ଭୁବନେଶ୍ୱର (ଶାସକ ପ୍ରଶାସକ) : ମହାମାରୀ କରୋନାର ଭୟାବହତା ମଧ୍ୟରେ ଭୁବନେଶ୍ୱର ନିକଟସ୍ଥ ବାଳକାଟୀ ଅଞ୍ଚଳରେ ସ୍ଥାନୀୟ କାରିଗର ମାନଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ରୋଟାରୀ କ୍ଲବ ମିଡୋଜ ।
ବାଳକାଟୀ ଅଞ୍ଚଳର ରଥୀଜେମା ପଞ୍ଚାୟତର ଅଶୀଘର ସାହି ଅଞ୍ଚଳର ବାସିନ୍ଦା ମାନେ ସାଧାରଣତଃ ପାରମ୍ପରିକ ଭାବେ ପିତ୍ତଳ କାରିଗର ଭାବେ ପରିଚିତ । କରୋନା ରୋଗର ପ୍ରଭାବ ଏମାନଙ୍କ ଜୀବନ ଓ ଜୀବିକା ଉପରେ ବ୍ୟାପକ ପ୍ରଭାବ ପକାଇଛି । ବଜାର ଅଭାବ ଯୋଗୁଁ ଏହି କାରିଗର ମାନଙ୍କର ଆର୍ଥିକ ସ୍ଥିତି ବିପନ୍ନ ହୋଇପଡିଛି ।
ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣରେ ଏହି କାରିଗର ମାନଙ୍କୁ ସହାୟତାର ହାତ ବଢାଇଛି ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ସଂସ୍ଥା ରୋଟାରୀ କ୍ଲବ ମିଡୋଜ ।ସ୍ୱାଧୀନତା ଦିବସର ଅବ୍ୟବହିତ ଅବସରରେ ସଂଗଠନର ସଭାପତି ରୋଟାରିଆନ ସିଦ୍ଧାର୍ଥ ସାମଲଙ୍କ ନେତୃତ୍ୱରେ ଓ ପରିଚୟ ଫାଉଣ୍ଡେସନ ସହଭାଗିତାରେ ଆଜି ବାଳକାଟୀ ଅଶୀଘର ସାହିରେ ଏକ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ଶତାଧିକ କାରିଗର ମାନଙ୍କୁ ରାସନ ସାମଗ୍ରୀ ,କରୋନା ରୋଗରୁ ସୁରକ୍ଷା ନିମନ୍ତେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଅନୁଷ୍ଠାନ ସଭାପତି ଶ୍ରୀ ସାମଲଙ୍କ ସୂଚନା ଅନୁସାରେ ରୋଟାରୀ କ୍ଲବ ମିଡୋଜ ଅତୀତରେ ଏହିପରି ଅନେକ କାର୍ଯ୍ୟକ୍ରମରେ ନିଜକୁ ଜଡିତ କରିଆସିଛି ଓ ଆଗାମୀ ଦିନମାନଙ୍କରେ ମଧ୍ୟ ଏହିପରି ଭାବରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ମିଡୋଜ ସଭାପତି ରୋଟାରିଆନ ସିଦ୍ଧାର୍ଥ ସାମଲ,ସନ୍ତୋଷ ସେନାପତି,ବିଭୁରଞ୍ଜନ ସାହୁ,ବୁଢା ମହାପାତ୍ର, ରେଖା ଚିନ୍ନରା ଓ ପରିଚୟ ଫାଉଣ୍ଡେସନ ପକ୍ଷରୁ ଡଃ ରୋଜାଲୀନ ପାଟଶାଣୀ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।