ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲ ଗ୍ରାମର ଜୈନେକ ୪୫ବର୍ଷିୟ ବ୍ୟକ୍ତିଙ୍କ ପାଖରେ କରୋନା ପଜିଟିଭ ବାହାରିବା ପରେ ଗ୍ରାମ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଚାରି ଦିନ ପୂର୍ବରୁ ସୂଦୁର କଲିକତାରୁ ଆସି ଗ୍ରାମରେ ରହିଥିଲେ ମଧ୍ୟ ପଂଚାୟତ ପ୍ରଶାସନ ପାଖରେ ଖବର ନ ଥିବା ଘଟଣାକୁ ନେଇ ଅଂଚଳର ବୁଦ୍ଧିଜୀବୀ ଚିନ୍ତିତ ହୋଇପଡିଛନ୍ତି । ଉଭୟ ସରକାର କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ପଂଚାୟତ ସ୍ତରକୁ ମଜବୁତ କରିବା ସହ ସରପଂଚ ମାନଙ୍କୁ ଜିଲ୍ଳାପାଳ କ୍ଷମତା ପ୍ରଦାନ କରିଛନ୍ତି ଆହିରି ମଧ୍ୟ ସରପଂଚ ମାନଙ୍କୁ ସହଯୋଗ କରିବା ପାଇଁ ପ୍ରତେକ ଗ୍ରାମରେ ଗୋଟିଏ ଲେଖାଁଏ କମିଟି ଗଠନ କରାଯାଇଛି । ସରକାର ପଂଚାୟତ ସ୍ତରରେ ଏପରି ଅଭେଦ୍ୟ ଦୁର୍ଗ ପ୍ରସ୍ତୁତ କରିଥିଲେ ସୁଦ୍ଧା ମେଲଛାମୁଣ୍ଡା ପଂଚାୟତରେ ସମସ୍ତ ଦୁର୍ଗ ଫେଲମାରିଥିବା ଅଭିଯୋଗ ହେଉଛି । ପଂଚାୟତ ପ୍ରଶାସନ ପାଖରେ ଖବର ନ ଥିବା ଯୋଗୁଁ ବାହାର ରାଜ୍ୟରୁ ଲୋକ ଜଣକ ସିଧାସଲଖ ପଶି ଆସି ଗ୍ରାମରେ ଚାରି ଦିନର ରହଣି ଭିତରେ କେତେ ଯେ ଲୋକଙ୍କ ସଂପର୍ଶରେ ଆସିସାରିଛି ତାର କଳନା କରିହେବନି । ଯଦି ପଂଚାୟତ ପ୍ରଶାସନ ନିଜର ଦାୟୀତ୍ୱକୁ ସୁଚାରୁ ରୁପେ ତୁଲାଇ ଥାଆନ୍ତା ତେବେ ମେଲଛାମୁଣ୍ଡା ପଂଚାୟତ ଭିତରକୁ କରୋନା ପ୍ରବେଶ କରିପାରି ନ ଥାନ୍ତା ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି । ଅନ୍ତତଃ ଲୋକଟିକୁ କୌଣସି ଟିଏମସିରେ ରଖି ସ୍ୱାବ ପରିକ୍ଷଣକରି ଗ୍ରାମକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇ ନ ଥାନ୍ତା ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି । ଏ ସଂପର୍କରେ ମେଲଛାମୁଣ୍ଡା ପଂଚାୟତ ସରପଂଚ ସୁନୀତା ବରିହାଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ସମ୍ଭବ ନ ହେବାରୁ ପଂଚାୟତ ଇଓ ଅରୁଣ ସାହୁ “ଲୋକ ଜଣକ ସିଧାସଳଖ ଗାଁ ପଶିଆସିଥିବା ଆମ ପାଖରେ ଖବର ନ ଥିଲା, କିମ୍ବା ଆମକୁ କୌଣସି କମିଟି ଖବର ଦେଇ ନ ଥିଲେ” ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ମାଟିଆମହୁଲ ଗ୍ରାମରେ ବିବାହ କରିଥିବା ଜୈନେକ ୪୫ବର୍ଷିୟ ବ୍ୟକ୍ତି ସୁଦୁର କଲିକତାରେ କାମ କରନ୍ତି । ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ସେ ତାଙ୍କର ପିଲାଙ୍କ ସହ ଆସି ଶଶୁର ଘରେ ବରାବର ରହନ୍ତି । ଚଳିତ ବର୍ଷ ନବାନ୍ନର ପୂର୍ବରୁ ତାଙ୍କର ଦଶ ବର୍ଷର ଝିଅ ସହ ଗ୍ରାମକୁ ଆସିଥିଲେ । ମଙ୍ଗଲବାର ଜମଳାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଉଭୟ ବାପ ଝିଅଙ୍କ ପରୀକ୍ଷା କରିବାରୁ ବ୍ୟକ୍ତି ଜଣକ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଝିଅଟିର ନେଗେଟିଭ ଆସିଛି ।