
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ ବିରୁଦ୍ଧରେ ବହୁ ପ୍ରତୀକ୍ଷିତ "କୋଭାକ୍ସିନ' ଟୀକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ ଗୁରୁବାର ଦିନ ଆରମ୍ଭ ହୋଇଛି ।
ହସପିଟାଲର ପ୍ରିଭେଂଟିଭ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ ଟ୍ରାଏଲ ୟୁନିଟ୍ (ପିଟିସିଟିୟୁ) ଠାରେ ପ୍ରଥମ ଦିନ ଦୁଇଜଣ ଭଲୁଂଟିୟରଙ୍କୁ ଏହି ଟୀକା ଦିଆଯାଇଥିଲା ବୋଲି କୋଭାକ୍ସିନ ହ୍ୟୁମାନ ଟ୍ରାଏଲ୍ର ପ୍ରିନ୍ସିପାଲ ଇନଭେଷ୍ଟିଗେଟର ପ୍ରଫେସର ଇ. ଭେଙ୍କଟ ରାଓ ପ୍ରକାଶ କରିଛନ୍ତି ।
ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ସେଂଟ୍ରାଲ୍ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ୍ ଅରଗାନାଇଜେସନ ପକ୍ଷରୁ ଅନୁମତି ମିଳିସାରିଛି । ଆଇଏମଏସ ଆଣ୍ଡ ସମ୍ ହସପିଟାଲକୁ ଏହି ପରୀକ୍ଷଣ ନିମନ୍ତେ ଓଡ଼ିଶାର ଏକମାତ୍ର କେନ୍ଦ୍ର ଭାବେ ଆଇସିଏମଆର ପକ୍ଷରୁ ମନୋନୀତ କରାଯାଇଛି ।
ପ୍ରଫେସର ରାଓ କହିଛନ୍ତି ଯେ ଏହି ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଏହାର ନିରାପତ୍ତା ପ୍ରତି ଧ୍ୟାନ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହାର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ପ୍ରଫେସର ରାଓ କହିଥିଲେ ଯେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହି ଟୀକାର କାର୍ଯ୍ୟକାରିତା ଉପରେ ଦୃଷ୍ଟି ନିବଦ୍ଧ ରହିବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ମନୁଷ୍ୟ ଶରୀରରେ କୌଣସି ପାଶ୍ୱର୍ ପ୍ରତିକି୍ରୟା ହେଉଛି କି ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମନୁଷ୍ୟ ରକ୍ତରେ ସୃଷ୍ଟି ହେଉଥିବା ଆଂଟିବଡ଼ିର ସ୍ତର ଉପରେ ଲକ୍ଷ୍ୟ ରଖାଯାଇଥିଲା ଏବଂ ଏହା ଏହି ସଂକ୍ରମଣରୁ ରକ୍ଷା କରିବାକୁ ସମର୍ଥ କି ନୁହେଁ ଏହା ଦେଖାଯାଇଥିଲା ।
ତୃତୀୟ ପର୍ଯ୍ୟାୟରେ ଏହି ଟୀକା ଦିଆଯାଇଥିବା ମନୁଷ୍ୟମାନଙ୍କ ଶରୀରରେ ଏହା ରୋଗକୁ ପ୍ରତିରୋଧ କରିପାରୁଛି କି ନାହିଁ ତାହା ଆକଳନ କରାଯିବ ବୋଲି ସେ କହିଥିଲେ । ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ଓ ସମୟ ସାପେକ୍ଷ ହେବ । କାରଣ ଆମକୁ ଟୀକା ନେଇଥିବା ଲୋକମାନଙ୍କ ମଧ୍ୟରେ ସଂକ୍ରମଣର ହାର ନିର୍ଦ୍ଧାରଣ କରିବାକୁ ପଡ଼ିବ ଏବଂ ଏହା ସେମାନେ ବାସ କରୁଥିବା ସ୍ଥାନର ଜନସଂଖ୍ୟା ଉପରେ ନିର୍ଭରଶୀଳ ହେବ । ଏଥି ନିମନ୍ତେ ଦେଶର ପ୍ରାୟ ୨୫୦୦୦ ଭଲୁ୍ୟଂଟିୟରଙ୍କୁ ମନୋନୟନ କରାଯାଉଛି ।
ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଭଲୁ୍ୟଂଟିୟରଙ୍କୁ ୨୮ ଦିନ ଅନ୍ତରରେ ୨ଟି ଡେ଼ାଜ ଟୀକା ଦିଆଯିବ । ମାତ୍ର ଏହାର ଅନୁସନ୍ଧାନ ନିମନ୍ତେ ପ୍ରାୟ ୧୨ ମାସ ସମୟ ଲାଗିବ ।
ପ୍ରଫେସର ରାଓ କହିଥିଲେ ଯେ ଏହି ପରୀକ୍ଷଣରେ ଭାଗ ନେବା ନିମନ୍ତେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବାଧ୍ୟତା ମୂଳକ ନୁହେଁ । ଉଚ୍ଚ ରକ୍ତଚାପ ବା ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ରୋଗ ଔଷଧ ବ୍ୟବହାର ଦ୍ୱାରା ଆୟତାଧିନ ଥିଲେ ସେ ଏଥିରେ ଅଂଶୀ ହୋଇପାରିବେ । ଏଥିରେ ଯୋଗ ଦେବାକୁ ଆଗ୍ରହୀ ବ୍ୟକ୍ତିମାନେ http://ptctu.soa.ac.in ରେ ଅନଲାଇନ ରେଜିଷ୍ଟେ୍ରସନ କରିପାରିବେ ବା ନିଜର ନାମ, ଲିଙ୍ଗ ଓ ବାସସ୍ଥାନ ଉଲ୍ଲେଖ କରି ୭୮୪୯୦୨୧୪୫୦କୁ ହ୍ୱାଟ୍ସଆପ ମାଧ୍ୟମରେ ଜଣାଇପାରିବେ ।











