ହେଡଲାଇନସ୍:

ବରଗଡ଼ ସାଂସଦଙ୍କ ବକ୍ତବ୍ୟ କୋଭିଡ ମୁକାବିଲା 'ନେଇ ଓଡ଼ିଶା ସରକାର ଫେଲ" : ପ୍ରତିକ୍ରିୟା ରଖିଲେ ବିଭିନ୍ନ ମହଲ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଗତକାଲି ସଂସଦରେ ଓଡ଼ିଶାରେ କୋଭିଡ ମୁକାବିଲା କରିବାରେ ସଂପୂର୍ଣ୍ଣ ଫେଲ ହୋଇଛନ୍ତି ଏବଂ ଏହାର ଦାୟୀତ୍ୱ କେନ୍ଦ୍ର ସରକାର ନିଜ ହାତରେ ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାରେ କୋରୋନା ରୋଗୀଙ୍କ ଯେପରି ଚିକିତ୍ସାର ସୁବିଧା ହେବା କଥା ତାହା ହେଉନାହିଁ ବୋଲି ସେ ଅଭିଯୋଗ କରିଥିଲେ । ଏଥିପାଇଁ ସେ ଆମେରିକାର ୱାଶିଂଟନ  ୟୁନିଭର୍ସିଟିର ଏକ ରିପୋର୍ଟକୁ ଉଦ୍ଧୃତ କରି ସେ କହିଥିଲେ ଯେ ଓଡ଼ିଶାରେ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ପ୍ରାୟ ଏଗାର ହଜାର ଲୋକ ମୃତ୍ୟୁ ବରଣ କରିବାର ସମ୍ଭାବନା ଅଛି। ଦିଲ୍ଲୀ ସରକାର କୋରୋନା ମୁକାବିଲାରେ ବିଫଳ ହେବା ପରେ ଯେପରି କେନ୍ଦ୍ର ସରକାର ଦିଲ୍ଲୀର ସ୍ବାସ୍ଥ୍ୟସେବାକୁ ନିଜ ହାତକୁ ହାତକୁ ନେଲେ, ସେହିପରି ଡ଼ିଗ୍ରୀ ସ୍ବାସ୍ଥ୍ୟସେବାକୁ ମଧ୍ୟ କେନ୍ଦ୍ର ସରକାର ନିଜ ହାତକୁ ନେବା ପାଇଁ ସେ ଅନୁରୋଧ କରିଥିଲେ। ଏହା ସହ ସେ ସମସ୍ତ ରୋଗୀଙ୍କ ପରିଜନ ଯେପରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପ୍ରତ୍ୟକ୍ଷ ଭାବରେ ଅବଗତ ହୋଇପାରିବେ, ସେଥିପାଇଁ ୱାର୍ଡ଼ ଗୁଡ଼ିକରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରିବାକୁ ମଧ୍ୟ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମ୍ମୁଖରେ ପ୍ରସ୍ତାବ ଦେଇଛନ୍ତି। 

ମାତ୍ର ସାଂସଦଙ୍କ ଏହି ବକ୍ତବ୍ୟ ପରେ ଓଡ଼ିଶାର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପିର ନେତୃବୃନ୍ଦ ଏହାର ସ୍ବାଗତ କରିଥିବା ବେଳେ ବିରୋଧୀ ଏହାକୁ ନାପସନ୍ଦ କରିଛନ୍ତି। 'ଶାସକ ପ୍ରଶାସକ' ମଧ୍ୟ ଏହା ନେଇ ବିଭିନ୍ନ ଦଳର ନେତାମାନଙ୍କ ପ୍ରତିକ୍ରିୟା ନେଇଥିଲା।

ଝାରସୁଗୁଡ଼ା ଜିଲ୍ଲାର ବିଜେଡି ନେତା ହରିଶ ଗଣାତ୍ରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ଭାବରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କୋରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି, ତାହାର ପରିଣାମ ହେଉଛି ଭାରତର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କୋରୋନା ମୃତ୍ୟୁ ସଂଖ୍ୟା ଅନେକ କମ। ସାଂସଦ ଯେଉଁ ରିପୋର୍ଟକୁ ଉଦ୍ଧୃତ କରି ସମ୍ଭାବିତ ମୃତ୍ୟୁ ସଂଖ୍ୟା କଥା କହିଛନ୍ତି, ତାହା ଭିତ୍ତିହୀନ ଏବଂ ଏପରି ଆକଳନ କେହି କରି ପାରିବେ ନାହିଁ ବୋଲି ସେ କହିଛନ୍ତି। ସଂକ୍ରମିତ ମୃତକଙ୍କ ମଧ୍ୟରୁ ଅଧିକାଂଶ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ରୋଗ ମୃତ୍ୟୁର ଅନ୍ୟତମ କାରଣ ଏବଂ ପ୍ରକୃତରେ କୋରୋନା ପାଇଁ ମୃତ୍ୟୁ ସଂଖ୍ୟା ସମସ୍ତ ରାଜ୍ୟ ଅପେକ୍ଷା କମ ବୋଲି ସେ କହିଛନ୍ତି। 

କିନ୍ତୁ ବିଜେପିର ପୂର୍ବତନ ଜିଲ୍ଲା ସଂପାଦକ ପ୍ରେମସେନ ରାୟ କହନ୍ତି ଯେ ଓଡ଼ିଶା ସରକାର ପ୍ରକୃତରେ ଲୋକଙ୍କ ଚିକିତ୍ସାରେ ଅବହେଳା କରୁଛନ୍ତି। ସାଂସଦ ଠିକ୍ କହିଛନ୍ତି ଏବଂ କୋଭିଡ ମାମଲାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। 

