ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ:: - ସୁନ୍ଦରଗଡ଼ ପୂର୍ତ୍ତ ବିଭାଗରେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଦିନକୁ ଦିନ ପଦାକୁ ଆସୁଥିବା ବେଳେ ରାଜ୍ୟ ସରକାର ଏକପ୍ରକାର ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ତାଛଡା ଉକ୍ତ ସମସ୍ତ କେଳେଙ୍କାରୀ ସ୍ଥାନୀୟ ଦୁର୍ନୀତି ନିବାରଣ ବିଭାଗର ପ୍ରୋତ୍ସାହନରେ ହେଉଥିବା ଭଳି ମଧ୍ୟ ସଙ୍ଗୀନ ଅଭିଯୋଗ ହୋଇଛି | କେବେ ରାସ୍ତା, ଗୃହ ମରାମତିରେ ଦୁର୍ନୀତି ତ ପୁଣି କେତେବେଳେ ବିଲ୍ଡିଂ ନିର୍ମାଣରେ ଯନ୍ତ୍ରୀ ଏବଂ ଅଧିକାରୀ ମାନେ ନିଜ ପାଖ ଠିକାଦାରଙ୍କୁ ଲଗାଇ ପରୋକ୍ଷରେ ନିର୍ମାଣ କାର୍ୟ୍ଯ କରୁଛନ୍ତି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସବ ଡିଭିଜନ ଟେଣ୍ଡର ଠାରୁ ଆରମ୍ଭ କରି ବଡ଼ ବଡ଼ ଟେଣ୍ଡର କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଗାଇଡ଼ ଲାଇନ ଅନୁଯାୟୀ ପ୍ରତେହ କାର୍ଯ୍ୟର ଟେଣ୍ଡର ଟଙ୍କା ଉପରେ ବ୍ୟାଙ୍କ ଗେରେଣ୍ଟି କିମ୍ବା ପୋଷ୍ଟ ଅଫିସରୁ ତିଆରି ହେଉଥିବା ଇଏମଡ଼ି ଟେଣ୍ଡରପିଛା ଦେବା କଥା | ହେଲେ ଉକ୍ତ ନିୟମର ଏଠାରେ ଖୋଲାଖୋଲି ଉଲଙ୍ଘନ ହେଉଥିବାର ଅଭିଯୋଗ ହୋଇଛି | ସେଥିରେ କୌଣସି ପ୍ରକାର ହେରଫେର ହେବକଥା ନୁହେଁ କିନ୍ତୁ ସୁନ୍ଦରଗଡ଼ ପୁର୍ତ୍ତବିଭାଗ ଦ୍ଵାରା କୌଣସି ସବଡିଭିଜନ ଟେଣ୍ଡର ଠାରୁ ଆରମ୍ଭ ହୋଇ ବଡ଼ବଡ଼ ଟେଣ୍ଡର କାର୍ଯ୍ୟରେ ସଠିକ ଭାବରେ ଏହି ଅର୍ଥ ରାଶି ଦିଆଯାଉ ନାହିଁ ଏବଂ ଅନେକ ଇଏମଡ଼ି ଡୁପ୍ଲିକେଟ ଥିବା ଅଭିଯୋଗ ହୋଇଛି | ଟେଣ୍ଡର କିମ୍ବା ସବଡିଭିଜନ ଟେଣ୍ଡର ଗୁଡ଼ିକର ଚୁକିନାମା କରାଇ ଇଏମଡ଼ି ରଖୁଥିବା ଅଧିକାରୀ ନିଜକୁ ସର୍ବେସର୍ବା ବୋଲି ଭାବୁଥିବା ବେଳେ ଅଫିସ କାର୍ଯ୍ୟ ସମୟ ବାହାରେ ଅଫିସରେ କାର୍ଯ୍ୟ କରି କିମ୍ବା ଛୁଟି ଦିନ ଗୁଡ଼ିକରେ ଅଫିସ ଖୋଲି ହେରଫେର କାର୍ୟ୍ଯରେ ବ୍ୟସ୍ତ ରହିଥାନ୍ତି | ଯଦି କୌଣସି ବ୍ୟକ୍ତି ଏହି ଟେବୁଲରେ ବସୁଥିବା ଅଧିକାରୀଙ୍କୁ ରାତ୍ରି ସମୟରେ ଅଫିସ ଖୋଲିବାର କାରଣ ସମ୍ୱନ୍ଧରେ ପଚାରନ୍ତି, ବାବୁ ଜଣକ ସଙ୍ଗେ ସଙ୍ଗେ ଉତ୍ତର ଦିଅନ୍ତି ମୋତେ ପଚାରିବା ପାଇଁ ତମେ କିଏ ? ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଏମିତି ଗଣ୍ଡା ଗଣ୍ଡା ଅଭିଯୋଗ ରହିଛି। ସେପଟେ ନିକଟରେ ନିର୍ବାହୀ ଯନ୍ତ୍ରୀ ସୁନ୍ଦରଗଡ଼ ପୂର୍ତ୍ତ ବିଭାଗରେ ବର୍ଷେ ନହେଉଣୁ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଜାଗା କିଣିବା ସହ ପୁରୀରେ ନିଜ ସମ୍ପର୍କୀୟଙ୍କ ନାମରେ ଏକର ଏକର ଜାଗା କିଣୁଥିବା ଶୁଣିବା ପାଇଁ ମିଳୁଛି ଯାହା ଭିଜିଲାନ୍ସ ତଦନ୍ତ ସାପେକ୍ଷ | ଅପରପକ୍ଷରେ ଦେଖିବା ପାଇଁ ଗଲେ ଏହି ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ ଯଥା ଅନେକ କିରାଣୀ ଏବଂ ଯନ୍ତ୍ରୀ ମାନେ ୧୦ ରୁ ୧୫ ବର୍ଷ ଧରି ରହିଥିବା ବେଳେ ସେମାନଙ୍କ ବଦଳି ହେବାର ନା ଗନ୍ଧ ନାହିଁ | କିଛି ମାସ ଆଗରୁ ଗୁରୁତର ଅଭିଯୋଗ ହେବାପରେ ୩ ଜଣ କିରାଣୀଙ୍କୁ ରାଉରକେଲା ପୁର୍ତ୍ତ ବିଭାଗକୁ ଏବଂ ରାଉରକେଲା ପୁର୍ତ୍ତ ବିଭାଗର ୩ କିରାଣୀଙ୍କୁ ସୁନ୍ଦରଗଡ଼ ପୁର୍ତ୍ତ ବିଭାଗ ଭିତରେ ଅଦଳ ବଦଳ କରାଯାଇଥିଲେ ସୁଦ୍ଧା ଆଜିଯାଏ ସେମାନେ ସରକାରୀ ବାସଭବନ ଖାଲି କରିନଥିବା ଅଭିଯୋଗ ହୋଇଛି | ଆହୁରି ୫ରୁ ୭ ଜଣ କିରାଣୀ ଏବଂ ୪ ରୁ ୬ ଜଣ କନିଷ୍ଠ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଠାରୁ ପଦୋନ୍ନତି ହୋଇଥିବା ଯନ୍ତ୍ରୀ ମାନେ ପଡ଼ି ରହିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନଦେଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ | ନଚେତ ଜିଲ୍ଲା ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ହରିଲୁଟ କରିବା ହିଁ ସାର ହେବ ବୋଲି ଜିଲ୍ଲାର ସଚେତନ ମହଲରେ ମତପ୍ରକାଶ ପାଇଛି |
ରାଜ୍ୟ
ବେଲଗାମ ପୂର୍ତ୍ତବିଭାଗର କେଳେଙ୍କାରୀ: ଚେଇଁ ଶୋଇଛି ଦୁର୍ନୀତି ନିବାରଣ ବିଭାଗ
- Hits: 425