ହେଡଲାଇନସ୍:

ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା ଅନ୍‌ଲାଇନ୍‌ରେ ଉପଲବ୍‌ଧ ହେଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ 

ସ୍ବଚ୍ଛନ୍ଦ ବ୍ୟବସାୟ  ପାଇଁ ବିଶେଷ ସହାୟକ ହେବ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଶାସକ ପ୍ରଶାସକ ) - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶ ସ୍ବରୂପ  ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ କରିବା ସହିତ ୨୨ ପ୍ରକାର ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି |

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୫-ଟି କାର୍ଯ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ  ଏହା ହିଁ ପରିବର୍ତ୍ତନର ମାର୍ଗକୁ ଅଧିକ ସୁଗମ କରିଥାଏ | ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ (Ease of Doing Business) ପାଇଁ ବିଶେଷ ସହାୟକ ହେବ ଏବଂ ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | 

ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ  ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା ଉପଲବ୍‌ଧ ହେବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ଶିଳ୍ପସଂସ୍ଥାନ, ବ୍ୟବସାୟିକ ପ୍ରତିଷ୍ଠାନ, କ୍ଷୁଦ୍ର ଉଦ୍ୟୋଗୀ ଓ ଜନସାଧାରଣ ଉପକୃତ ହେବେ |  ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ଉପଲବ୍‌ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |

ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେବା ମନୋବୃତ୍ତି ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଗୁଡିକୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ | 

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ଆଜିର ଏହି ନୂତନ ପୋର୍ଟାଲର ଉନ୍ମୋଚନ ଓ ଅନ୍‌ଲାଇନ ସେବା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଶିଳ୍ପସମୃଦ୍ଧ ଓଡିଶା ଗଠନରେ ସହାୟକ ହେବ|  ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗ ନିଷ୍ଫାର ସହ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ |

ସୂଚନାଯୋଗ୍ୟ ଯେ ବ୍ୟବସାୟିକ ପଦ୍ଧତିର ସରଳୀକରଣକୁ ପ୍ରୋତ୍ସାହିତ କରିବାପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ନୂଚନ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି |  ଆଜିର ଏହି ୨୨ଟି ଅନ୍‌ଲାଇନ ସେବା ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଅନ୍‌ଲାଇନ ଜରିଆରେ ପଞ୍ଜୀକରଣ ପ୍ରମାଣପତ୍ର, ଲାଇସେନ୍‌ସ, କାରଖାନାର ନୂତନ ନକ୍‌ସାର ଅନୁମୋଦନ, ଲାଇସେନ୍‌ସର ବଦଳିକରଣ, ବାଷ୍ପିତ୍ର ନିରୀକ୍ଷଣ ଓ ସାମୟିକ ନବୀକରଣ ଆଦି ଅନେକ ସୁବିଧା ମିଳିପାରିବ |  ଏଥିସହିତ ପୋର୍ଟାଲରୁ ବିଭାଗ ଅଧିନସ୍ଥ ଶ୍ରମ ଆଇନ ସହିତ ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା ଓ  ପୈଠର ପରିମାଣ ସଂପର୍କରେ ସୂଚନା ମିଳିପାରିବ |

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଚିତ୍ରା ଅରମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଶ୍ରୀ ତିରୁମଲ୍ଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ପୋର୍ଟାଲ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା |

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ର ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, ଆଇ.ଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ |

0
0
0
s2sdefault