ଝାରସୁଗୁଡ଼ା :(ସୁଭାଷ ସହାରେ) : ଅଗ୍ନିକାଣ୍ଡ ଘଟି ଝାରସୁଗୁଡ଼ାର ଏକ ଟେଣ୍ଟ ହାଉସର ପ୍ରାୟ ପଚାଶ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଭସ୍ମ ହୋଇଯାଇଛି।ଗତରାତି ପ୍ରାୟ ଦେଢ଼ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗର ୪ଟି ଦମକଳ ପହଞ୍ଚି ନିଆଁକୁ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ବ୍ୟାପିବାରୁ ରକ୍ଷା କରି ପାରିଛି।
ଗତ ରାତିରେ ଝାରସୁଗୁଡ଼ାର ବିଟିଏମ ଛକ ନିକଟରେ ଥିବା ନୀଳକଣ୍ଠ ଟେଣ୍ଟ ହାଉସରେ ନିଆଁ ଲାଗି ସମଗ୍ର ଟେଣ୍ଟ ହାଉସ ଜଳି ଯାଇଥିଲା। ଟେଣ୍ଟ ହାଉସରେ କାର୍ଯ୍ୟ କରୁଥିବା ୧୯ ଜଣ ଶ୍ରମିକ ହଠାତ ନିଆଁ ଲାଗିବାର ଜାଣିବା ବେଳକୁ ସମଗ୍ର ଟେଣ୍ଟ ହାଉସ ହୁ ହୁ ହୋଇ ଜଳୁଥିବା ଦେଖି ତୁରନ୍ତ ମାଲିକଙ୍କୁ ଖବର ଦେଇଥିଲେ। ନିକଟରେ ଥିବା ବାଲିଗଦାରୁ ବାଲି ଆଣି ଫିଙ୍ଗି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସତ୍ତ୍ୱେ ସଫଳ ହୋଇ ନଥିଲେ। ଖବର ପାଇ ଦମକଳ ବିଭାଗର ଚାରୋଟି ଗାଡ଼ି ପହଞ୍ଚିବା ପରେ ୩ ଘଣ୍ଟାର ପରିଶ୍ରମ ଯୋଗୁଁ ନିଆଁକୁ ବ୍ୟାପିବାରୁ ରକ୍ଷା କରିବାରେ ସମର୍ଥ ହୋଇଥିଲେ। ସୌଭାଗ୍ୟବଶତଃ କୌଣସି ଲୋକ ଏଥିରେ ମୃତାହତ ହୋଇ ନ ଥିଲେ। ଖବର ପାଇ ବିଟିଏମ ଫାଣ୍ଡିର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାତ୍ର ନିକଟସ୍ଥ ବାଲିଗଦାରୁ କିରୋସିନି ବୋତଲ ଓ ପେଟ୍ରୋଲ ମିଳିଥିବାରୁ କେହି ଦୁର୍ବୁର୍ତ୍ତ ଜାଣିଶୁଣି ନିଆଁ ଲଗାଇଥିବା ଟେଣ୍ଟ ହାଉସମାଲିକ ନକୁଳ ସାହୁ ସନ୍ଦେହ କରିଛନ୍ତି ।