ସୈନ୍ୟ ବିଭାଗ ଉଚ୍ଚ ପଦାଧିକାରୀଙ୍କ ଚିଠିକୁ ପ୍ରଶାସନର ଅଣଦେଖା l
୧୦ ଦିନ ହେବ କରାଯାଉ ନାହିଁ କରୋନା ପରୀକ୍ଷା l
ସଂଘରୋଧ କେନ୍ଦ୍ରରୁ ସଂକ୍ରମିତ ହେବା କଲେ ଆଶଙ୍କା l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେ କୋଭିଡ - ୧୯ ପରିଚାଳନା ରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଉଛି l ସରକାର ପ୍ରବାସୀ ଅନ୍ତେବାସୀ ମାନଙ୍କୁ ସଂଘରୋଧ କେନ୍ଦ୍ର ଗୁଡିକ ରେ ସମସ୍ତ ପ୍ରକାର ର ସୁବିଧା ଉପଲବ୍ଧ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଖୋଦ ସମ୍ବଲପୁର ଜ଼ିଲ୍ଲା ରେ l ଜ଼ିଲ୍ଲା ର ଜମନକିରା ବ୍ଲକ ଭୋଜପୁର ଠାରେ ରହିଛି ଏକ ସଂଘରୋଧ କେନ୍ଦ୍ର l ଏହି କେନ୍ଦ୍ର ରେ ଜମନକିରା ବ୍ଲକ ର ୬ ଜଣ ସୈନିକ ଙ୍କ ସମେତ ସମୁଦାୟ ୧୩ ଜଣ ରହୁଛନ୍ତି l ଏଠାରେ ରହୁଥିବା ଭାରତୀୟ ସେନା ବାହିନୀ ରେ କାର୍ଯ୍ୟରତ ୬ ଜଣ ସୈନିକ ଏହି କେନ୍ଦ୍ର ରେ ପ୍ରଶାସନିକ ପରିଚାଳନାରେ ବ୍ୟାପକ ତ୍ରୁଟି ଯୋଗୁଁ ଏବେ ସେମାନେ ସଂକ୍ରମିତ ହେବା ପରି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛନ୍ତି l ପ୍ରାପ୍ତସୂଚନା ରୁ ଜଣାଯାଇଛି ଯେ, ଏହି ସଂଘରୋଧ କେନ୍ଦ୍ର ରେ ଗତ ୨୬ ତାରିଖ ଦିନ ଜଣେ ସୈନିକ ଙ୍କୁ ରଖା ଯାଇଥିଲା l ପର୍ଯ୍ୟାୟ କ୍ରମେ ଏହି ସଂଘରୋଧ କେନ୍ଦ୍ର ରେ ଅନ୍ୟ ୫ ଜଣ ସୈନିକ ଙ୍କ ସମେତ ବାଙ୍ଗାଲୋର, ତାମିଲନାଡୁ ଆଦି ପ୍ରଦେଶ ରୁ ଫେରନ୍ତା ୭ ଜଣ ପ୍ରବାସୀ ଆସି ରହିଥିଲେ l ସୈନିକ ମାନେ ଏହି ସଂଘରୋଧ କେନ୍ଦ୍ର କୁ ଆସି ତାଙ୍କ ଉଚ୍ଚ ପଦାଧିକାରୀ ଦ୍ୱାରା ପ୍ରଦତ୍ତ ସଂଘ ରୋଧ ର ଅବଶକ୍ୟତା ନ ଥିବା ପ୍ରମାଣ ପତ୍ର ଦେଖାଇଥିଲେ l ପ୍ରଥମତଃ ଏହି ପ୍ରମାଣ ପତ୍ର କୁ ଉପସ୍ଥିତ ଅଧିକାରୀ ମାନେ ଅଣଦେଖା କରିଥିବା ସୈନିକ ମାନେ ଅଭିଯୋଗ କରିଛନ୍ତି l ଅନ୍ୟ ପକ୍ଷରେ ସେମାନଙ୍କ ରହଣି ର ଆଜକୁ ୧୦ ଦିନ ହେବ କୌଣସି ଟେଷ୍ଟ କରାଯାଇ ନାହିଁ l ତେବେ ୬ ଜଣ ସୈନିକ ଙ୍କ ସହିତ ଅନ୍ୟ ୩ ଜଣ ପ୍ରବାସୀ ଏକ ସାଙ୍ଗରେ ଗୋଟିଏ କୋଠରୀ ରେ ରହୁଥିବା ରୁ ଯଦି ସେମାନଙ୍କ କରୋନା ପୋଜିଟିଭ ଥାଏ ତେବେ ସୈନିକ ମାନେ ମଧ୍ୟ ସଂକ୍ରମିତ ହେବା ଆଶଙ୍କା ରହିଛି l
ବର୍ଷକରେ ଥରେ ସ୍ୱଳ୍ପ ସମୟ ପାଇଁ ଆମେ ଛୁଟିରେ ଆସୁଛୁ l ସେପଟେ ପୁଣି ଚାକିରୀ ସ୍ଥଳ କୁ ଯଥା ସମୟରେ ପହଂଚିବାର ଅଛି l ଏଭଳି ସ୍ଥିତି ରେ ଆମର କରୋନା ଟେଷ୍ଟ ଶୀଘ୍ର କର ବୋଲି ଆମେ ବାରମ୍ବାର କହୁଛୁ ମାତ୍ର, କେହି ଶୁଣୁ ନାହାନ୍ତି ବୋଲି ଭାରତୀୟ ସେନା ବାହିନୀ ବିହାର ରେଜିମେଣ୍ଟ ଦ୍ୱିତୀୟ ବାଟେଲିୟନ ର ଝାରଖଣ୍ଡ ରାଜ୍ୟ ରାଞ୍ଚି ରେ କାର୍ଯ୍ୟରତ ଏହି ସଂଘରୋଧ କେନ୍ଦ୍ର ରେ ରହୁଥିବା ଜଣେ ସୈନିକ ପ୍ରକାଶ କରିଛନ୍ତି l











