ହେଡଲାଇନସ୍:

ପୋଲାଭରମ : ଫାଇଦାରେ ଆନ୍ଧ୍ର, ବିନ୍ଧୁଛି ମାଲକାନଗିରିଵାସୀଙ୍କ ମରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସଭିଏଁ କାନ୍ଦୁଛନ୍ତି ପୋଲାଭରମକୁ ନେଇ , ହେଲେ କାହା ଆଖିରେ  ଲୁହ ଟୋପେ ନାହିଁ 

  • ଅନିଶ୍ଚିତତାର ଡୋରିରେ ଝୁଲୁଛି ମାଲକାନଗିରିବାସୀଙ୍କ ଭାଗ୍ୟ  

ମାଲକାନଗିରି/କାଲିମେଳା ( ବି ଶ୍ରୀନିବାସ ପାତ୍ର)  :- ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ( ଇନ୍ଦିରା ସାଗର ଡ୍ୟାମ) | କାହା ପାଇଁ ଖୁସି ଆଉ କାହା ପାଇଁ ଅସରନ୍ତି ଚିନ୍ତା ଆଉ ଦୁଃଖର ସାମାନ ପାଲଟିଯାଇଛି | ପୋଲାଭରମକୁ ନେଇ ରାଜନେତାଙ୍କ ରାଜନୀତି, ସରକାରଙ୍କ ବୟାନବାଜି ଆଉ ତଥାକଥିତ ପରିବେଶ ପ୍ରେମୀ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଚାଲିଛି କୁମ୍ଭୀର କାନ୍ଦଣା | ଅଦାଲତରୁ ଟ୍ରିବ୍ୟୁନାଲ ଯାଏ ଲମ୍ବୀଛି ମାମଲା | ପ୍ରସଙ୍ଗ ଉଠିଲେ କିଛି ଦିନ ଚାଲୁଛି ହୋ ହଲ୍ଲା   ଦିନ ଗଡିଗଲେ ପ୍ରସଙ୍ଗ ଥଣ୍ଡା ପଡିଯାଏ | ଏହାକୁ ନେଇ ଚାଲିଛି ବାକ ବିତଣ୍ଡା ଗର୍ଜ୍ଜନ ତର୍ଜ୍ଜନ, ହେଲେ ମାଲକାନଗିରିଵାସୀଙ୍କ ସ୍ଵାର୍ଥ ପାଇଁ ଫଳ କିନ୍ତୁ ଶୂନ |  କିନ୍ତୁ କିଏ ମାନନ୍ତୁ ବା ନମାନନ୍ତୁ  କାହାର କଣ ଲାଭ କ୍ଷତି, କାହାର କଣ ମତଲବ ବା କାହାର ଦୋଷ ଆଉ କିଏ ନିର୍ଦୋଷ ସେ ତ ଭିନ୍ନ କଥା | ହେଲେ ଲାଭ ଖାଉଛନ୍ତି ଓ  ଖାଇବେ ଆନ୍ଧ୍ର ସରକାର ଏବଂ ହେଲେ ଦୁର୍ଦ୍ଦଶା ଭୋଗୁଛନ୍ତି ମାଲକାନଗିରି ଜିଲ୍ଲାବାସୀ ଆଉ ଆଗକୁ ବଢିବ ବ୍ୟଥା । 

ପୋଲାଭରମ ପ୍ରକଳ୍ପ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ମୋଟୁ ଅଞ୍ଚଳ ବାସୀ । ପ୍ରତିବର୍ଷ ଏହି ବର୍ଷା ସମୟରେ ଭାସୁଛି ବହୁ ଧନସମ୍ପତ୍ତି |  ତା ସହିତ ଭାସୁଛି ସେମାନଙ୍କ ଶହ ଶହ ହେକ୍ଟର ଚାଷଜମିର ଫସଲ । ଚଳିତ ବର୍ଷ ୯ ଦିନର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୀଷ ଅଗ୍ରୱାଲ ଯାଇଥିଲେ,ସୂଚନା ଦେଇଥିଲେ ପାଖାପାଖି ୩ ଶହ ଚାଳ ଛପର ଘରର ଆଂଶିକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରାୟ ୨ ହଜାର ହେକ୍ଟର ଚାଷଜମିରେ ବନ୍ୟାଜଳ ମାଡି ଯାଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୋଲାଭରମ ପ୍ରକଳ୍ପଟି ଆନ୍ଧ୍ରପ୍ରଦେଶର ବଡ଼ ପ୍ରୋଜେକ୍ଟ ହୋଇଥିବାରୁ ସେମାନେ ଏହାକୁ ନେଇ ବହୁ ରାଜନୀତି କରୁଛନ୍ତି । ତାଙ୍କର ଏହି ମେଗା ପ୍ରୋଜେକ୍ଟ ଯୋଗୁ ଏବେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡୁଛି | ଆଗରେ ସ୍ଥିତି ଆହୁରି ବିପଦ ଜଣକ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି | ଯେମିତି ଗୋଦାବରୀ ନଦୀର ପଛୁଆ ପାଣି ଏବଂ ସିଲେରୁ ଓ ସବେରୀ ନଦୀରୁ ପ୍ରବେଶ କରିଥିବାରୁ ବନ୍ୟାପାଣି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ସ୍ଥିର ହୋଇ ରହି ଯାଇଥାଏ ଯାହାଫଳରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଛନ୍ତି । 

