ହେଡଲାଇନସ୍:

ସଂଘର୍ଷ : ଷୋଳ ବନାମ ଷାଠିଏ ପରିବାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  ସରକାରୀ ଜମିକୁ କେନ୍ଦ୍ରକରି ରଗଡ଼ିମଡ଼ାରେ ଗୋଷ୍ଠୀ ବିବାଦ 

  • ମାଡ ଭୟରେ  ଓଡ଼ଗାଁ ବସଷ୍ଟାଣ୍ଡରେ ଆଶ୍ରୟ ନେଇଛନ୍ତି କିଛି ଲୋକ 

  • ପୋଲିସ ପ୍ରଶାସନ ହସ୍ତକ୍ଷେପ କରି ଶାନ୍ତି ଫେରେଇ ଆଣିବାକୁ ଅନୁରୋଧ 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର):  ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଡ଼ିକିଳା ପଂଚାୟତ ରଗଡ଼ିମଡ଼ାରେ ସରକାରୀ ଜମିକୁ କେନ୍ଦ୍ର କରି ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଏହି ଗ୍ରାମର ଗୋଟିଏ ଗୋଷ୍ଠୀରେ ୧୬ ପରିବାର ରହିଥିବା ବେଳେ ଅନ୍ୟ ଗୋଷ୍ଠୀରେ ୬୦ ପରିବାର ରହିଛନ୍ତି । ଗୋଲାସାହିର ୧୬ ପରିବାରଙ୍କ ଘର ସାମନାରେ କିଛି ସରକାରୀ ଜମି ରହିଥିବା ବେଳେ ୬୦ ପରିବାର ସେମାନଙ୍କ ଜାଗାକୁ ଆଢ଼ୁଆଳ କରି ଅଙ୍ଗନବାଡି  ଗୃହ ନିର୍ମାଣ କରୁଥିବା ନେଇ ପ୍ରଥମେ ବିବାଦ ଉପୁଜିଥିଲା । ବିବାଦ କ୍ରମଶଃ ଉଗ୍ରଋପ ଧାରଣ କରିବାରୁ କିଛି ଦିନ ତଳେ ୬୦ ପରିବାର ଗୋଷ୍ଠୀ ଏହି ୧୬ ପରିବାର ଗୋଷ୍ଠୀ ଉପରେ ଆକ୍ରାମଣ କରିଥିଲେ । ଏହି ଅଳ୍ପ ସଂଖ୍ୟକ ପରିବାର ଲୋକଙ୍କୁ ପ୍ରବଳ ମାଡ଼ ମରାଯିବା କାରଣରୁ ଭୟରେ ଏବେ ସେମାନେ ଗାଁ ଛାଡ଼ି ବାହାରେ ବୁଲୁଥିବା ବେଳେ କିଛି ବ୍ୟକ୍ତି ଓଡ଼ଗାଁ ବସଷ୍ଟାଣ୍ଡ ମଧ୍ୟରେ ଆଶ୍ରୟ ନେଇଛନ୍ତି । ଏନେଇ ଉଭୟ ପକ୍ଷରୁ ଓଡ଼ଗାଁ ଆଦର୍ଶ ଥାନାରେ ୩ଟି ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ଏହି ଅଳ୍ପ  ସଂଖ୍ୟକ ୧୬ ପରିବାରର ବ୍ୟକ୍ତିଗତ ଜମିରେ ନାଲି ପତାକା ମାରି ଅନ୍ୟ ୬୦ ପରିବାର ସେମାନଙ୍କ ଜମିକୁ ଦଖଲ କରିବା ପାଇଁ  ଉଦ୍ୟମ କରୁଥିବା ଅଭିଯୋଗ ଉଠିଛି । ତେବେ ଉଭୟ ଗୋଷ୍ଠୀର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗାଁରେ ଲାଗି ରହିଥିବା ଅଶାନ୍ତି ଓ ଉତ୍ତେଜନା  ଯୋଗୁଁ  ୭୫ ପରିବାର ଦୁଃଖ କଷ୍ଟ ଭୋଗ କରୁଛନ୍ତି । ପୋଲିସ ପ୍ରଶାସନ ହସ୍ତକ୍ଷେପ କରି ଶାନ୍ତି ଫେରେଇ ଆଣିବାକୁ ଗ୍ରାମବାସୀମାନେ ଆଶା ରଖିଛନ୍ତି । 

0
0
0
s2sdefault