ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଲ ଥାନା ଅନ୍ତର୍ଗତ ବଡ଼ମାଲ ଓ ହିର୍ମା ଗ୍ରାମବାସୀ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଆଜି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ଉପଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଗ୍ରାମବାସୀଙ୍କ ଅନୁସାରେ, ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବା ସତ୍ତ୍ୱେ ଝାରସୁଗୁଡ଼ା ଜିଲ୍ଲାର ଅନେକ ସମସ୍ୟା ରହିଛି। ଏଠାକାର କୁଶଳୀ ଓ ଅଣକୁଶଳୀ ତଥା ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ସ୍ଥାନୀୟ ଖଣିରେ ନିଯୁକ୍ତି ପ୍ରଦାନ କରିବାକୁ ପଦକ୍ଷେପ ନେବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ଶୋଚନୀୟ ଅବସ୍ଥାରେ ଥିବା ହିର୍ମା ଓ ବଡ଼ମାଲ ପଞ୍ଚାୟତକୁ ଯୋଗ କରୁଥିବା ସଡ଼କପଥର ମରାମତି, ସରକାରୀ ଓ ସ୍ଥାନୀୟ କମ୍ପାନୀମାନଙ୍କରେ ଠିକାରେ ହେଉଥିବା କାର୍ଯ୍ୟଗୁଡ଼ିକୁ ବାହାର ଠିକାଦାରଙ୍କୁ ନ ଦେଇ ସ୍ଥାନୀୟ ଠିକାଦାରଙ୍କୁ ଦେବା ପାଇଁ, ପରିବେଶ ସୁରକ୍ଷା ପାଇଁ କମ୍ପାନୀମାନେ ଯେଉଁ ପଦକ୍ଷେପ ନେଉଛନ୍ତି ତାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ଏହି ଦୁଇ ପଞ୍ଚାୟତର ଲୋକେ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।