ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅସହାୟ : ନିଜ ନିରାପତ୍ତା ପାଇଁ ପଦକ୍ଷେପ ନେଲେ ଲୋକେ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବାରିପଦାରେ ୭ ଦିନ ପର୍ଯ୍ୟନ୍ତ ସମସ୍ତ ବନ୍ଦ ରହିବ ସମସ୍ତ ଦୋକାନ ବଜାର 

  • ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ସେପ୍ଟେମ୍ବର ୨୨ଠାରୁ  ୨୮ ପର୍ଯ୍ୟନ୍ତ ସିଜ ୱାର୍କ ଘୋଷଣା 

ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ପାଇଁ କୌଣସି ଲକ ଡାଉନ ସଟ ଡାଉନ କରିପାରିବେ ନାହିଁ ଓ ସେଠି ପାଇଁ କେନ୍ଦ୍ର ସରକାରଙ୍କୁ ପଚରାଯିବା ବୋଲି ନିର୍ଦ୍ଦେଶ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏକ ପ୍ରକାର ନଛୋଡବନ୍ଧା ସ୍ଥିତିରେ ଥିବା ବେଳେ ଏବେ ନିଜ ଭୁତାଣୁ ଦାଉରୁ ନିଜକୁ ସୁରକ୍ଷା ଦେବାକୁ ଅଂଟା ଭିଡ଼ିଛନ୍ତି ଲୋକେ | ଭିଡ କମାଇବାକୁ  ଲକ ଡାଉନ ସଟ ଡାଉନ ସରକାର ନକରନ୍ତୁ, ଏବେ କୋର୍ଟ କଚେରୀ ଦୋକାନ ବଜାରରେ ଭିଡ କମାଇବାକୁ ବିଭିନ୍ନ ବର୍ଗର ଜନସାଧାରଣ ନେଇଛନ୍ତି କଠୋର ନିଷ୍ପତ୍ତି ବାରିପଦାରେ | ଜିଲ୍ଲାରେ କରୋନା ଲଗାମଛଡ଼ା  ହୋଇଥିବା ପରିପ୍ରେକ୍ଷୀରେ  ମୟୂରଭଞ୍ଜ ଜିଲ୍ଲା ବାର ଆସୋସିଏସନ, ଭଞ୍ଜସେନା, ବୈପ୍ଲବିକ ଯୁବ ଛାତ୍ର ସଙ୍ଗଠନ, ବାରିପଦା ବ୍ୟବସାୟୀ ସଙ୍ଘ, ମୟୂରଭଞ୍ଜ ବ୍ୟବସାୟୀ ସଙ୍ଘ, ମୟୂରଭଞ୍ଜ ପ୍ରେସ କ୍ଲବ ଏବଂ ଯୁବ ସମାଜ ବାରିପଦା ଆଦି ବିଭିନ୍ନ ସଙ୍ଗଠନକୁ ନେଇ ଗଠିତ ନାଗରିକ  କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ବାରିପଦା ପୌରପରିଷଦ ସହ ଆଖପାଖ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା କ୍ଷୀର, ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଆଦିକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ଆସନ୍ତା ସେପ୍ଟେମ୍ବର ୨୭ଠାରୁ ଅକ୍ଟୋବର ୩  ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନେଇଛନ୍ତି  । ଏଥି ନିମନ୍ତେ କମିଟିର ସଦସ୍ୟ ତଥା ଦଳିତ ଆଦିବାସୀ ମହାସଙ୍ଘର ସଭାପତି ଓ ଭଞ୍ଜସେନା କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ବ୍ୟବସାୟୀ ସଂଘରୁ ଅରୂପ ଦାସ, ଅକ୍ଷୟ ଅଗ୍ରୱାଲା, ଜିଲ୍ଲା ବାର ଆସୋସିଏସନରୁ ଆଇନଜୀବୀ ବିଭୂ ପ୍ରସାଦ ଦାସ,  ଜ୍ୟୋତି ପ୍ରକାଶ ରଥ, ସ୍ୱରୂପ ମିଶ୍ର, ପ୍ରେସ କ୍ଲବରୁ ପ୍ରୟାଗରାଜ କର ପ୍ରମୁଖ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ପ୍ରମୁଖଙ୍କ ସହିତ ଆଲୋଚନା କରି ଏପରି ନିଷ୍ପତ୍ତି ନେଇଛନ୍ତି  । 

ସୂଚନା ଯୋଗ୍ୟ,  ବାରିପଦା ସହର ଓ ଆଖପାଖ ଅଞ୍ଚଳରେ କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି । ଚଳିତ ସେପ୍ଟେମ୍ବର ମାସରେ କେବଳ ବାରିପଦା ପୌରପରିଷଦରୁ ୮୩୪ ଆକ୍ରାନ୍ତ ହୋଇଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଥାନା, କୋର୍ଟ ଓ ବ୍ୟାଙ୍କର କର୍ମଚାରୀମାନେ ଅଧିକରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଏହି ସମୟରେ ଜନସଚେତନତା ଜରୁରୀ ହୋଇପଡ଼ିଛି । ବାରିପଦା ସହରରେ କରୋନା ମହାମାରୀ ନିୟନ୍ତ୍ରଣ ବାହାରକୁ ଗତି କରୁଥିବାର ଅନୁଭବ କରି ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ସେପ୍ଟେମ୍ବର ୨୨ଠାରୁ  ୨୮ ପର୍ଯ୍ୟନ୍ତ ସିଜ ୱାର୍କ ଘୋଷଣା କରାଯାଇଛି ଏବଂ କୌଣସି ଆଇନଜୀବୀ କୋର୍ଟର ସମସ୍ତ କାମ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇ ଥିବା ସମୟରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭ ଦିନ ବ୍ୟାପି ସମସ୍ତ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ  ବନ୍ଦ ରଖିବାର ଡ଼ାକରା ଦେଇଛନ୍ତି । ସହରବାସୀଙ୍କ ସର୍ବବୃତ୍ତ ସ୍ୱାର୍ଥ ଜଡ଼ିତ ରହିଥିବା କାରଣରୁ ପୌରବାସୀ ଓ ସମସ୍ତ ଜନସାଧାରଣ ଏହାକୁ ସ୍ୱତ୍ତପ୍ରବୃତ୍ତ ଭାବେ ସମର୍ଥନ  ଜଣାଇବାକୁ କମିଟିର ସଦସ୍ୟ ତଥା ଦଳିତ ଆଦିବାସୀ ମହାସଙ୍ଘର ସଭାପତି ଓ ଭଞ୍ଜସେନା କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ସିଂ ଜନସାଧାରଣଙ୍କୁ ନିବେଦନ ଜଣାଇଛନ୍ତି ।

0
0
0
s2sdefault