତି। କର୍ତ୍ତବ୍ୟରତ ଥିବା ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କ ଉତ୍ତରାଧିକାରୀମାନଙ୍କୁ କୌଣସି କ୍ଷତିପୂରଣ ଓ ଚାକିରୀ ଘରୋଇ କମ୍ପାନୀ ଯୋଗାଇ ଦିଏ ନାହିଁ। ଆସନ୍ତା ସମୟରେ ଉଭୟ କର୍ମଚାରୀ ଓ ଉପଭୋକ୍ତା ଘରୋଇକରଣ ପାଇଁ ସମସ୍ୟାର ସମ୍ମୁଖୀନ ହେବେ। ତେଣୁ ସରକାରଙ୍କ ନିକଟରେ କର୍ମଚାରୀ ସଂଘ ଦାବି ରଖିଛି ଯେ ଟାଟା କମ୍ପାନୀ ହାତରେ ୱେସ୍କୋକୁ ଟେକିଦେବା ପୂର୍ବରୁ କର୍ମଚାରୀ ଓ ଉପଭୋକ୍ତାମାନଙ୍କୁ ନେଇ ସରକାର ଏକ ଜନଶୁଣାଣି ଅନୁଷ୍ଠିତ କରନ୍ତୁ ଏବଂ ସ୍ପଷ୍ଟ କରନ୍ତୁ ଯେ ୱେସ୍କୋର ଘରୋଇକରଣ ଦ୍ବାରା ସରକାର, କର୍ମଚାରୀ ଓ ଲୋକେ କ'ଣ ଲାଭ ପାଇବେ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ଗତିରେ ବ୍ୟାପିବାର ସମ୍ଭାବନା ଅଛି ବୋଲି ସଂଘ ଚେତାବନୀ ଦେଇଛି।