ଝାରସୁଗୁଡ଼ା, ୨୫/୦୬ : ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ାର ଅର୍ଥନୀତି ବିଭାଗ ପକ୍ଷରୁ “ଅର୍ଥନୀତିରେ କ୍ୟାରିଅର ସୁଯୋଗ” ଶୀର୍ଷକ ଏକ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଗୀତାରାଣୀ ଦୀକ୍ଷିତ ଏହି କର୍ମଶାଳାକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଅର୍ଥନୀତି ବିଷୟର ବ୍ୟାପକ କ୍ଷେତ୍ର ଓ ଏଥିରେ ଥିବା ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ଅବଗତ କରାଇଥିଲେ।
ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଫେସର ତପନ କୁମାର ବାରିକ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପିକା ଡ. ଶୁଭଲକ୍ଷ୍ମୀ ବାରିକ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥି ଭାବେ ବରିଷ୍ଠ ପ୍ରାଧ୍ୟାପିକା ଡ. ସ୍ୱର୍ଣ୍ଣମୟୀ ପୁରୋହିତ ଓ ପ୍ରାଧ୍ୟାପକ ବ୍ରଜେଶ କୁମାର ସାହୁ ଉପସ୍ଥିତ ଥିଲେ।
ମୁଖ୍ୟ ବକ୍ତା ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ. ସର୍ବେଶ୍ୱର ପ୍ରଧାନ, ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ସହକାରୀ ଅଧ୍ୟାପକ ଡ. ଆଶିଷ କୁମାର ସା ଏବଂ ବ୍ରଜରାଜନଗର କଲେଜର ଅର୍ଥନୀତି ଅଧ୍ୟାପକ ହରିଶଙ୍କର ପାଣ୍ଡେ ଅର୍ଥନୀତି କ୍ଷେତ୍ରରେ ଉଚ୍ଚଶିକ୍ଷା, ଗବେଷଣା, ସରକାରୀ ଓ ବେସରକାରୀ ଚାକିରି, ତଥ୍ୟ ବିଶ୍ଳେଷଣ, ବ୍ୟାଙ୍କିଙ୍ଗ, ଅର୍ଥନୈତିକ ପରାମର୍ଶ ଏବଂ ନୀତି ନିର୍ଦ୍ଧାରଣ ଭଳି ବିଭିନ୍ନ କ୍ୟାରିଅର ସୁଯୋଗ ଉପରେ ଆଲୋକପାତ କରିଥିଲେ।
ଆଲୋଚନା ପର୍ବରେ ପଞ୍ଚାୟତ କଲେଜ, ବରଗଡ଼ର ସହକାରୀ ଅଧ୍ୟାପିକା ସୁଶ୍ରୀ ଖୁଲଣା ମଲ୍ଲିକ, ଦେବଗଡ଼ କଲେଜର ଅଧ୍ୟାପିକା ଡ. ବବିତା ବାଞ୍ଜି, ଡ. ସ୍ମୃତି ପୂଜା ଦାଶ, ଅଧ୍ୟାପକ ରକି ବିଶ୍ୱାଳ ଏବଂ ବିଭାଗର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜ ମତାମତ ଓ ଅନୁଭୂତି ବ୍ୟକ୍ତ କରିଥିଲେ।
ଅଧ୍ୟାପିକା ଶେଫାଳୀ ଦେବୀ ସମଗ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ଅର୍ଥନୀତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ କ୍ୟାରିଅର ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ସହ ଏହା ସେମାନଙ୍କ ଭବିଷ୍ୟତ ଯୋଜନା ଓ ପେସାଗତ ବିକାଶ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା।







