କୁଳିଅଣା ପଞ୍ଚାୟତ ସମିତି ସଦସ୍ୟଙ୍କ ମିଥ୍ୟା ସତ୍ୟପାଠ ମହଙ୍ଗା ସାବ୍ୟସ୍ତ ହେଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୁଳିଅଣା ପଞ୍ଚାୟତ ସମିତି ସଦସ୍ୟ କୃଷ୍ଣ ଚନ୍ଦ୍ର ନାଏକଙ୍କ ମିଥ୍ୟା ସତ୍ୟପାଠ ମହଙ୍ଗା ସାବ୍ୟସ୍ତ ହେଲା । ଆଜି ଜିଲ୍ଲା ଓ ଦୌରା ଜଜ୍ ଏସ ଆର ବହିଦାର ମିଥ୍ୟା ସତ୍ୟପାଠ ଦାଖଲ ସମ୍ପର୍କୀତ ଏକ ଗୁରୁତ୍ୱ ପୂର୍ଣ୍ଣ ନିର୍ବାଚନୀ ମାମଲାର ଶୁଣାଣି କରି କୁଳିଅଣା ପଞ୍ଚାୟତ ସମିତି ସଦସ୍ୟ ତଥା କୁଳିଅଣା ଥାନା ସାନଜୁଣବଣି ଗ୍ରାମର କୃଷ୍ଣ ଚନ୍ଦ୍ର ନାଏକ(୩୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇଛନ୍ତି । ଏଥି ସହିତ ତାଙ୍କର ପଞ୍ଚାୟତ ସମିତି ସଦସ୍ୟ ପଦକୁ ରଦ୍ଧ କରାଇବା ସଂଗେସଂଗେ ଏହା ଆଜିଠାରୁ ରାୟ କାଏମ ରହିବ ବୋଲି ରାୟରେ ଦର୍ଶାଇଛନ୍ତି । ଏଥି ସହିତ ଆଇପିସି ଧାରା ୧୭୬ ରେ ୫ ଶହ ଟଙ୍କା ଫାଇନ ଏକ ମାସ କାରାଦଣ୍ଡ, ଧାରା ୧୭୭ ଅନୁସାରେ ୨ ମାସ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା, ଧାରା ୪୨୦ ଅନୁସାରେ ୧ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ କୃଷ୍ଣ ନାଏକ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗାଙ୍ଗରାଜ ପଞ୍ଚାୟତରୁ ନିର୍ବାଚନ ଲଢ଼ି କୁଳିଅଣା ପଞ୍ଚାୟତ ସମିତିକୁ ନିର୍ବାଚିତ ହୋଇଥିଲେ ଏବଂ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ । ତାଙ୍କର ନିିକଟତମ ପ୍ରତିଦ୍ୱନ୍ଦି ଆନିଆପାଳ ପଞ୍ଚାୟତର ଦରଖୁଳି ଗ୍ରାମର ଗାୟତ୍ରୀ ଦତ୍ତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବିଷୟକୁ ନେଇ ପଞ୍ଚାୟତ ସମିତି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସୁ ସୁଫଳ ନ ମିଳିବାରୁ ଅଦାଲତରେ ଇଲେକସନ ମିସ କେଶ ନମ୍ବର ୩୯/୨୦୧୯ରେ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ସମସ୍ତ ଶାକ୍ଷୀ ଓ ପ୍ରମାଣପତ୍ରକୁ ଭିତ୍ତି କରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ପ୍ରକାଶ ଥାଉକି, ପୂର୍ବରୁ ଏକ ମାମଲାରେ କୃଷ୍ଣଚନ୍ଦ୍ର ନାଏକଙ୍କର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଚାଲି ଯାଇଥିବା ବେଳେ ଆଜି ପଞ୍ଚାୟତ ସମିତି ସଦସ୍ୟ ପଦବୀ ମଧ୍ୟ ଚାଲିଗଲା ।











