ହେଡଲାଇନସ୍:

ବ୍ୟକ୍ତିଗତ ଘରୋଇ ପାଇଖାନା , ନିର୍ମାଣ ଅଧାପନ୍ତରିଆ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ରେ  ସଚ୍ଛ ଭାରତ ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳର ଗରୀବ ପରିବାରକୁ ସମ୍ପୁର୍ଣ୍ଣ ମାଗଣାରେ ସରକାର ୧୨ ହଜାର ଟଙ୍କାରେ ବ୍ୟକ୍ତିଗତ ଘରୋଇ ପାଇଖାନା ଯୋଗାଇ ଦେଉଛନ୍ତି । ଏ ଯୋଜନା ମାଧ୍ୟମରେ ବ୍ଲକ୍ ର  ସମସ୍ତ ପରିବାରକୁ ପାଇଖାନା ଯୋଗାଇଦେବାକୁ ନିଷ୍ପତ୍ତି ସରକାର ନେଇଥିଲେ ମଧ୍ୟ ତାହା କିଭଳି ତୃଣ ମୂଳସ୍ତରରେ କାର୍ଯ୍ୟକାରୀ ହେଉଛି ଆଉ କେହି ଦେଖୁନାହାନ୍ତି । କିଛି ସ୍ୱେଚ୍ଛାସେବୀ ସଂସ୍ଥା ଓ ଠିକାଦାର ମାନଙ୍କୁ ବ୍ଲକ୍ ପ୍ରଶାସନ  ନିର୍ମାଣ ଦାୟିତ୍ୱ ଦେଇ ବସି ରହିଥିବା ଅଭିଯୋଗ ହୁଏ । ପାଇଖାନା ନିର୍ମାଣ କାମ ଅଧାପନ୍ତରିଆ ଅବସ୍ଥାରେ ଛାଡି ଦେଇ ବିଲ୍ ଉଠାଇ ନିର୍ମାଣକାରୀ ସଂସ୍ଥା ଓ ଠିକାଦାର ଫେରାର ହେଉଛନ୍ତି । କାମ ଦେଖିବା ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସହ ହାତ ମିଶାଇ କାମ ନ ହୋଇ ବିଲ୍ ପାଇ ଯାଉଛନ୍ତି ।

ରେଢାଖୋଲ ବ୍ଲକ୍ ର ବିଭିନ୍ନ ଗ୍ରାମକୁ ଗଲେ ଏ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ।  କାହାର ଆଜବେଷ୍ଟସ ଛାତ ହୋଇ ନାହିଁ ତ କାହାର କାନ୍ଥ ସମ୍ପୁର୍ଣ୍ଣ ହୋଇ ନାହିଁ । କିଛି ହିତାଧିକାରୀମାନଙ୍କ ପେନ ବସିନଥିବା ବେଳେ କାହାର କବାଟ ଲାଗିନାହିଁ । ସେହିପରି କିଛି ଲୋକଙ୍କ ପାଇଖାନା ନିର୍ମାଣ ବିଲକୁଲ ନ ହୋଇ ନିର୍ମାଣ କରିଥିବା ସଂସ୍ଥା ବିଲ୍ ଉଠାଇ ଖାଇ ଦେଇଥିବା ଅଭିଯୋଗ ହୁଏ । ଲୋକେ ପାଇଖାନା ବ୍ୟବହାର କରିନପାରି ଅସୁବିଧା ଭୋଗ କରୁଥିବା ଓ ବାହାରେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି । ଏ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମମାନଙ୍କ ରେ ଦାବୀ ହେଉଛି ।

0
0
0
s2sdefault