"ଏନଇଇଟି ପାଇଁ ପ୍ରାୟ ୫୦୦୦୦ ଓ ଜେଇଇ ପାଇଁ ପ୍ରାୟ ୪୦୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୭ ଟି ସହରରେ ପରୀକ୍ଷାକେନ୍ଦ୍ର ଯଥେଷ୍ଟ ନୁହେଁ | ଏତେ ପିଲା ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ବି ବର୍ତ୍ତମାନ କରୋନା କାଳରେ ନିରାପଦ ନୁହେଁ |"
ଭୁବନେଶ୍ୱର: ଦେଶରେ ଅନୁଷ୍ଠିତ ହେବାକୁ ଥିବା ସର୍ବ ଭାରତୀୟ ପ୍ରବେଶିକା ଏନଇଇଟି-ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ଼ ନିଶଙ୍କଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଏନଇଇଟି -ଜେଇଇ ପରୀକ୍ଷା ସେପ୍ଟେମ୍ବର ୧-୬ ଓ ୧୩ ତାରିଖରେ କରାଇବା ପାଇଁ ଧାର୍ଯ୍ୟ କରିଛନ୍ତି | ଓଡିଶାରୁ ଏନଇଇଟି ପାଇଁ ପ୍ରାୟ ୫୦୦୦୦ ଓ ଜେଇଇ ପାଇଁ ପ୍ରାୟ ୪୦୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ | ହେଲେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ରାଜ୍ୟରେ ମାତ୍ର ୭ ଟି ସହରରେ ପରୀକ୍ଷା କେନ୍ଦ୍ର ଘୋଷଣା କରିଛି | ହେଲେ ବର୍ତ୍ତମାନର କୋଭିଡି ପରିସ୍ଥିତିରେ ଏତେ ପିଲା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବା ନିରାପଦ ନୁହେଁ | ଅପରପକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଠାତ କରୋନା ମାମଲା ବଢିବା କାରଣରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ତରରେ ସଟ ଡାଉନ ଲକ ଡାଉନ ଜାରି ରହିଛି | ତେଣୁ ସ୍ଥାନୀୟ ସ୍ତରରେ ଯାତାୟାତ ଓ ଗମନାଗମନ ବାଧାପ୍ରାପ୍ତ ବି ହୋଇଥାଏ |
ମୁଖ୍ୟମନ୍ତ୍ରି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଜେ ଓଡିଶା ଏକ ଆଦିବାସୀ ବହୁଳ ରାଜ୍ୟ | ସହରାଂଚଲରେ ଧାର୍ଯ୍ୟ ହୋଇଥିବା ପରୀକ୍ଷା କେନ୍ଦ୍ରଠାରୁ ବହୁ ଦୂରରେ ତଥା ଭୌଗଳିକ ଦୃଷ୍ଟିରୁ ଅଗମ୍ୟ ଅଂଚଳରେ ବାସ କରନ୍ତି | ସେହି ଅଂଚଳରେ ବାସ କରୁଥିବା ପିଲାମାନେ ଦୂରଦୂରାନ୍ତରୁ ଆସି ପରୀକ୍ଷା କେନ୍ଦ୍ରରେ ପହଂଚିବା କଷ୍ଟ ସାଧ୍ୟ ହେବ | ତେଣୁ ଉପରୋକ୍ତ କାରଣରୁ ସେପ୍ଟେମ୍ବର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବାକୁ ଥିବା ଏନଇଇଟି -ଜେଇଇ ପରୀକ୍ଷା ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି |
ପରବର୍ତ୍ତୀ ତାରିଖରେ ଏନଇଇଟି -ଜେଇଇ ପରୀକ୍ଷା ଘୋଷଣା ପୂର୍ବରୁ ପିଲାମାନଙ୍କ ସୁବିଧା ପାଇଁ ୩୦ ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି |