ନୂଆପଡା(ଅମିତ ପୁରୋହିତ) ; ଶୁଷ୍କ ମରୁଡି ପ୍ରବଣ ଜିଲ୍ଲା କୁ ସବୁଜ ଓ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ କୁ ସୁଦୃଢ କରିବା ନିମନ୍ତେ ନୂଆପଡା ଜିଲାରେ କୋଟି କୋଟି ଟଙ୍କା ବ୍ୟାୟରେ ଜଳବାୟୁ ପରିବର୍ତ୍ତନ ପାଣ୍ଠି ବିନିଯୋଗ କରାଯାଇଛି ସତ କିନ୍ତୁ ଚାଷୀଙ୍କ ଉନ୍ନତି ହେବା ବଦଳରେ ଏବେ ଅବନତି ହେବାର ଦେଖା ଦେଇଛି । ୨୦ କୋଟି ଟଙ୍କା ବ୍ୟୟ ରେ ନୂଆପଡା ବ୍ଲକରେ ଆରମ୍ଭ ହୋଇଥିବା ଏନଏଫସିସି ଯୋଜନା ଦିଗହରା ହୋଇଯାଇଛି । ଯୋଜନାରେ ଲାଭବାନ ହେବା ଆଶାରେ ଥିବା ଚାଷୀ ନିରାଶ ହୋଇ ପଡିଛନ୍ତି ।
ପ୍ରତିବର୍ଷ କମ୍ ବୃଷ୍ଟିପାତ ଯୋଗୁଁ ଚିର ମରୁଡି ପ୍ରବଣ ନୂଆପଡା ଜିଲ୍ଲାରେ ବାରମ୍ବାର ମରୁଡି ଦେଖା ଦେଇଥାଏ । ଏହି ମରୁଡିର ଦୂରିକରଣ ପାଇଁ କମ ବର୍ଷାପାଣିରେ ଉନ୍ନତମାନର ବିହନ ବ୍ୟବହାର କରି କିପରି ଚାଷୀ ଭଲ ଫସଲ ପାଇ ପାରିବ ଏନେଇ ଗତ ୨୦୧୫-୧୬ ବର୍ଷରେ ଏନଏଫସିସି (ନେସନାଲ ଏଡପ୍ସନ ଫଣ୍ଡ ଫର କ୍ଲାଇମେଟ ଚେଞ୍ଜ୍) ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପକୁ ଓଡିଶା ସରକାର ପାଇଲଟ ଜିଲ୍ଲା ଭାବରେ ସର୍ବ ପ୍ରଥମେ ନୂଆପଡା ଜିଲ୍ଲାରେ ଆରମ୍ଭ କରିଥିଲେ । ନୂଆପଡା ବ୍ଲକର ବୁଢିପାଲି ପଞ୍ଚାୟତ ଅନ୍ତର୍ଗତ ପଲସାଭଦର ଗ୍ରାମରେ ଉଦ୍ୟାନ ବିଭାଗ ତରଫରୁ ସ୍ଥାନୀୟ ୩୦ ଜଣ ଚାଷୀଙ୍କ ଜମିରେ ଆମ୍ବ ଗଛ ରୋପଣ କରିବା ପାଇଁ ଚାରା ବଣ୍ଟନ କରିଥିଲେ । ହେଲେ ତାହାର ରକ୍ଷଣବକ୍ଷଣ ଅଭାବ ଯୋଗୁଁ ଗଛ ଗୁଡିକ ନଷ୍ଟ ହୋଇଯାଇଥିଲା । ପୁଣି ଦ୍ୱିତୀୟ ବର୍ଷରେ ତାର ବାଡା ଦେଇ ଆମ୍ବ ଗଛ ରୋପଣ କରିଥିଲେ । ତହିଁରେ ମଧ୍ୟ ଉଦ୍ୟାନ ବିଭାଗ ଫେଲ ମାରିଥିଲା । ଏହାପରେ ପୁଣି ଆମ୍ବ ଚାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବଣ୍ଟନ ପାଇଁ ଉଦ୍ୟାନ ବିଭାଗ ଆଣିଥିଲେ ମଧ୍ୟ ସେଗୁଡିକୁ ବଣ୍ଟନ କରି ପାରି ନାହିଁ । ଆମ୍ବ ଚାରା ଗୁଡିକ ପଡି ପଡି ନଷ୍ଟ ହୋଇଗଲାଣି । ଚାଷି ମାନଙ୍କୁ ବିଭିନ୍ନ ପ୍ରକାର ପନିପରିବା ଯଥା ମଟର, ଅଦା, ଟମାଟୋ, ଧନିଆଁ ଆଦି ଚାଷ କରିବା ପାଇଁ ଉଦ୍ୟାନ ବିଭାଗ ତରଫରୁ ବିହନ ଯୋଗାଇ ଦିଆଯାଇଥିଲା । କିନ୍ତୁ ସ୍ଥାନୀୟ ଅସକରଣ କେଉଁଟ ଓ ସ୍ୱଦେଶ ସାହୁ ଙ୍କ କହିବା ଅନୁସାରେ ବିହନ ନିମ୍ନମାନର ହୋଇଥିବା ହେତୁ ପନିପରିବା ନଷ୍ଟ ହୋଇଯାଇଛି । ଚାଷୀ ଅତ୍ୟନ୍ତ କ୍ଷତି ସହି ନିରାଶ ହୋଇ ପଡିଛନ୍ତି । ନୂଆପଡା ବ୍ଲକର ୮ ଗୋଟି ଗାଁ କୁ ନେଇ ଆରମ୍ଭ ହୋଇଥିବା ଏନଏଫସିସି ଯୋଜନା ଫେଲ ମାରିଛି । ଏହି ଯୋଜନାରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କୈାଣସି ସୁଫଳ ଦେଖିବାକୁ ମଳୁ ନାହିଁ । କୃଷି ବିଭାଗ ତରଫରୁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଥିବା ବେଳେ ପ୍ରାଣୀ ବିଭାଗ ତରଫରୁ କୁକୁଡା ଓ ବତକ ଚାଷ ପାଇଁ କୁକୁଡା ଓ ବତକ ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିବାର ସତ୍ୱେ କେବଳ ଜାଲି ଯୋଗାଇ ଦିଆଯାଇଛି । ଏହି ପରି ବିଭିନ୍ନ ବିଭାଗ ତରଫରୁ ଚାଷୀ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବା କଥା । କିନ୍ତୁ ଏହାର ବିପରିତ ଦିଗରେ ପ୍ରକଳ୍ପଟି ଗତି କରୁଥିବାରୁ ଚାଷି ଉପକୃତ ହେବା ବଦଳରେ ନିରାଶ ହେବାରେ ଲାଗିଛନ୍ତି । ଏନେଇ ନୋଡାଲ ଅଫିସର ଭାବେ ସ୍ୱିକୃତି ପାଇଥିବା କ୍ଷୁଦ୍ର ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଏବିଷୟରେ କିଛି ନ ଜାଣିଥିବା ଓ ତଦନ୍ତ କରାଯିବ ବୋଲି କହିଥିଲେ ।