କଣ ଏହାର ଲକ୍ଷଣ,ନିରାକରଣ ପାଇଁ କଣ ଏହାର ଆୟୁର୍ବେଦ ଚିକିତ୍ସା
ରକ୍ତଗତ ବାତ ବା Hypertension କୁ ସାଧାରଣ ଭାବେ ଉଚ୍ଚରକ୍ତ ଚାପ ବୋଲି କୁହାଯାଏ । ଆୟୁର୍ବେଦ ମତ ଅନୁସାରେ ଏହା ଏକ ସ୍ୱତନ୍ତ୍ର ରୋଗ ବୋଲି ବର୍ଣ୍ଣନା କରାଯାଇଅଛି ଏବଂ ଅନ୍ୟ କେତେକ ମହର୍ଷି ଏହାକୁ ଅନେକ ଗୁଡିଏ ରୋଗର ଲକ୍ଷଣ ବୋଲି ମଧ୍ୟ କହି ଅଛନ୍ତି । ବର୍ତମାନ ସମୟରେ ପ୍ରାୟ 30 ରୁ 50 ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ତେଣୁ ଏହା ଏକ ମହତ୍ୱପୂର୍ଣ୍ଣ ରୋଗ ହିସାବରେ ବିବେଚିତ ।
କାରଣ:-
ଏହାର ମୁଖ୍ୟ କାରଣ ଧମନୀ ମଧ୍ୟରେ ବସା (Fat) ଅଂଶର ବୃଦ୍ଧି ଅଟେ । ଅତ୍ୟଧିକ ବସାଯୁକ୍ତ ଖାଦ୍ୟ ଓ ପାନୀୟ ର ବ୍ୟବହାର ଦ୍ୱାରା ଶରୀରର ରକ୍ତବାହି ଧମନୀ ମଧ୍ୟରେ ବସାଅଂଶର ବୃଦ୍ଧିହୋଇ ରକ୍ତପ୍ରବାହରେ ବାଧାପ୍ରାପ୍ତ ହୋଇଥାଏ ଏବଂ ଉଚ୍ଚରକ୍ତଚାପ ସୃଷ୍ଟି ହୋଇଥାଏ । ଆହୁରି ମଧ୍ୟ ଅତ୍ୟଧିକ ମାନସିକ ଚାପ, ମଦ୍ୟପାନ, ଲବଣ ଯୁକ୍ତ ଖାଦ୍ୟ ଏହାର ପ୍ରମୁଖ କାରଣ ଅଟେ ।
ଲକ୍ଷଣ:-
ଏହି ରୋଗରେ ପ୍ରାରମ୍ଭରେ ସାମାନ୍ୟ ମୁଣ୍ଡ ବୁଲେଇବା ଠାରୁ ଆରମ୍ଭ ହୋଇ ପରେ ଶରୀରରେ ପୀଡା, ମାଂସପେଶୀରେ ଦାହ ତଥା ଶୋଥ ଉତ୍ପନ୍ନ ହୋଇଥାଏ । ରକ୍ତଚାପ ବୃଦ୍ଧି ହେବ ଯୋଗୁ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ ଏବଂ ଭବିଷ୍ୟତରେ ହୃଦ୍ରୋଗ (Heart disease), ମଧୁମେହ (Diabetes) ତଥା ପକ୍ଷାଘାତ (Paralysis ବା Brain stroke) ହେବାର ସମ୍ଭାବନା ଥାଏ ।
ଚିକିତ୍ସା :-
ଆୟୁର୍ବେଦରେ ଏହାର ଚିକିତ୍ସା ଉଭୟ ଶୋଧନ(ପଞ୍ଚକର୍ମ) ତଥା ଶମନ (ଔଷଧ ପ୍ରୟୋଗ) ଦ୍ୱାରା କରାଯାଇଥାଏ ।
୧. ରକ୍ତଚାପବୃଦ୍ଧିର ଚିକିତ୍ସା ନିମନ୍ତେ ଅଭ୍ୟଙ୍ଗ, ଶିରୋଧରା, ରକ୍ତମୋକ୍ଷଣ ଓ ବିରଚନ ଇତ୍ୟାଦି ପଂଚକର୍ମ ର ପ୍ରୟୋଗ କରାଯାଏ ।
୨. ଚନ୍ଦ୍ରକଳା ରସ, ମୁକ୍ତାଭସ୍ମ, ପ୍ରବାଳ ଭସ୍ମ, ସର୍ପଗନ୍ଧା ବଟୀ ଇତ୍ୟାଦି ଔଷଧ ର ପ୍ରୟୋଗ ଦ୍ୱାରା ସୁଫଳ ମିଳିଥାଏ ।
୩. ଲବଣ ଜାତୀୟ ଦ୍ରବ୍ୟ, ଅତ୍ୟଧିକ ବସାଯୁକ୍ତ ଖାଦ୍ୟ ଓ ପାନୀୟ, ମଦ୍ୟପାନ ଏବଂ ଧୂମ୍ରପାନ ଠାରୁ ଦୂରେଇ ରହିବା ଉଚିତ ।
୪. ନିୟମିତ ବ୍ୟାୟାମ, ଯୋଗ ଏବଂ ପ୍ରଣାୟାମ କରିବା ଉଚିତ ।
ଏଣୁ ରୋଗ ହେବା ପୂର୍ବରୁ ଆମେ ସଚେତନ ରହି ନିଜକୁ ତଥା ଅନ୍ୟମାନଙ୍କୁ ନିରୋଗ ରଖି ପାରିବା ।