୫୫ ଜଣ ଡେପୁଟେସନରେ ,୧୭୨ଟି ପଦବୀ ଖାଲି
ଭୁବନେଶ୍ୱର : ଓଡ଼ିଶା ପାଇଁ ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଭଳି ଗୁରୁତ୍ୱପୂର୍ଣ୍ଣ ସର୍ବଭାରତୀୟ ସେବାର ୫୬୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରେ ଏବେ ଆମ ରାଜ୍ୟରେ ୩୩୬ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଏହି ସେବାଗୁଡ଼ିକରୁ ୫୫ ଜଣ ଅଧିକାରୀ ଡେପୁଟେସନରେ ଯାଇଥିବା ବେଳେ ଆଉ ୧୭୨ଟି ପଦବୀ ଖାଲିପଡ଼ିଛି । ଉପରୋକ୍ତ ଖାଲି ପଦବୀଗୁଡ଼ିକ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରାଯାଉଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡ଼ିଶା ପାଇଁ ୨୩୭ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦବୀ ଥିବା ବେଳେ ସେଥିରୁ ଏବେ ୪୦ଟି ଖାଲି ପଡ଼ିଛି ଓ ମାତ୍ର ୧୭୫ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଓଡ଼ିଶା ପାଇଁ ଥିବା ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦବୀରୁ ୧୬୫ଟି ପ୍ରତ୍ୟକ୍ଷ ନିଯୁକ୍ତି ଓ ୭୨ଟି ପଦୋନ୍ନତି ଭିତ୍ତିରେ ପୂରଣ କରାଯାଇଥାଏ । ଓଡ଼ିଶା କ୍ୟାଡର୍ ଆଇଏଏସ୍ ମଧ୍ୟରୁ ୨୨ ଜଣ ଡେପୁଟେସନରେ ଯାଇଛନ୍ତି ।
ଓଡ଼ିଶା ଲାଗି ୧୮୮ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ଅଫିସର ପଦବୀ ଥିବା ବେଳେ ସେଥିରୁ ବର୍ତ୍ତମାନ ମାତ୍ର ୮୭ ଜଣ କାର୍ଯ୍ୟ କରୁଛନ୍ତି । ଏହି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀଗୁଡ଼ିକ ମଧ୍ୟରୁ ୧୩୧ଟି ପ୍ରତ୍ୟକ୍ଷ ନିଯୁକ୍ତି ଓ ୫୭ଟି ପଦୋନ୍ନତି ଭିତ୍ତିରେ ପୂରଣ କରାଯାଇଥାଏ । ଓଡ଼ିଶା କ୍ୟାଡର୍ ଆଇପିଏସ୍ ମଧ୍ୟରୁ ୨୫ ଜଣ ଡେପୁଟେସନରେ ଯାଇଥିବା ବେଳେ ୩ ଜଣ ଛୁଟିରେ ଅଛନ୍ତି । ରାଜ୍ୟରେ ୭୩ଟି ଆଇପିଏସ୍ ପଦବୀ ଖାଲି ପଡ଼ିଥିବା ମୁଖ୍ୟମନ୍ତ୍ରୀ ସୂଚାଇଛନ୍ତି ।
ସେହିପରି ଓଡ଼ିଶା ପାଇଁ ୧୪୧ଟି ମଞ୍ଜୁରୀପ୍ରାପ୍ତ ଆଇଏଫ୍ଏସ୍ ପଦବୀ ଥିବା ବେଳେ ସେଥିରୁ ଏବେ ରାଜ୍ୟରେ ମାତ୍ର ୭୪ ଜଣ କର୍ଯ୍ୟରତ ଅଛନ୍ତି । ଏହି ମଞ୍ଜୁରୀପ୍ରାପ୍ତ ଆଇଏଫ୍ଏସ୍ ପଦବୀଗୁଡ଼ିକ ମଧ୍ୟରୁ ୯୯ଟି ପ୍ରତ୍ୟକ୍ଷ ନିଯୁକ୍ତି ଓ ୪୨ଟି ପଦୋନ୍ନତି ଭିତ୍ତିରେ ପୂରଣ କରାଯାଇଥାଏ । ଓଡ଼ିଶା କ୍ୟାଡର୍ ଆଇଏଫ୍ଏସଙ୍କ ମଧ୍ୟରୁ ଜଣେ ନିଲମ୍ବିତ ହୋଇ ରହିଥିବା ବେଳେ ଆଉ ୮ ଜଣ ଡେପୁଟେସନରେ ଯାଇଛନ୍ତି । ରାଜ୍ୟରେ ୫୯ଟି ଆଇଏଫ୍ଏସ୍ ପଦବୀ ଖାଲି ପଡ଼ିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।