ଆନ୍ଧ୍ରପ୍ରଦେଶର ମେଗା ପ୍ରୋଜେକ୍ଟ ଇନ୍ଦିରା ସାଗର ଡ୍ୟାମ ତଥା ପୋଲାଭରମ ପ୍ରକଳ୍ପ ଟି ୧୯୭୮ ମସିହାରେ ଆନ୍ଧ୍ର ସରକାରଙ୍କ ଦ୍ଵାରା ଆନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପରିକଳ୍ପନା କରାଯାଇଥିଲା । ସେତେବେଳେ ଏହି ଡ୍ୟାମର ଉଚ୍ଚତା ଡିଜାଇନ କରାଯାଇଥିଲା କେବଳ ୧୫୦ ଫୁଟ | କିନ୍ତୁ ୧୯୯୭ ମସିହାରେ ପୁଣି ଏହାର ଉଚ୍ଚତା ବଢାଇବା ପାଇଁ ଆନ୍ଧ୍ର ସରକାର ଦାବି କରିଥିଲେ ଯେ ଏହାର ଉଚ୍ଚତା ୧୫୦ ଫୁଟ ବଦଳରେ ୧୮୨ ଫୁଟ କରାଯିବ । ଯାହାଫଳରେ ପରବର୍ତ୍ତୀ ସମୟରେ ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନା ସରକାର ମିଳିମିଶି ବିରୋଧ କରିଥିଲେ । ହେଲେ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ପରେ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର ସରକାର ତ୍ୱରାନ୍ୱିତ କରିଥିଲେ । ହେଲେ ପ୍ରୋଜେକ୍ଟଟି ଆନ୍ତଃରାଜ୍ୟ ପ୍ରକଳ୍ପ ହୋଇଥିବାରୁ ଏହା ବିରୁଦ୍ଧରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିବାକୁ ବାଧ୍ୟ ହୋଇଥିଲେ ହେଁ ଏହାର ସମାଧାନ ଏବେ ସୁଦ୍ଧା ହୋଇପାରିନାହିଁ । ଏପଟେ ୨୦୧୯ ମସିହାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ | ସେଠାରେ ଉଲ୍ଲେଖ ଥିଲା ଯେ ପୋଲାଭରମ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ପାଇଁ କୌଣସି କ୍ଷତିପୂରଣ କିମ୍ବା ଥଇଥାନର ଆବଶ୍ୟକତା ନାହିଁ । କାରଣ ଉଭୟ ସିଲେରୁ ଓ ସବେରୀ ନଦୀ କୂଳରେ ଆଳିବାନ୍ଧି ଦେଲେ ଓଡିଶା କିମ୍ବା ଛତିଶଗଡ଼ ରାଜ୍ୟର କୌଣସି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିପାରିବ ନାହିଁ । କେନ୍ଦ୍ର ସରକାରଙ୍କ ଏହି ଜବାବରେ ପୋଲାଭରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାକର ହାନ୍ତାଳ ପ୍ରଶ୍ନ କରିଛନ୍ତି ଯଦି ଉଭୟ ନଦୀରେ ଆଳିବାନ୍ଧି ଦିଆଯାଏ ତୋ ତାହା ସହିତ ଜଡିତ ହେଉଥିବା ଛୋଟ ଛୋଟ ଶାଖା ନଦୀର ପାଣି କୁଆଡେ ଯିବ । ଏହିପରି କଲେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ କରି ହେବ ନାହିଁ ବରଂ ଏହା ମାଲକାନଗିରି ଜିଲ୍ଲାକୁ ଆହୁରି କ୍ଷୟକ୍ଷତି କରାଇବ । ବର୍ତ୍ତମାନ ସୁଦ୍ଧା ପୋଲାଭରମ ପ୍ରକଳ୍ପଟିର ମାତ୍ର ୫୦ % ପ୍ରତିଶତ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡୁଛି | ଯଦି ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇଯାଏ ତେବେ ଭବିଷ୍ୟତରେ ଆଉ କେତେ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡିବ ତାହା ଆକଳନ କରାଯାଇପାରିବ ନାହିଁ ।

0
0
0
s2sdefault