କରୋନା ଯୁଦ୍ଧା ଭାବେ ମରଣୋତ୍ତର ସମ୍ମାନ ଓ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ଦାବି
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିବା କରୋନା ଯୁଦ୍ଧା ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କୁ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜି ସନ୍ଧ୍ୟା ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସମ୍ମୁଖରେ କ୍ୟାଣ୍ଡଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୂଙ୍କ ନିକଟରେ ନୀରବ ପ୍ରାର୍ଥନା କରିଥିଲେ । ବୈଦୁ୍ୟତିକ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ରବୀନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁକାନ୍ତ ଜୀଉ, ରଞ୍ଜନ କୁମାର ଦାଶ, ମନୋଜ କୁମାର ପଣ୍ଡା, ନୀଳାଦ୍ରୀ ଦଣ୍ଡପାଟ, ଦୀପକ ନାୟକ, ମାନଗୋବିନ୍ଦ ପାଣିଗ୍ରାହୀ, ରାଜକିଶୋର ଦାଶ, ରୂପମ୍ ସ୍ୱାଇଁ, ସୁବ୍ରତ ଦାସ, ପ୍ରିୟବ୍ରତ ମିଶ୍ର, ଅକ୍ଷୟ ଅଗ୍ରୱାଲା, ଲକ୍ଷ୍ମଣ ଜେନା, ବିଶ୍ୱଜିତ୍ ଭୂୟାଁ, ଦେବେନ୍ଦ୍ର ନାଥ ଦାଶ, ସନ୍ତୋଷ କୁମାର ପରିଡ଼ା, ସନ୍ତୋଷ କୁମାର ବରଜ, ଯଜ୍ଞବ୍ରତ ପଣ୍ଡା, ହରେକୃଷ୍ଣ ପାତ୍ର ପ୍ରମୁଖ ସମସ୍ତ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ କରୋନା ଯୁଦ୍ଧା ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ବକ୍ତ କରିବା ସହ ସରକାରଙ୍କ ଘୋଷଣା ଅନୁସାରେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ଏବଂ କୋଭିଡ଼ ଯୁଦ୍ଧା ଭାବେ ମରଣୋତ୍ତର ସମ୍ମାନ ପ୍ରଦାନ ନିମନ୍ତେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।