ଘଂଟାଏ ବିଳମ୍ବରେ ପହଁଚିଲେ, ବାଟରେ ଗାଡି ଅଟକାଇ ସଇତିଲିଆ ଖାଇଲେ : ଚାଲିଗଲା ନିରୀହ ଶିଶୁର ଜୀବନ
ବାରିପଦା(ଦିଲ୍ଲୀପ ମହାନ୍ତି)-ବେତନଟୀ ନିକଟସ୍ଥ ଆମ୍ବଯୋଡ଼ା ଗ୍ରାମର ନିଶାରଞ୍ଜନ ବେହେରାଙ୍କ ଏକ ବର୍ଷର ପୁଅକୁ ଝାଡା ବାନ୍ତି ହେବାରୁ ଗତ ଅଗଷ୍ଟ ୯ ରେ ବାରିପଦା ପି ଆର ଏମ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ପିଲାର ଅବସ୍ଥା ସଂକଟାପନ୍ନ ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରିବାରୁ ଡାକ୍ତର ପରାମର୍ଶ ଦେଇଥିଲେ । ଫଳରେ ୧୦୮ ଆମ୍ବୁଲାନ୍ସ ସହିତ ଯୋଗା ଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ପହଞ୍ଚିବାକୁ ଏକ ଘଣ୍ଟା ବିଳମ୍ବ କରିଥିଲା । ବିଳମ୍ବ ହେଲେ ମଧ୍ୟ ପିଲାକୁ ଧରି କଟକ ବଡ଼ ମେଡିକାଲ ଅଭିମୁଖେ ବାହାରି ଥିଲେ ନିଶାରଞ୍ଜନ । ଆମ୍ବୁଲାନ୍ସର ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା ନିକଟରେ ପହଂଚିବା ପରେ ୧୦୮ର କର୍ମଚାରୀ ସେଠାରେ ଗାଡିକୁ ଛିଡା କରାଇ ଖାଇବା ପାଇଁ ଯାଇ ଫେରିବାରେ ବିଳମ୍ବ କରିଥିଲେ । ଏହି ସମୟରେ ଗାଡି ଭିତରେ ପିଲାର ମୃତ୍ୟୁ ହୋଇ ଯାଇଥିଲା । ଛୁଆ ର ଅବସ୍ଥା ଗୁରୁତର ଥିଲେ ମଧ୍ୟ ଗାଡ଼ିରେ ଥିବା ଅକ୍ସୀଜେନ କିମ୍ବା ସେଲାଇନ ଲଗେଇ ନ ଥିଲେ । ସେଠାରୁ ଅଳ୍ପ ଦୂର ଆସିବା ପରେ କେସିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପିଲାଟିର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଟକି ଥିଲେ । ଉପସ୍ଥିତ ଥିବା ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ଏହାପୂର୍ବରୁ ୧୦୮ର କର୍ମଚାରୀ ଫେରାର ହୋଇ ଯାଇଥିଲେ । ଘଟଣାକୁ ନେଇ ମୃତ ଶିଶୁର ମା ବେତନଟୀ ଥାନାରେ ୧୦୮ କର୍ମଚାରୀଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଛି ବୋଲି ଲିଖିତ ଆଭିଯୋଗ କରିଥିବାର ଜଣାପଡିଛି ।