
ଓଡଗାଁ, ୩୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡଗାଁ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟା ପ୍ରତିବାଦରେ ଆଜି ଓଡଗାଁସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଯୋଗଦେଇ ସରକାର ଓ ବିଦ୍ୟୁତ ବିଭାଗର ଉଦାସୀନତାକୁ କଡ଼ା ସମାଲୋଚନା କରିଥିଲେ। ଶ୍ରୀ ଦାଶ କହିଥିଲେ ଯେ, ଓଡଗାଁ ଓ ଆଖପାଖ ଗ୍ରାମାଞ୍ଚଳର ଲକ୍ଷାଧିକ ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ଦୀର୍ଘ ବର୍ଷ ଧରି ଓଡଗାଁରେ ଏକ ସ୍ୱତନ୍ତ୍ର ୩୩ କେଭି ଗ୍ରୀଡ୍ ସ୍ଥାପନ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ବର୍ତ୍ତମାନ ରାଜପାଟଣା ୩୩ କେଭି ଗ୍ରୀଡ୍ ଉପରେ ନିର୍ଭର କରି ବିଦ୍ୟୁତ ଯୋଗାଣ ହେଉଥିବାରୁ ସାମାନ୍ୟ ଝଡ଼, ବର୍ଷା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡଗାଁ ଅଞ୍ଚଳରେ ଦିନ ଦିନ ଧରି ବିଦ୍ୟୁତ ସରବରାହ ବ୍ୟାହତ ହେଉଛି।
ସେ ଆହୁରି କହିଥିଲେ ଯେ, ଓଡଗାଁରେ ନିଜସ୍ୱ ୩୩ କେଭି ଗ୍ରୀଡ୍ ସ୍ଥାପନ ହେଲେ ଅଞ୍ଚଳବାସୀ ନିରନ୍ତର ଓ ଗୁଣାତ୍ମକ ବିଦ୍ୟୁତ ସେବା ପାଇପାରିବେ। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଥିଲେ।
ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ କହିଥିଲେ ଯେ, ଓଡଗାଁବାସୀଙ୍କ ସ୍ୱାର୍ଥ ଓ ମୌଳିକ ସୁବିଧା ପାଇଁ କଂଗ୍ରେସ ରାଜରାସ୍ତାରେ ସଂଘର୍ଷ ଜାରି ରଖିବ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଡିସିସି କିସାନ ସେଲ୍ ସଭାପତି ବସନ୍ତ କର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ସୁନ୍ଦର ସାହୁ, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଓଡଗାଁ ଏନଏସି କଂଗ୍ରେସ ସଭାପତି ବିଭୂତି ରାଉତ, ଜୋନ ସଭାପତି ମଦନମୋହନ ବିଶୋଇ, ବୁଲୁ ପଟ୍ଟଶାଣି, ଶ୍ରୀନିବାସ ନାୟକ, ସୋମନାଥ ସାହୁ, ପ୍ରଶାନ୍ତ କୁମାର ଦାସ, ଦଣ୍ଡପାଣି ମହାରଣା, ଜଗନ୍ନାଥ ଭଟ୍ଟ, ବିଜୟ ପ୍ରଧାନ ଓ ସେବାଦଳ କାର୍ଯ୍ୟକର୍ତ୍ତା ନିରଞ୍ଜନ ରାଉତଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ
ଓଡଗାଁ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ।
- Hits: 20