ଝାରସୁଗୁଡ଼ା କିଶାନ ସମାଜ ପ୍ରଗତିଶୀଳ ମଞ୍ଚର ସଭାପତି ରତ୍ନାକର ପ୍ରଧାନ କୋଭିଡ ମହାମାରରେ ଓଡ଼ିଶାର ସ୍ଥିତିକୁ ନେଇ ସଂସଦରେ ପ୍ରଶ୍ନ ଉଠାଇ ଥିବାରୁ ସାଧୁବାଦ ଜଣାଇବା ସହ କହିଥିଲେ ଯେ କୋରୋନାକୁ ମହାମାରୀ ବୋଲି ଘୋଷଣା କରିବାରେ ଓଡ଼ିଶା ଦ୍ବିତୀୟ ରାଜ୍ୟ। ରାଜ୍ୟ ସରକାର ତାଙ୍କ ସୀମିତ ସମ୍ବଳ ଭିତରେ ଯେତିକି ପଦକ୍ଷେପ ନେଇଛନ୍ତି, ତାହା ପ୍ରଶଂସନୀୟ ମାତ୍ର କେନ ସରକାରଙ୍କ ସହ ବିନା ପରାମର୍ଶରେ ଲକ ଡାଉନ କରିବା ତଥା ଅନ୍ୟ ରାଜ୍ୟରୁ ପ୍ରବାସୀଙ୍କୁ ଆଣିବା ଭଳି ଭୁଲ ନିଷ୍ପତ୍ତି କୋରୋନା ମହାମାରୀକୁ ଓଡ଼ିଶାରେ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି ବୋଲି ସେ ମତ ଦେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ କେବଳ କାର୍ଡଧାରୀଙ୍କ ପାଇଁ ବ୍ୟବସ୍ଥା କରିଥିଲେ,ମାତ୍ର ମଧ୍ୟବିତ୍ତ ପାଇଁ କୌଣସି ଯୋଜନା ନ ଥିଲା। କିନ୍ତୁ ସାଂସଦ ଦିଲ୍ଲୀକୁ ତୁଳନା କରି ଓଡ଼ିଶା ଅବସ୍ଥା କଥା କହିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। 

ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ମଧ୍ୟ ଏ ବିଷୟରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଓଡ଼ିଶା ସରକାରଙ୍କ ଦ୍ଵାରା କୋଭିଡ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ଖବରକୁ ବିଶ୍ବାସ କଲେ ତେବେ ସରକାରଙ୍କ ଅନୁସାରେ ହସ୍ପିଟାଲ ଗୁଡ଼ିକରେ ପଚାଶ ପ୍ରତିଶତ ବେଡ ଖାଲି ରହୁଛି, ମାତ୍ର ଅନେକ ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ନ ଦେଇ ଫେରାଇ ଦିଆ ଯାଉଛି। ଏଥିପାଇଁ ରୋଗୀଙ୍କ ପ୍ରାଣ ମଧ୍ୟ ଯାଉଛି। ହସ୍ପିଟାଲରେ ନିଜର ଚିହ୍ନା ପରିଚୟ ନ ଥିଲେ ଚିକିତ୍ସା ପାଇବା ସମ୍ଭବ ନୁହେଁ ବୋଲି ସେ କହିଥିଲେ।ଏହାବ୍ୟତୀତ କୋରୋନା ପାଇଁ ରାଜ୍ୟ ସରକାରଙ୍କ ହେଲ୍ପଲାଇନ ନମ୍ବର ମଧ୍ୟ କାମ କରୁ ନଥିବା କଥା ସେ ଜଣାଇଥିଲେ। ଅନ୍ୟ ପକ୍ଷରେ ସାଂସଦଙ୍କ ଦିଲ୍ଲୀ ସରକାରଙ୍କ କୋଭିଡ ମୁକାବିଲା କ୍ଷେତ୍ରରେ ବିଫଳତାର ଅଭିଯୋଗକୁ ସେ ଖଣ୍ଡନ କରି କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ପ୍ଲାଜମା ଥେରାପିକୁ ଏକ ମାସ ଧରି ବନ୍ଦ କରିଦେଇଥିବା କେନ୍ଦ୍ର ସରକାର ବାଧ୍ୟ ହୋଇ ଏହାକୁ ଲାଗୁ କରିବାକୁ ବାଧ୍ୟ ହେଲେ। ଏହା ବ୍ୟତୀତ ଦିଲ୍ଲୀ ଦେଶର ପ୍ରଥମ ରାଜ୍ୟ, ଯେଉଁଠାରେ ହୋମ ଆଇସୋଲେସନକୁ ଲାଗୁ କରାଗଲା ଏବଂ ପରେ ପରେ ଅନ୍ୟାନ୍ୟ ରାଜ୍ୟ ଏହାକୁ ଅନୁସରଣ କଲେ। କେନ୍ଦ୍ର ସରକାର ଓଡ଼ିଶାର ସ୍ବାସ୍ଥ୍ୟସେବାକୁ ନିଜ ହାତକୁ ନେବା ଅର୍ଥ ଏଠାକାର ପରିସ୍ଥିତି ଆହୁରି ସାଂଘାତିକ ହେବ ବୋଲି ସେ ମତ ଦେଇଛନ୍ତି।

0
0
0
s2sdefault