ଝାରସୁଗୁଡ଼ା: (ସୁଭାଷ ସହାରେ) :ମ୍ୟାଲେରିଆର ପ୍ରାଦୁର୍ଭାବରୁ ରକ୍ଷା ପାଇଁ ଜିଲ୍ଲାରେ ମ୍ୟାଲେରିଆର ନିରାକରଣ ତଥା ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ସକାଶେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ ,ଡି ପି ଏମ୍ ବୁଲୁନାଥ ସାହୁ,ଡାକ୍ତର ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ସମେତ ଜଙ୍ଗଲ ଓ ପରିବେଶ,ସାଧାରଣ ପ୍ରଶାସନ,ଶିକ୍ଷା,ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଏହାକୁ ସଫଳତାର ସହ ବଣ୍ଟନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଡିସେମ୍ବର ମାସରେ କୋଲାବିରା ,କିର୍ମିରା , ଲଇକେରା ଓ ଲଖନପୁର ବ୍ଲକର ହିତାଧିକାରୀମାନଙ୍କୁ ଏହି କୀଟନାଶକ ଔଷଧଯୁକ୍ତ ମଶାରୀ ବଣ୍ଟନ କରାଯିବ । ଏହାର ବ୍ୟବହାର ଶୈଳୀ ତଥା ଉପକାରିତା ସମ୍ପର୍କରେ ହିତାଧିକାରୀମାନକୁ ସଚେତନ କରାଇବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମାଝୀ ପରାମର୍ଶ ଦେବା ସହ ବ୍ଲକୱାରି ବଣ୍ଟନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀ , ବଣ୍ଟନ ତାରିଖ ଇତ୍ୟାଦିର ସଠିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାଜୁ କହିଥିଲେ । ସେହିଭଳି ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ , କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବଣ୍ଟନ କାର୍ଯ୍ୟ ପାଇଁ ବ୍ଲକ ସ୍ତରୀୟ କମିଟି ଗଠନ, କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଆଶା , ଅଙ୍ଗନୱାଡ଼ି କର୍ମଚାରୀ , ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନଙ୍କର ତାଲିମ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଏ ସି ଏଫ ବାସିଲ ବାର୍ଲା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରି ସୁପ୍ରଭା ସେଠ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ମ୍ୟାଲେରିଆ ନିରାକରଣ ପରାମର୍ଶଦାତା ବିରାଟ ରାଜା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।