ବୁଢ଼ାବଳଙ୍ଗ ନଦୀରେ ହଠାତ୍ ଆସିଲା ପ୍ରାୟ ୧୦ ଫୁଟ ଉଚ୍ଚରେ ପାଣି
୨ ଯୁବକ ସହ ୨ ଛେଳି ଏକ ପଥର ଟାପୁରେ ଜଳବନ୍ଦୀ
ବାରିପଦା(ଦିଲ୍ଲୀପ ମହାନ୍ତି)- ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀର ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ନଦୀରେ ହଠାତ୍ ୧୦ ଫୁଟରୁ ଅଧିକ ଉଚ୍ଚରେ ପାଣି ଆସିଥିଲା । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିସ୍ଥିତ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ସମ୍ମୁଖ କାଳିଆମୀ ପୋଲ ଉପରେ ସ୍ଥାନୀୟ ଚାଉଳିଘରି ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଉପେନ୍ଦ୍ର ହାଁସଦାଃ ଓ ଦେବେନ୍ଦ୍ର ସିଂ ଛିଡ଼ା ହୋଇଥିବା ସମୟରେ ବୁଢ଼ାବଳଙ୍ଗ ନଦୀର ପାଣି ଭିତରେ ଥିବା ଏକ ପଥର ଟାପୁରେ ୨ଟି ଛେଳି ଜଳବନ୍ଦୀ ଅବସ୍ଥାରେ ଥିବାର ଦେଖି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଯାଇଥିଲେ । ମାତ୍ର ନଦୀରେ ଜଳପତନ କ୍ରମଶଃ ବୃଦ୍ଧି ପାଇବା ସାଙ୍ଗକୁ ନଦୀରେ ପ୍ରଖର ସ୍ରୋତ ଦେଖି କୂଳକୁ ଫେରିବ ଆସି ନ ପାରି ସେହି ପଥର ଟାପୁରେ ଅଟକି ରହିଯାଇଥିଲେ । ଏହି ସମୟରେ ନଦୀର ପାଣି ଫୁଲିବାରେ ଲାଗିଥିଲା । ପ୍ରତ୍ୟକ୍ଷଦର୍ଶୀମାନେ ଏହା ଦେଖି ବାଙ୍ଗିରିପୋଷି ଥାନା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଏବଂ ସେମାନେ ମଧ୍ୟ ଆସି ନଦୀ କୂଳରେ ପହଁଞ୍ଚି ଯାଇଥିଲେ । ମାତ୍ର ନଦୀରେ ପ୍ରଖର ସ୍ରୋତକୁ ଦେଖି ଅଗ୍ନିଶମ କର୍ମଚାରୀମାନେ ନଦୀ କୂଳରେ ଅପେକ୍ଷା କରି ରହିଥିଲେ । ଏହାପରେ ଆସ୍ତେ ଆସ୍ତେ ନଦୀରେ ଜଳସ୍ତର ତଳକୁ ଖସିବାରେ ଲାଗିଥିଲା ଏବଂ ସ୍ରୋତର ବେଗ ସାମାନ୍ୟ ହ୍ରାସ ପାଇବା ପରେ ଦେବେନ୍ଦ୍ର ଓ ଉପେନ୍ଦ୍ର ଦୁଇଟି ଛେଳିକୁ ଧରି ପହଁରି ପହଁରି ଆସି କୂଳରେ ପହଁଞ୍ଚିଥିଲେ ।