ଟିଟିଲାଗଡ (ଗୌରବ ଦରଜୀ)- କରୋନା ମହାମାରୀ ସମୟରେ ଉନ୍ନତମାନର ଚିକିତ୍ସା ପାଇଁ ରୋଗୀ ବାହାରକୁ ଯାଇପାରୁନାହାନ୍ତି । ଭାଗ୍ୟକୁ ଆଶ୍ରା କରି ସମସ୍ତେ ଚିକିତ୍ସା ପାଇଁ ସହରର ଏକମାତ୍ର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଅନ୍ୟପଟେ ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା ଭୁଷୁଡି ପଡ଼ିଛି, ଭିତ୍ତିଭୂମି ନାହିଁ କି ଆବଶ୍ୟକୀୟ ଯନ୍ତ୍ରପାତି ନାହିଁ । ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ବେଡ୍ ମିଳୁ ନଥିବାରୁ ରୋଗୀ ବାରଣ୍ଡାରେ ରହି ଚିକିତ୍ସିତ ହେଉଛନ୍ତି । ଏପରିକି ଟିଟିଲାଗଡ଼ ରକ୍ତଭଣ୍ଡାର ଗୃହରୁ ରକ୍ତ ଯୋଗାଇ ଦେବା ଆଳରେ କେତେକ ଦଲାଲ ସକ୍ରିୟ ରହି ଗରିବ ରୋଗୀଙ୍କ ଠାରୁ ଟଙ୍କା ମାଗୁଥିବା ରୋଗୀ ଓ ତାଙ୍କ ପରିବାର ବର୍ଗ ଅଭିଯୋଗ କରୁଛନ୍ତି । ସେହି ପରି କରୋନା କଟକଣା ଯୋଗୁଁ ଲୋକେ ବ୍ୟବସାୟ ହରାଇ ଆର୍ଥିକ ସମସ୍ୟାରେ ଗତି କରୁଛନ୍ତି । ବାଧ୍ୟ ହୋଇ ରୋଗୀ ଘରୋଇ ଡାକ୍ତର ଓ ନସିଂହୋମକୁ ଯାଇ ଅଯଥା ଆର୍ଥିକ ଶୋଷଣରଶିକାର ହେଉଛନ୍ତି । ଏହି ସମସ୍ୟା ନେଇ ଆଜି ବିକାଶ ସେନାର ସଭାପତି ଇଂ ଅମ୍ବାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧ ଦଳ ଟିଟିଲାଗଡ଼ ଭାରପ୍ରାପ୍ତ ଏସଡିଏମଓ କୃଷ୍ଣଚନ୍ଦ୍ର ପାଲଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ଦାବି ଜଣାଇଥିଲେ । ଏସଡ଼ିଏମଓ ଶ୍ରୀ ପାଲ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସମସ୍ୟା ଗୁଡ଼ିକର ସମାଧାନ ଯଥାସମ୍ଭବ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ପ୍ରତିନିଧି ଦଳ ଇତିମଧ୍ୟରେ ଜଣେ ଦଲାଲଙ୍କ ଠକାମୀର ଶିକାର ହୋଇଥିବା ଚିକିତ୍ସାଧୀନ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପ୍ରତିନିଧି ଦଳରେ ଚନ୍ଦନ ପଣ୍ଡା , ଦୁର୍ଯ୍ୟୋଧନ ବେହେରା , ଆଶୁତୋଶ ମିଶ୍ର , ଧନୀରାମ ବେହେରା , ନିରଞ୍ଜନ ରଣା , ସମୀର ମହୀରା , ଜିତେନ କୁମାର , ଶେଖର ଦାସ , ବିନାୟକ ଶ୍ରେଷ୍ଠା , ଆଶିଫ ଖାନ , ସ୍ଵରାଜ ଦାଶ ଓ ଶେଖ ଅରବାଜ୍ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ସରକାରୀ ଡାକ୍ତଖାନା ର ରକ୍ତ ଭଣ୍ଡାର ରେ ସକ୍ରିୟ ଦଲାଲ୍ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲା ଟିଟିଲାଗଡ ବିକାଶ ସେନା।
- Hits: 421