ହେଡଲାଇନସ୍:

ଶେଷରେ ସୀମାରେ ପ୍ରଶାସନ ଦ୍ବାରା ଓଡ଼ିଶାର ନାମଫଳକ ଲଗାଯିବା ପାଇଁ ଚିହ୍ନଟ ହେଲା ୬ଟି ସ୍ଥାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା:(ସୁଭାଷ ସହାରେ):ରେ ଓଡ଼ିଶା ଓ ଛତିଶଗଡ଼ ସୀମାରେ ଲାଗିବ ଓଡ଼ିଶାର ନାମଫଳକ। କୌଣସି ନାମଫଳକ ନ ଥିବାରୁ ବାରମ୍ବାର ଛତିଶଗଡ଼ ପୋଲିସ ସୀମା ଅତିକ୍ରମ କରି ଓଡ଼ିଶାର ଗ୍ରାମଗୁଡ଼ିକୁ ପଶି ଲୋକଙ୍କୁ ବିଭିନ୍ନ ଉପାୟରେ ହଇରାଣ କରିବା  ଅଭିଯୋଗ ହେଉଥିଲା। ଛତିଶଗଡ଼ ପୋଲିସର ଏତାଦୃଶ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ବାରମ୍ବାର ପ୍ରଶାସନ ନିକଟରେ ଏହାର ନିରାକରଣ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। 

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର କନକତୋରା ଅଞ୍ଚଳରେ ନାମଫଳକ ଲଗାଯିବା ପାଇଁ ଛ'ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ତିନୋଟି ସ୍ଥାନରେ ନାମ ଫଳକ ପାଇଁ ଗାତ ଖୋଳି ସମାପ୍ତ ହୋଇ ଯାଇଥିବା ବେଳେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ସମସ୍ତ ସ୍ଥାନରେ ନାମ ଫଳକ ଲଗାଇବା କାର୍ଯ୍ୟ ଶେଷ ହୋଇଯିବ ବୋଲି ଲଖନପୁର ତହସିଲଦାର ଶ୍ରୀ ବିଶ୍ବକେଶନ ପାଣ୍ଡେ କହିଛନ୍ତି। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶ ଅନୁସାରେ ବିଡିଓ ସଂଜୀବ  ପଟେଲ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛତିଶଗଡ଼କୁ ଯୋଡ଼ୁଥିବା ସମସ୍ତ ସଡ଼କରେ ଏହି ନାମ ଫଳକ ଲଗାଯିବାକୁ ସ୍ଥିର କରାଯାଇଛି। ଏହି ଅବସରରେ ଚାଣ୍ଟିପାଲି ଓ କନକତୋରା ରାଜସ୍ବ ନିରୀକ୍ଷକ ଯଥାକ୍ରମେ ଦିବାକର ଭୋଇ ଓ ହେମସାଗର ପଟେଲ ତଥା ଅନେକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ ଯେ, ଗତ  ୭ ଡିସେମ୍ବର ୨୦୧୯ ରେ ମନୋଜ ମେହେର ନାମକ ଜଣେ ଚାଷୀ ଗାଡ଼ିରେ ଧାନ ନେଇ ଯାଉଥିବା ବେଳେ ଛତିଶଗଡ଼ ପୋଲିସ ବିନା କାରଣରେ ତାଙ୍କୁ ଗିରଫ କରିବା ସହ ତାଙ୍କ ଗାଡ଼ିକୁ ଜବତ କରିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ନିଜେ ବିଧାୟକ କିଶୋର ମହାନ୍ତି ଏ ଘଟଣା ପରେ ଘଟଣାସ୍ଥଳକୁ ଯାଇ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ଦ୍ଵାରା ନାମଫଳକ ଲଗାଇବା ଉପରେ ଗୁରୁତ୍ବ ଦେଇଥିଲେ। ଦୀର୍ଘ ୧୧ ମାସ ପରେ ଏହା କାର୍ଯ୍ୟକାରୀ ହୋଇ ପାରିଛି।

0
0
0
s2sdefault