ଝାରସୁଗୁଡ଼ା :(ସୁଭାଷ ସହାରେ) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ ଅବସରରେ ଆଜି ଦେଶର କୋଣ ଅନୁକୋଣ ତାଙ୍କୁ ସ୍ମରଣ କରୁଛି। କଂଗ୍ରେସ ଦଳ ଦେଶର ସମସ୍ତ ସ୍ଥାନରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛି। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ତରଫରୁ ମଧ୍ୟ ଏହି ଅବସରରେ କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବରେ ଏହି ଦିବସକୁ ପାଳନ କରିଛି। ଏହି ଅବସରରେ ଶ୍ରୀ ଗାନ୍ଧୀଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡି଼କୁ ଆଜି କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଓ ନେତୃତ୍ୱ ସ୍ମରଣ କରିଥିଲେ। ଯୁବପିଢ଼ିକୁ ନିର୍ବାଚନରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ ପାଇଁ ଭୋଟଦାନ ବୟସକୁ ୨୧ ରୁ ୧୮ ବର୍ଷ କରିବା, ଭାରତରେ କମ୍ପ୍ୟୁଟରର ବିସ୍ତାର,ପଞ୍ଚାୟତିରାଜର ସୁଦୃଢୀକରଣ ଭଳି ବିଭିନ୍ନ ପଦକ୍ଷେପ ପାଇଁ ଶ୍ରୀ ରାଜୀବ ଗାନ୍ଧୀ ଅମର ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅର୍ଥନିତୀଜ୍ଞ ଶ୍ରୀଯୁକ୍ତ ମନମୋହନ ସିଂହଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାଵରେ ନିଯୁକ୍ତ କରି ଦେଶରେ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଯେଉଁ ପଦକ୍ଷେପ ଶ୍ରୀ ଗାନ୍ଧୀ ନେଇଥିଲେ, ତାହା ଆଜିର ବିଜେପି ସରକାର ଯୋଗୁଁ ସଂପୂର୍ଣ୍ଣ ଭାବରେ ଧ୍ୱଂସ ହେବାକୁ ଯାଉଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ଦେଶର ଆର୍ଥିକ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ କରିଦେବା ପରେ ବର୍ତ୍ତମାନର ବିଜେପି ସରକାର ସମସ୍ତ ଲାଭକାରୀ ପିଏସୟୁ ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ବିକ୍ରି କରି ଚାଲିଛନ୍ତି।
ଏହି ଅବସରରେ ଜିଲ୍ଲା କଂଗ୍ରେସ ତରଫରୁ ବୃକ୍ଷରୋପଣ ଓ ଚାରାବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା କଂଗ୍ରେସ ପ୍ରାର୍ଥୀ ଶ୍ରୀ ମହେନ୍ଦ୍ର ନାୟକ, ଆଡଭୋକେଟ ସିୟାରାମ ଦାସ, ଭରତ ଅଗସ୍ତି, ଫକୀର ନାଏକ, ନିଖିଲ ଘୋଷ, ପ୍ରଶାନ୍ତ ବିଶି, ରାହୁଲ ଠାକୁର, ଆଦର୍ଶ ଗାନ୍ଧୀ,କମାଲ ଖାନ ପ୍ରଭୃତି ଯୋଗ ଦେଇଥିଲେ।