କାଶୀପୁର: ରାୟଗଡ଼ା ଜିଲ୍ଲା କଂସାରିଗୁଡ଼ା ଠାରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ନିର୍ମାଣାଧୀନ ଆଦିତ୍ୟ ଆଲୁମିନା ରିଫାଇନେରୀ ପ୍ରକଳ୍ପର କାର୍ଯ୍ୟ ନିରନ୍ତର ଭାବେ ଅଗ୍ରଗତି କରୁଅଛି। ସମ୍ପ୍ରତି ନିର୍ମାଣ କାର୍ଯ୍ୟ ସହିତ କମ୍ପାନୀ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ଭିତ୍ତିଭୂମି ବିକାଶ ତଥା ସ୍ଥାନୀୟ ଗ୍ରାମାଞ୍ଚଳ ଲୋକଙ୍କ ଉନ୍ନୟନ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ସହଯୋଗ କରୁଅଛି। ଯାହାଫଳରେ ସ୍ଥାନୀୟ ଗ୍ରାମାଞ୍ଚଳର ୧୮ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ, ଏହି ପ୍ରକଳ୍ପ ଭବିଷ୍ୟତରେ ରୋଜଗାର ସୃଷ୍ଟି ଏବଂ ଉନ୍ନତ ସୁବିଧା ପ୍ରଦାନ ମାଧ୍ୟମରେ ଅଞ୍ଚଳ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ। ଆଜିସୁଦ୍ଧା ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ୧,୦୦୦ରୁ ଅଧିକ ଯୁବକ ବିଭିନ୍ନ ଏଜେନ୍ସୀ ମାଧ୍ୟମରେ ଏହି ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି । ଯାହା ସେମାନଙ୍କ ଜୀବିକା ଉନ୍ନତି ଏବଂ ଅଞ୍ଚଳର ଆର୍ଥିକ ବିକାଶ ପାଇଁ ନୂତନ ଆଶା ଓ ସମ୍ଭାବନା ସୃଷ୍ଟି କରିଛି।
ତେବେ ପ୍ରକଳ୍ପର ଅଗ୍ରଗତି ସତ୍ତ୍ୱେ କିଛି ସ୍ୱାର୍ଥ ପ୍ରବୃତ୍ତି ଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ସମୟରେ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇଆସୁଛି। ନିକଟ ଅତୀତରେ ଘଟିଥିବା ଏକ ଦୁର୍ଭାଗ୍ୟଜନକ ଘଟଣାରେ ଏକ ଗୋଷ୍ଠୀ ବେଆଇନ ଭାବେ ନିର୍ମାଣସ୍ଥଳରେ ପ୍ରବେଶ କରି ସୁରକ୍ଷାକର୍ମୀମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାଫଳରେ କେତେକ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ସୁରକ୍ଷା ଓ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୁରୁତର ଚିନ୍ତା ସୃଷ୍ଟି ହୋଇଛି।
ଏହା ବ୍ୟତୀତ, ଏଲ୍ ଆଣ୍ଡ ଟି, ଏସଆର ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ଏଜେନ୍ସି ମାଧ୍ୟମରେ ନିୟୋଜିତ କେତେକ ଶ୍ରମିକ ଅମୂଳକ କାରଣ ଦର୍ଶାଇ ହଠାତ୍ ଧର୍ମଘଟରେ ସାମିଲ ହୋଇଥିବା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଏପରି କାର୍ଯ୍ୟକଳାପ ସ୍ଥାନୀୟ ଜନସାଧାରଣଙ୍କ ପ୍ରକୃତ ସମସ୍ୟା ଅପେକ୍ଷା କିଛି ବାହ୍ୟ କର୍ପୋରେଟ ସ୍ୱାର୍ଥ ଦ୍ୱାରା ପ୍ରଭାବିତ ହୋଇଥିବା ଭଳି ମନେ ହେଉଛି |
ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ଗ୍ରାମାସୀମାନେ ସଦାସର୍ବଦା ଏହି ପ୍ରକଳ୍ପକୁ ଦୃଢ଼ ସମର୍ଥନ ଦେଇଆସିଛନ୍ତି । ଏବଂ ଏହା ଅଞ୍ଚଳର ରୂପାନ୍ତର ତଥା ଉନ୍ନତି ଆଣିବାର କ୍ଷମତା ରଖିଥିବା ବୋଲି ବିଶ୍ୱାସ କରୁଛନ୍ତି। କିନ୍ତୁ ବାହାରର କିଛି ଅସାମାଜିକ ତତ୍ତ୍ୱଙ୍କ ଲଗାତାର ହସ୍ତକ୍ଷେପ ପ୍ରକଳ୍ପର ସମୟୋପଯୋଗୀ ସମାପ୍ତିକୁ ବାଧାପ୍ରାପ୍ତ କରିବା ସହ ସ୍ଥାନୀୟ ଲୋକଙ୍କ ଭବିଷ୍ୟତ ସମ୍ଭାବନାକୁ କ୍ଷତିଗ୍ରସ୍ତ କରିପାରେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ୁଛି।
ସ୍ଥାନୀୟ ଗ୍ରାମର ଲୋକମାନେ ମତ ପ୍ରକାଶ କରିଛନ୍ତି ଯେ, ଏଭଳି ବିଘ୍ନ ସୃଷ୍ଟି ପଛରେ ପ୍ରକଳ୍ପର ଅଗ୍ରଗତିକୁ ରୋକିବାକୁ ଚାହୁଁଥିବା ପ୍ରତିଦ୍ୱନ୍ଦ୍ୱୀ ସ୍ୱାର୍ଥ ଥାଇପାରେ। ସେମାନେ ଶାନ୍ତିପୂର୍ଣ୍ଣ ବିକାଶ ପ୍ରତି ନିଜ ଆକାଂକ୍ଷା ବ୍ୟକ୍ତ କରିବା ସହ ସମସ୍ତ ଅଂଶୀଦାରଙ୍କୁ ପ୍ରକଳ୍ପଟି ଯେପରି ଅଧିକ ବାଧା ବିନା ଆଗକୁ ବଢ଼ିପାରିବ ସେଥିପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।
ଆଦିତ୍ୟ ଆଲୁମିନା ରିଫାଇନେରୀ ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ, ପ୍ରଶାସନ ଓ ସମସ୍ତ ଅଂଶୀଦାରଙ୍କ ସହ ଘନିଷ୍ଠ ସହଯୋଗରେ କାର୍ଯ୍ୟ କରି ସୁରକ୍ଷିତ, ସ୍ୱଚ୍ଛ ଓ ସମୟାନୁକୂଳ ଭାବେ ପ୍ରକଳ୍ପକୁ ସମ୍ପାଦନ କରିବାକୁ ପ୍ରତିବଦ୍ଧ। କମ୍ପାନୀର ବିଶ୍ୱାସ ଯେ, ଏହି ପ୍ରକଳ୍ପ ଅଞ୍ଚଳରେ ସ୍ଥାୟୀ ଅଭିବୃଦ୍ଧି ଓ ସମାବେଶୀ ବିକାଶର ଏକ ମୂଳ ଆଧାର ଭାବେ ପରିଣତ ହେବ।







