କେନ୍ଦୁଝର: ୨୪/୦୬/୨୦୨୬-ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତର ଦୁଇ ଆଦିବାସୀ ଗାଁ କୁଣ୍ଢେଇ ଓ ଘୁଙ୍ଗିକୁ ସଂଯୋଗ କରୁଥିବା ନିତ୍ୟାନନ୍ଦ ପୁର - କୁଣ୍ଢେଇ - ଘୁଙ୍ଗି ରାସ୍ତାର ମରାମତି ପାଇଁ ଆଞ୍ଚଳିକ ଗ୍ରାମ ବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ଜିଲ୍ଲାର ବାଂଶପାଳ ବ୍ଳକ୍ ଏବଂ ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ ଜୁଙ୍ଗା ଓ କୋଡିପଶା ଗ୍ରାମ ପଞ୍ଚାୟତ ର ତିନୋଟି ଗାଁ ନିତ୍ୟାନନ୍ଦ ପୁର, କୁଣ୍ଢେଇ ଓ ଘୁଙ୍ଗିର ଅନ୍ୟୁନ ଦୁଇ ହଜାର ଲୋକ ଏଇ ରାସ୍ତା ଉପରେ ବଜାର କାମ,ଡ଼ାକ୍ତରଖାନାରେ ଚିକିତ୍ସା, କୋର୍ଟ କଚେରୀ ମାମଲା ପ୍ରଭୃତି କାମ ପାଇଁ ନିର୍ଭର କରିଥାନ୍ତି। ପିଲାମାନେ ମଧ୍ୟ ଏଇ ରାସ୍ତା ଦେଇ କେନ୍ଦୁଝରଗଡ ସାଙ୍ଗକୁ ଅନ୍ୟାନ୍ୟ ପାଖ ମହାବିଦ୍ୟାଳୟରେ ଅଧ୍ୟୟନ ସକାଶେ ଯିବା ଆସିବା କରିଥାନ୍ତି। ଏଠାରେ ପ୍ରକାଶ ଥାଉକି, ଏ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ।
ଏଇ ସବୁ ଗାଁର ଲୋକ ବ୍ୟତୀତ, କୁଣ୍ଢେଇ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନେକ ଗାଁର ଛାତ୍ର ଛାତ୍ରୀ ଏ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହା ଉପରେ ଅନେକ ଆଦିବାସୀ ଲୋକ ଚଳାଚଳ କରିଥାନ୍ତି।
ସ୍ଥାନୀୟ ଅଧିବାସୀ ଦରଖାସ୍ତରେ ଜଣାଇଛନ୍ତି ଯେ ଏହି ରାସ୍ତାର ମରାମତି କାହିଁ କେଉଁ କାଳରେ ହୋଇଥିଲା। ଏଥି ମଧ୍ୟରୁ ଅନେକ ଅଂଶ ଭାଙ୍ଗି ଯାଇଛି। ରାସ୍ତାର ଅନେକ ଅଂଶ କେବେ ବି ପିଚୁ ଅବା କଙ୍କ୍ରିଟ କରାଯାଇ ନାହିଁ। ଏବେବି ମାଟି ରାସ୍ତା ହୋଇ ରହିଛି। ଏଥି ସକାଶେ ଲୋକ ମାନଙ୍କ ଯିବା ଆସିବା ରେ ଅସୁବିଧା ହେଉଛି। ଅଧ୍ୟୟନ ରତ ପିଲାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି ହୋଇଛି। ରାତି ଅନ୍ଧାର ରେ ଯିବା ଆସିବା କରିବା ବିପଦପୂର୍ଣ୍ଣ ହୋଇଯାଇଛି।
ରାସ୍ତାର ଅବସ୍ଥା, ଆବଶ୍ୟକ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକଙ୍କ ଅସୁବିଧାକୁ ବିଚାର କୁ ନେଇ , ଏ ନିତ୍ୟାନନ୍ଦ ପୁର - କୁଣ୍ଢେଇ - ଘୁଙ୍ଗି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ତୁରନ୍ତ କରିବାକୁ , ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଓ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ କଥା ବିଚାର କରିବେ।







