ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୪ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୦ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଙ୍ଗୀତ ଗାନ ସହ କୋଭିଡ୍-୧୯ର ସମସ୍ତ ନିୟମ ପାଳନ ସହ ମନ୍ତ୍ରୀ ଶ୍ରୀ ସାରକା ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ ।
ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ସାରକା ପ୍ରଥମେ ଦେଶ ସ୍ବାଧୀନତା ପାଇଁ ନିଜ ଜୀବନକୁ ଉସର୍ଗ କରିଥିବା ଶହୀଦ ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରାଧୀନରୁ ମୁକ୍ତିପାଇଁ ସ୍ବାଧୀନତା ପଥରେ ଯୁଦ୍ଧକରି ଶହୀଦ ସଂଗ୍ରାମୀ ମାନଙ୍କୁ ଆଜିର ଦିନରେ ସେମାନଙ୍କର ସ୍ମୃତିଚାରଣ କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ ।
କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଯେଉଁ ମାନେ ଧୈର୍ଯ୍ୟର ସହ ନିଜ ଜୀବନକୁ ବାଜି ଲଗାଇ ସେବାକର୍ଯ୍ୟ କରି ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ସ୍ମୃତିଚାରଣ କରିବାସହ ସେମାନଙ୍କ ଆତ୍ମାର ସଦଗତି କାମନା କରିଥିଲେ । ଆମର କରୋନା ଯୋଦ୍ଧା ମାନଙ୍କ ଧୈର୍ଯ୍ୟ , ନିଷ୍ଠା ଓ ତ୍ୟାଗ ଯୋଗୁଁ ଆମେ କରୋନାର ଉଚିତ ମୁକାବିଲା କରିବା ଦିଗରେ ଅଧିକ ଶକ୍ତିଶାଳୀ ହୋଇ ପାରିଛୁ ।
ତେଣୁ ଆମେ କରୋନାକୁ ଅଧିକରୁ ଅଧିକ ଦୃଢ ମୁକାବିଲା କରିବା କ୍ଷେତ୍ରରେ ଆମେ ସବୁବେଳେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , ହାତ ସବୁବେଳେ ଧୋଇବା , ସାଧାରଣ ସ୍ଥାନରେ ଛେପ ନ ପକାଇବା , ଆବଶ୍ୟକ ନ ଥିଲେ ଘରୁ ବାହାରିବା ନାହିଁ ଏବଂ ଜନ ଗହଳି ସ୍ଥାନରୁ ଦୁରେଇ ରହିବା ପ୍ରଭୃତି ପ୍ରତି ଆମେ ସଚେତନ ରହିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସମୟରେ ସେବା କାର୍ଯ୍ୟ ଯୋଗାଇ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ୪ଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
ସେହିଭଳି କରୋନା ସମୟରେ ନିଜ ଜୀବନ ପ୍ରତି ଖାତିର ନ କରି କରୋନା ସଂକ୍ରମିତଙ୍କୁ ଦିନରାତି ଅହରହ ସେବା ଯୋଗାଇ ଆସୁଥିବା ବିଭିନ୍ନ ବିଭାଗ ଯଥା:- ସ୍ୱାସ୍ଥ୍ୟ ବିଭାଗର ଡାକ୍ତର , ନର୍ସ , ଏ ଏନ୍ ଏମ୍ ଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ , ପୋଲିସ , ହୋମଗାର୍ଡ , ଅଗ୍ନିଶମ ଓ ଆରଟିଓ ବିଭାଗ କର୍ମଚାରୀ , ଏନଜିଓ କର୍ମକର୍ତ୍ତା , ପୌର ପରିଷଦର ସଫେଇ କର୍ମଚାରୀ ଏବଂ କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀ ପ୍ରମୁଖ ୩୬ ଜଣ କରୋନା ଯୋଦ୍ଧାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଯେଉଁ କୋରନା ଯୋଦ୍ଧା ମାନେ ବିଭିନ୍ନ ବିଭାଗର ତଥା ସାମ୍ବାଦିକ ବନ୍ଧୁଗଣ କୋରନାକୁ ହରାଇ ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଛନ୍ତି ସେମାନଙ୍କ ନାମ ପଠନ କରି ଉତ୍ସାହିତ କରାଯାଇଥିଲା।
ଶେଷରେ ପ୍ୟାରେଡ୍ କମାଣ୍ଡରଙ୍କ ବିଦାୟ ଅଭିବାଦନ ସହ ମୁଖ୍ୟ ଅତିଥି ପ୍ରସ୍ଥାନ କରିଥିଲେ।
ଏହି ଦିବସ ସମାରୋହ ପାଳନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନୁପମ ସାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଏବଂ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନେ ଦେଇଥିଲେ ।