‘ଜାତୀୟ ଶିକ୍ଷାନୀତି-୨୦୨୦’ ଉପରେ ୱେବନିଅର ସେମିନାର
ପଦ୍ମପୁର(ଶାସକ ପ୍ରଶାସକ )- ସଂପ୍ରତି କେନ୍ଦ୍ର ସରକାରଙ୍କ ପ୍ରଣୀତ ଜାତୀୟ ଶିକ୍ଷାନୀତି-୨୦୨୦ରେ ମାତୃଭାଷା ତଥା ଆଂଚଳିକ ଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନକୁ ଗୁରୁତ୍ୱ ଆରୋପ କରାଯାଇଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ ସମ୍ବଲପୁରୀ/କୋଶଲି ଭାଷାରେ ପ୍ରାଥମିକ ଶିକ୍ଷା ଦାନ ପାଇଁ ଦୀର୍ଘ ଦିନରୁ ହୋଇଆସୁଥିବା ଦାବୀରେ ଆଶା ସଂଚାର ହୋଇଛି । ସମଗ୍ର ଓଡିଶାର ଅର୍ଧେକ ଅଂଚଲରେ ପ୍ରାୟ ଦୁଇ କୋଟିରୁ ଅଧିକ ଲୋକ ବ୍ୟବହାର କରୁଥିବା ସମ୍ବଲପୁରୀ/କୋଶଲି ଭାଷା-ସାହିତ୍ୟର ଭଣ୍ଡାର ସମୃଦ୍ଧ ହୋଇଚାଲିଛି । ନାଟକ ଏବଂ ଚଳଚିତ୍ର ଗୁଡିକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇ ନିଜର ପରିଚୟ ସୃଷ୍ଟି କରିପାରିଛି । ଏହି ଭାଷାର ସାରସ୍ୱତ ସାଧକଙ୍କୁ ପଦ୍ମଶ୍ରୀ ପୁରସ୍କାର, ଭାଷା ସମ୍ମାନ ପ୍ରଭୃତି ମିଳିସାରିଛି । କିଛି ବିଦ୍ୟାଳୟରେ ଉକ୍ତ ଭାଷାକୁ ଅନୈାପଚାରିକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି । ତେଣୁ ଏହି ସ୍ୱୟଂ ସଂପୂର୍ଣ୍ଣ ସମ୍ବଲପୁରୀ/କୋଶଲି ଭାଷାକୁ ପଶ୍ଚିମ ଓଡିଶାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନର ମାଧ୍ୟମ ଭାବେ ବ୍ୟବହାର ହେଲେ ଭାଷାଗତ ସମସ୍ୟାର ସମ୍ମୁଖୀନ ହେଉଥିବା ଛୋଟ ପିଲାମାନେ ବହୁଳ ଭାବେ ଉପକୃତ ହୋଇପାରିବେ ।
ତେଣୁ ଏ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ପଶ୍ଚିମ ଓଡିଶାର ସାହିତ୍ୟ, ସାମାଜିକ ଅନୁଷ୍ଠାନ, ବୁଦ୍ଧିଜିବୀ, ଶିକ୍ଷାବିତ୍ ପ୍ରମୂଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକତା ରହିଛି ବୋଲି ଜାତୀୟ ଶିକ୍ଷାନୀତି ଉପରେ ଆୟୋଜିତ ଏକ ୱେବନିଅରରେ ମତପ୍ରକାଶ ପାଇଛି । ଛଁଏରା କୁଟୁମ କୁଚିପାଲି ଆନୁକୂଲ୍ୟରେ ଫେସବୁକ ପେଜରେ ଆୟୋଜିତ “ଜାତୀୟ ଶିକ୍ଷାନୀତି-୨୦୨୦ ରେ ସମ୍ବଲପୁରି କୋଶଲି ଭାଷାରେ ପ୍ରାଥମିକ ଶିକ୍ଷାଦାନ ସଂଭାବନା” ଶିର୍ଷକ ଅନଲାଇନ ଆଲୋଚନାଚକ୍ର ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଗାଳ୍ପିକ ସତ୍ୟପ୍ରକାଶ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଟେକଚାନ୍ଦ ଦୁଆନ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଶିକ୍ଷକ ନେତ୍ରାନନ୍ଦ ପଧାନ ଆଳୋଚକ ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେବେଶ ସାହୁ ସହଯୋଗ କରିଥିଲେ ।