ପ୍ରଦ୍ୟୁମ୍ନ ବଳଙ୍କ ୮୮ତମ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଜଣେ ଛାତ୍ର ନେତା ଭାବରେ ଜୀବନ ଆରମ୍ଭ କରି ପ୍ରଦ୍ୟୁମ୍ନ ବାବୁ ରାଜନୀତି, ସମାଜସେବା ଓ ସାମ୍ବାଦିକତାରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ତାଙ୍କ ଜୀବନରେ ସେ ସବୁବେଳେ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇଆସିଛନ୍ତି ଏବଂ ଏଥିରେ ସେ କେବେ ବି ସାଲିସ କରିନାହାନ୍ତି ବୋଲି ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୮୮ତମ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ସ୍ବର୍ଗତ ବଳଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ବଳଙ୍କ ଉଦ୍ୟମ ଓ ଆଦର୍ଶରେ ପ୍ରଗତିବାଦୀ ଏକ ସାପ୍ତାହିକରୁ ଆଜି ଏକ ଅଗ୍ରଣୀ ଦୈନିକରେ ପରିଣତ ହୋଇଛି ଏବଂ ଓଡିଆ ସମ୍ବାଦପତ୍ର ଜଗତରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । ମୁଁ ବହୁତ ଖୁସି ଯେ ପ୍ରଗତିବାଦୀ ପକ୍ଷରୁ ଗରିବ ଲୋକଙ୍କୁ ସାହାଯ୍ୟ କରିବାପାଇଁ ପ୍ରଦ୍ୟୁମ୍ନ ବଳ ରିଲିଫ କମିଟି ଗଠନ କରାଯାଇଛି। ଏହି ସାଧୁ ଉଦ୍ୟମ ପାଇଁ ପ୍ରଗତିବାଦୀ ପରିବାରକୁ ବହୁତ ଧନ୍ୟବାଦ। ବର୍ତ୍ତମାନ ସମାଜ ଆଗକୁ ବଢୁଛି । ବିଭିନ୍ନ କ୍ଷେତ୍ରରେ ବହୁତ ଶୀଘ୍ର ପରିବର୍ତ୍ତନ ଘଟୁଛି। ପରିବର୍ତ୍ତନ ସହ ଯଦି ଆମେ ମୂଲ୍ୟବୋଧର ସୁରକ୍ଷା ପ୍ରତି ଧ୍ୟାନ ଦେବା, ତେବେ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
ଚଳିତ ବର୍ଷ ବିଶିଷ୍ଟ ସମାଜସେବୀ କୁମାରୀ କ୍ରିଷ୍ଣାରାଣୀ ବୋଷ ପ୍ରଦ୍ୟୁମ୍ନ ବଳ ସମ୍ମାନ ପାଉଛନ୍ତି ଯୋଗୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଜୟନ୍ତୀ କମିଟି ପକ୍ଷରୁ ୧୦ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ଯୋଗୁ ସନ୍ତୋଷ ବ୍ୟାଙ୍କୟା କରି କମିଟିକୁ ଧନ୍ୟବାଦ ଅର୍ପଣ କରିଥିଲେ |