ନୃସିଂହନାଥ ଗସ୍ତରେ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଓଟିଡିସି ଅଧ୍ୟକ୍ଷା
ବରଗଡ :- ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ , ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ପରିବେଶରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିର ଅବସ୍ଥିତି । ସ୍ୱାଧୀନତା ପରଠାରୁ ଏହି ପ୍ରସିଦ୍ଧ ପୀଠର ଯେଉଁ ଗତିରେ ବିକାଶ ହେବା କଥା ତାହା ହୋଇପାରିନାହିଁ । ନୃସିଂହନାଥ ପୀଠ ଓ ଏହାର ପାରିପାର୍ଶ୍ବିକ ସ୍ଥାନ ମାନଙ୍କର ଉନ୍ନତି ପାଇଁ ପର୍ଯାପ୍ତ ପରିମାଣରେ ଭିତ୍ତିଭୂମି ରହିଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କର ଉଦ୍ୟମ କ୍ରମେ ବିଗତ ଏକ ବର୍ଷ ହେବ ଏହି ପୀଠରେ ଅନେକ କିଛି ବଦଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ପାଣ୍ଠିରୁ ମନ୍ଦିର କୁ ମିଳିଥିବା ଅର୍ଥରେ ବର୍ତ୍ତମାନ ଉନ୍ନୟନ ମୂଳକ କାମ ଆରମ୍ଭ ହୋଇଥିବା ବେଳେ । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ତୀର୍ଥଯାତ୍ରୀ ଓ ପର୍ଯଟକ ମାନଙ୍କର ପାଇଁ ଅନେକ ପ୍ରକଳ୍ପ କରାଯିବାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।
ଏହି କ୍ରମରେ ଆଜି ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ ଆର. ଯାଦବ ,ଓଟିଡିସି ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କର ଉପସ୍ଥିତରେ ବିଧାୟକ ଓଟିଡିସି ଦ୍ୱାରା ନିର୍ମିତ ଚାରିଗୋଟି ଇକୋ ଟୁରିଜୀମ କଟେଜର ଉଦଘାଟନ କରିଥିଲେ । ଏହାପରେ ବିଧାୟକଙ୍କ ସହିତ ଅଧିକାରୀ ମାନେ ପାହାଡ଼ ଉପରେ ଥିବା ଫରେଷ୍ଟ ଗେଷ୍ଟ ହାଉସକୁ ଯାଇଥିଲେ । ସେଠାରେ ବିଧାୟକ ଅଧିକାରୀମାନଙ୍କୁ ଗନ୍ଧମାର୍ଦ୍ଦନ ଓ ଏହାର ଇତିହାସ ବାବଦରେ ଓ ବର୍ତମାନ ଗନ୍ଧମାର୍ଦ୍ଦନ ପର୍ବତରେ ରହିଥିବା ବିଭିନ୍ନ ସ୍ଥାନ ବାବଦରେ କହିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ନୃସିଂହନାଥ ପୀଠରେ ଥିବା ପ୍ରାକୃତିକ ପରିବେଶକୁ କୋଣସି ପ୍ରକାର କ୍ଷତି ନ ପହଞ୍ଚାଇ କିଭଳି ଏହି ପୀଠର ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଯାଇପାରିବ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇ ପାରିବ ସେଥିପାଇଁ ଖୁବଶୀଘ୍ର ପ୍ଲାନ ପ୍ରସ୍ତୁତ କରାଯିବ ବୋଲି କହିଥିଲେ । ଏହାପରେ ମନ୍ଦିର ପରିସରରେ ଥିବା ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ନୃସିଂହନାଥ ମନ୍ଦିର ପରିସରର ସ୍ୱଚ୍ଛ ପରିବେଶ ଦେଖି ବିଭାଗୀୟ ନିର୍ଦ୍ଦେଶକ ଓ ଅଧ୍ୟକ୍ଷା ଖୁସି ହେବା ସହିତ ମନ୍ଦିର ଟ୍ରଷ୍ଟ ବୋର୍ଡ କୁ ଧନ୍ୟବାଦ ଜଣାଇଥିଲେ |